ଜାତୀୟ କନିଷ୍ଠ ବାଳିକା ହକି : ମଧ୍ୟପ୍ରଦେଶ ବିଜେତା ସହିତ ଝାଡ଼ଖଣ୍ଡ ଦ୍ୱିତୀୟ ଏବଂ ହରୟାନା ତୃତୀୟ ସ୍ଥାନରେ
1 min read
ଗତମାସ ୨୭ ତାରିଖରୁ ରାଉରକେଲାର ବିସ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଚାଲିଥିବା ତ୍ରୟୋଦଶ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଶେଷ ହୋଇଛି। ଏହି ଚମ୍ପିଆନସିପ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ ୧-୦ ଗୋଲ୍ରେ ଝାଡ଼ଖଣ୍ଡକୁ ହରାଇ ମଧ୍ୟ ପ୍ରଦେଶ ଦଳ ବିଜେତା ହୋଇଛି। ଏହା ସହିତ ଛତିଶଗଡ଼ ଦଳକୁ ହରୟାନା ଏକତରଫାଭାବେ ୧୨-୨ ଗୋଲ୍ରେ ପରାସ୍ତ କରିବା ଯୋଗୁଁ ତୃତୀୟ ସ୍ଥାନ ଓ ଛତିଶଗଡ଼ ଦଳ ଚତୁର୍ଥ ସ୍ଥାନରେ ରହିଛି। ଫାଇନାଲ୍ ଖେଳରେ ଝଡ଼ଖଣ୍ଡ ଦଳର ଖେଳାଳୀଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଉପବିଜେତାରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଫାନାଲ୍ ଖେଳ ପରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ସଭାପତି ତଥା ବରିଷ୍ଠ ହକି ଖେଳାଳୀ ଦିଲ୍ଲୀପ ତିର୍କୀଙ୍କ ଉପସ୍ଥିତିରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଅନ୍ୟମାନେ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

ସୂଚନା ମୁତାବକ ଏହି ଖେଳର କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଥିବା ଓଡ଼ିଶା ଦଳ ଅପେକ୍ଷାକୃତ ଦୁର୍ବଳ ଛତିଶଗଡ଼ ଠାରୁ ହାରି ସେମିଫାଇନାଲ୍ ପହଞ୍ଚିପାରି ନଥିଲା। ଅନ୍ୟପକ୍ଷରେ ଓଡ଼ିଶା ସରକାର ହକି ଖେଳ ଓ ଖେଳାଳୀମାନଙ୍କ ପାଇଁ ବ୍ୟାପକ ଅର୍ଥ ବ୍ୟୟ ସହିତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କରିଆସୁଛନ୍ତି। ଏହା ସତ୍ତ୍ୱେ ସୁଦ୍ଧା ଉଭୟେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଓଡ଼ିଶା ଖେଳାଳୀମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କାରଣ ଗୋଟିଏ ସମୟ ଥିଲା ବିନା କୌଣସି ପ୍ରୋତ୍ସାହନ ଏବଂ ଆଖିଦୃଶିଆ ଅର୍ଥ ବ୍ୟବ ନହୋଇ ମଧ୍ୟ ଓଡ଼ିଶାର ଖେଳାଳୀମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଥିଲେ।