ନଷ୍ଟ ହେଉଛି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଭିତ୍ତିଭୂମି ନିର୍ମାଣ: ଆର୍ଏସପି କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା
1 min read
କିଛି ବର୍ଷ ପୂର୍ବେ ରାଉରକେଲା ସହରର ଅନ୍ୟତମ ପୂରାତନ ବିଦ୍ୟାଳୟଭାବେ ପରିଚିତ ଡିସୌଜା ସ୍କୁଲ୍ ନିକଟରେ ପ୍ରାୟ ୩ଏକର ସ୍ଥାନରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଆରମ୍ଭ କରାଯାଇଥିଲା ବଣଭୋଜି ସ୍ଥଳୀ । ଉଦ୍ଦେଶ୍ୟ ଓ ଲକ୍ଷ ଥିଲା ଏହି ସ୍ଥାନରେ ସହରବାସୀ ଶୀତ ଋତୁରେ ବଣଭୋଜି କରିବା ସହିତ ସହରର ଗହଇ ଓ କୋଳାହଳ ମଧ୍ୟରୁ ବାହାରି କିଛି ସମୟ ଶାନ୍ତ ଓ ସ୍ନିଗ୍ଧ ସ୍ଥାନରେ ନିଜ ନିଜର ପରିବାର ସହିତ ସମୟ ବିତାଇବେ। ଗୋଟିଏ ପଟେ ଥିବା ସୁଉଚ୍ଚ ଦୁର୍ଗାପୁର ପାହାଡ଼ ଏବଂ ନିକଟରେ ଥିବା ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ଗାୟତ୍ରୀ ଶକ୍ତୀ ପୀଠ ସଂଲଗ୍ନ ଏହି ମନୋମୁଗ୍ଧକର ପ୍ରାକୃତିକ ସ୍ଥାନକୁ କେହି ଦେଖିଲେ ଅଭିଭୁତ ହୋଇଥାଏ।

ଘଞ୍ଚ ସବୁଜ ବନାନୀ ମଧ୍ୟରେ ରହିଥିବା ଏହି ସ୍ଥାନରେ ବଣଭୋଜି ସହିତ କିଛି ସମୟ ବିତାଇବା ପାଇଁ ଆର୍ଏସପି ବା ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କୌଣସି ଅଦୃଶ୍ୟ କାରଣରୁ ଏହି ସ୍ଥାନର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆଭାବେ ପଡ଼ି ରହିଛି। ଅନ୍ୟପକ୍ଷରେ ଏଠାରେ ଆର୍ଏସପି ପକ୍ଷରୁ ଏକ ସୂଚନାଫଳକ ଲଗାଯାଇ ବଣଭୋଜି ସ୍ଥଳରେ ପ୍ଲାଟିକ ବର୍ଜନର ବାର୍ତ୍ତା ଦିଆଯାଇଛି। ଏତେ ସବୁ ସତ୍ତ୍ବେ ଏହି ସ୍ଥାନ ଗତ କିଛି ବର୍ଷ ଧରି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି।

ସହରର ଏକ ପ୍ରମୁଖ ଅଞ୍ଚଳରେ ଏହି ସ୍ଥାନ ରହିଥିଲା ବେଳେ ଏହାର ନିକଟରେ ରହିଛି ସେଲ୍ର ମାର୍କେଟିଙ୍ଗ କାର୍ଯ୍ୟାଳୟ ଏବଂ ଇସ୍ପାତ ଶିଳ୍ପ ସହରାଞ୍ଚଳର ବିଭିନ୍ନ ରାସ୍ତାକୁ ଆଲୋକିତ କରୁଥିବା ବ୍ୟବସ୍ଥାର ନିୟନ୍ତ୍ରଣ କାର୍ଯ୍ୟାଳୟ ଏତେ ସବୁ ଥାଇ ମଧ୍ୟ କେଉଁ କାରଣରୁ ଆର୍ଏସପି କର୍ତ୍ତୃପକ୍ଷ ଏହି ସ୍ଥାନରେ ନିର୍ମାଣ ହୋଇଥିବା ପ୍ରକଳ୍ପକୁ ଜରାଜୀର୍ଣ୍ଣ ଅବସ୍ଥାରେ ପକାଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।