ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଏବଂ ରାଉରକେଲା ଇସ୍ପାତ କାରଖାନାର ମିଳିତ ସହଭାଗିତାରେ ଶିଶୁ ନାଟ୍ୟ କର୍ମଶାଳା ଉଦଘାଟିତ

1 min read
Spread the love

ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା -ଏନ ଏସ ଡି ଏବଂ ରାଉରକେଲା ଇସ୍ପାତ କାରଖାନା -ଆର ଏସ ପି ର ମିଳିତ ସହଭାଗିତାରେ ଶିଶୁ ନାଟ୍ୟ କର୍ମଶାଳା ମଇ ୧୨ ତାରିଖ ରେ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରେକ୍ଷାଳୟରେ ଉଦଘାଟିତ ହୋଇଛି । ଏଥିରେ ଆରଏସପି ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସହର ସେବା ଓ ସିଏସଆର ବିଭାଗର ସିଜିଏମ୍ ଟି ଜି କାନେକରଙ୍କ ସମେତ ପ୍ରଖ୍ୟାତ ନାଟ୍ୟ ବ୍ୟକ୍ତିତ୍ୱ ପ୍ରଫେସର ଡକ୍ଟର ସମର ମୁଦାଲି, ଏକତ୍ର ସାମାଜିକ-ସାଂସ୍କୃତିକ ସଂଗଠନର ସଭାପତି ରାଜୀବ ପାଣି, ଆରଏସପି ଲୋକସମ୍ପର୍କ ବିଭାଗର ଜିଏମ୍ ଏବଂ ସଂଚାର ମୁଖ୍ୟ ଅର୍ଚ୍ଚନା ଶତପଥୀ, ଏନଏସଡିର ପ୍ରାକ୍ତନ ଛାତ୍ର ତଥା କର୍ମଶାଳାର ନିର୍ଦ୍ଦେଶକ ଜଗନାଥ ସେଠ ଏବଂ ଏନଏସଡିର ସ୍ଥାନୀୟ ସଂଯୋଜକ ଭାସ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମିଶ୍ର ଶିଶୁ ଏବଂ କିଶୋରଙ୍କ ପାଇଁ ଏକ ଉଚ୍ଚମାନର ନାଟ୍ୟ କର୍ମଶାଳା ଆୟୋଜନ ପାଇଁ ପ୍ରୟାସର ପ୍ରଶଂସା କରିଥିଲେ। ଶ୍ରୀ କାନେକର ନାଟ୍ୟ ଉତ୍ସାହୀ ଶିଶୁ କଳାକାରମାନଙ୍କୁ ଏଭଳି ସୁଯୋଗର ସଦୁପଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଏପରି କର୍ମଶାଳା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି ଶ୍ରୀ କାନେକର ଆଶାବ୍ୟକ୍ତ କରିଥିଲେ। ପ୍ରଫେସର ମୁଦାଲି ଆରଏସପିର ନାଟ୍ୟ ସଂସ୍କୃତି ସହ ଦୀର୍ଘଦିନର ସମ୍ପର୍କ ତଥା ଏହାର ପ୍ରୋତ୍ସାହନ ପାଇଁ ନିରନ୍ତର ପ୍ରୟାସର ପ୍ରଶଂସା କରିଥିଲେ। ସେ ପିଲାମାନଙ୍କ ପାଇଁ ଆୟୋଜିତ ଏପରି କର୍ମଶାଳା ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତା ପ୍ରତିପାଦନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ସୃଜନଶୀଳ ଚିନ୍ତାଧାରା, ଆତ୍ମବିଶ୍ୱାସକୁ ଆହୁରି ସୁଦୃଢ କରିବା ଓ ଜୀବନରେ ଶୃଙ୍ଖଳା, ସହଯୋଗ ଏବଂ ସାମାଜିକ ସହାନୁଭୂତି ଭଳି ମୌଳିକ ମୂଲ୍ୟବୋଧକୁ ମଧ୍ୟ ପ୍ରୋତ୍ସାହିତ କରେ ବୋଲି କହି ଥିଲେ।

ଶ୍ରୀ ପାଣି ନିଜର ମନ୍ତବ୍ୟରେ ଏହି ଶିଶୁ କର୍ମଶାଳାର ଶୁଭାରମ୍ଭ ନାଟ୍ୟ ସମ୍ପ୍ରଦାୟକୁ ମଜବୁତ ଏବଂ ବିସ୍ତାରିତ କରିଛି ବୋଲି କହିଥିଲେ। ନାଟକ ଅଭିବ୍ୟକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ ଯାହା ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରି ନିଜର ଭାବନାକୁ ପରିମାର୍ଜିତ କରିଥାଏ ବୋଲି ପ୍ରଫେସର ମୁଦାଲିନ୍ କହିଥିଲେ। ଏହି ଅବସରରେ ଶ୍ରୀ ସେଠ୍ କର୍ମଶାଳା ଆୟୋଜନରେ ମିଳିଥିବା ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ଅଣ-ପାରମ୍ପରିକ କ୍ଷେତ୍ରରେ ସଫଳ କ୍ୟାରିଅର ପାଇଁ ପଥ ପ୍ରଶସ୍ତ କରିବାରେ ନାଟ୍ୟ ବିଦ୍ୟାଳୟଗୁଡ଼ିକର ବର୍ଦ୍ଧିତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର କର୍ମଶାଳାର ନିର୍ଦ୍ଦେଶକଙ୍କ ସହିତ ସହ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପାଢୀ, ସୁଶ୍ରୀ ସୁଦେଷ୍ଣା ରାଣୀ ରାଉତ, ଏବଂ ସହ ସଞ୍ଜୋଜିକା ସୁଶ୍ରୀ ସସ୍ମିତା ବେକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି କର୍ମଶାଳା ଜୁନ୍ ୧୦ ତାରିଖରେ ସିଭିକ୍ ସେଣ୍ଟର ଠାରେ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ଏକ ନାଟକ ପ୍ରଦର୍ଶନ ସହିତ ଉଦଯାପିତ ହେବ । ପ୍ରାରମ୍ଭରେ ଶ୍ରୀ ମହାପାତ୍ର ସମାବେଶକୁ ସ୍ୱାଗତ କରିବା ସହିତ ଏଥିରେ ଭାଗନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀମତୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଲୋକସମ୍ପର୍କ ବିଭାଗର ଉପପ୍ରବନ୍ଧକ ଶଶାଙ୍କ ଶେଖର ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!