ତ୍ରୟୋଦଶ ଜାତୀୟ କନିଷ୍ଠ ମହିଳା ହକି : ସୁଟ୍ଆଉଟ୍ରେ ହାରିଲା ଓଡ଼ିଶା
1 min read
ମଙ୍ଗଳବାର ବିଶ୍ରା ମୁଣ୍ଡା ଅନ୍ତଜାତୀୟ ହକି ଷ୍ଟାଡିୟମ୍ରେ ଚାଲିଥିବା ତ୍ରୟୋଦଶ ଜାତୀୟ କନିଷ୍ଠ ମହିଳା ହକିର କ୍ୱାର୍ଟର ଫାଇନାଲ୍ ଖେଳରେ ଓଡ଼ିଶା ଦଳ ପେନାଲ୍ଟି ସୁଟ୍ଆଉଟ୍ରେ ହାରି ଯାଇଛି। ଏହା ସହିତ ଚମ୍ପିୟାନ୍ସିପ୍ରୁ ବାହାରି ଯାଇଛି ଓଡ଼ିଶା। ଅନ୍ୟପକ୍ଷରେ ମଙ୍ଗଳବାର ହୋଇଥିବା ପ୍ରଥମ ଖେଳରେ ଏକତରଫା ଭାବେ ମଧ୍ୟପ୍ରଦେଶ ଦଳ ମହାରାଷ୍ଟ୍ରକୁ ୯-୦ ଗୋଲ୍ରେ ହରାଇ ପ୍ରଥମ ଦଳଭାବେ ସେମି ଫାଇନାଲ୍ରେ ପହଞ୍ଚିଥିଲା। ସେହିଭଳି ଦ୍ୱିତୀୟ ଖେଳରେ ହରୟାନା ଦଳ ପଞ୍ଜାବ କୁ ୪-୨ ଗୋଲ୍ରେ ହରାଇ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଓ ଚତୁର୍ଥ ଖେଳ ବେଶ୍ ରୋମାଞ୍ଚକର ଥିଲା। ମିଜୋରାମ୍ ଓ ଝାଡ଼ଖଣ୍ଡ ମଧ୍ୟରେ ହୋଇଥିବା ତୃତୀୟ ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଅମିମାଂଶିତ ରହିଥିଲାବେଳେ କୌଣସି ଦଳ କିଛି ଗୋଲ୍ କରିପାରି ନଥିଲେ। ଏହାପରେ ସୁଟ୍ଆଉଟ୍ରେ ମିଜୋରାମ୍କୁ ୩-୨ ଗୋଲ୍ରେ ହରାଇ ଝାଡ଼ଖଣ୍ଡ ବିଜୟୀ ହୋଇଥିଲା। ସେହିଭଳି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ହୋଇଥିବା ଖେଳ ୩-୩ ଗୋଲ୍ରେ ଅମିମାଂଶିତ ରହିଥିଲା। ଶେଷରେ ସୁଟ୍ଆଉଟ୍ରେ ଛତିଶଗଡ଼ ଦଳ ଓଡ଼ିଶାକୁ ୪-୨ ରେ ହରାଇ ସେନି ଫାଇନାଲ୍ରେ ପ୍ରବେଶ କରିଥିଲା। ଏହି କ୍ରମରେ ଗୁରୁବାର ହିମାଚଳ ପ୍ରଦେଶ ଦଳ ଓ ହରୟାନା ମଧ୍ୟରେ ପ୍ରଥମ ସେମି ଫାଇନାଲ୍ ଖେଳ ଏବଂ ଶେଷ ସେମିଫାଇନାଲ୍ ଖେଳ ଝାଡ଼ଖଣ୍ଡ ଓ ଛତିଶଗଡ଼ ମଧ୍ୟରେ ହେବ। ଏହି ଖେଳର ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଏବଂ ଫାଇନାଲ୍ ଖେଳ ୭ ତାରିଖ ଅର୍ଥାତ୍ ଶୁକ୍ରବାର ହେବ। ସବୁଠାରୁ ବଡ଼ କଥା ହେଉଛି ମଙ୍ଗଳବାର ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ହେବାକୁ ଥିବା ଖେଳ ଦେଖିବା ପାଇଁ ଷ୍ଟାଡିୟମ୍ ମଧ୍ୟରେ ଭିଡ଼ ହୋଇଥିଲା। ପୂର୍ବ ମ୍ୟାଚ୍ଗୁଡ଼ିକ ତୁଳନାରେ ଅଧିକ ସଂଖ୍ୟକ ଦର୍ଶକ ଏହି ଖେଳ ଦେଖିଥିଲେ। ସେହିଭଳି ଆଶ୍ଚର୍ଯ୍ୟଜନକଭାବେ ଅଧିକ କ୍ରୀଡ଼ାପ୍ରେମୀ ଛତିଶଗଡ଼ ଦଳ ସପକ୍ଷରେ ଥିବା ମଧ୍ୟ ଦେଖିବାକୁ ମିଳିଥିଲା।