ସେକ୍ଟର-୨୨ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର କିଛି ଛାତ୍ର ଖାଦ୍ୟ ଖାଇ ସାରିବା ପରେ ଅସୁସ୍ଥ
1 min read
ଚିକିତ୍ସା ପାଇଁ ଆଇଜିଏଚ୍ରେ ଭର୍ତ୍ତି
ରାଉରକେଲା ସହରର ସେକ୍ଟର-୨୨ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ତୃତୀୟ ଶ୍ରେଣୀର ୧୨ଜଣ ଛାତ୍ର ଶୁକ୍ରବାର ଦିନ ମଧ୍ୟାହ୍ନରେ ଟିଫିନ ଖାଇସାରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହେବାର କାରଣ ଜଣାପଡ଼ିନାହିଁ। ଏହାପରେ ତୁରନ୍ତ ଅସୁସ୍ଥ ଛାତ୍ରମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହା ସହିତ ଏହି ଛାତ୍ରଛାତ୍ରୀମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ସୂଚନା ପାଇବା ପରେ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଘଟଣାର ଗୁରୁତ୍ୱକୁ ଦୃଷ୍ଟି ଦେଇ ତୁରନ୍ତ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଦଲ ଗଠନ କରି ଘଟଣାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। କାରଖାନାର ଲୋକ ସମ୍ପର୍କ ବିଭାଗର ସୂଚନା ମୁତାବକ ଛାତ୍ରମାନଙ୍କର ଅସୁସ୍ଥ ହେବାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ଏ ନେଇ ଆବଶ୍ୟକ ଅନୁସନ୍ଧାନ ଚାଲିଛି। ସେହିଭଳି କିଛି ଛାତ୍ରଙ୍କ ସୂଚନା ମୁତାବକ ସେମାନେ ଖାଦ୍ୟ ଖାଇ ସାରି ପାଣି ପିଇବା ପରେ ଅସୁସ୍ଥ ଅନୁଭବ କରିଥିଲେ। କିଛି ଛାତ୍ର ବାନ୍ତି କରିବା ସହ ଛାତିରେ କଷ୍ଟ ଅନୁଭବ କରିଥିଲେ। ଲୋକ ସମ୍ପର୍କ ବିଭାଗର ସୂଚନା ମୁତାବକ ସମସ୍ତ ଅସୁସ୍ଥ ଛାତ୍ରଙ୍କ ଚିକିତ୍ସା ଚାଲିଛି ଏବଂ ସେମାନେ ବିପଦମୁକ୍ତ ଅଛନ୍ତି।