ପାନପୋଷ ରେଳ ଷ୍ଟେସନର ବିକାଶ ପାଇଁ ୧୪ କୋଟି ଟଙ୍କାର ବ୍ୟୟବରାଦ : ଭବିଷ୍ୟତରେ ରାଉରକେଲା ରେଳ ଷ୍ଟେସନର ବିକଳ୍ପ ହେବା ସମ୍ଭାବନା
1 min read
ନୂତନ ଯତ୍ରୀ ସୁବିଧା ବ୍ୟବସ୍ଥା ସହିତ ଆକର୍ଷଣୀୟ ହେବ ଷ୍ଟେସନ ପରିସର :ଐତିହ୍ୟ ଷ୍ଟେସନର ନବକଳେବର
ପାନପୋଷ ରେଳ ଷ୍ଟେସନ ହେବାର ୧୦୦ବର୍ଷରୁ ଅଧିକ ସମୟ ପରେ ଏହି ଷ୍ଟେସନର ବିଭିନ୍ନ ପ୍ରକାର ବିକାଶ ଦିଗରେ ଭାରତୀୟ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାରଙ୍କ ଅମୃତ ଷ୍ଟେସନ ଯୋଜନା ଅନ୍ତର୍ଗତ ବିଭିନ୍ନ ରେଳ ଷ୍ଟେସନ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପାନପୋଷ ରେଳ ଷ୍ଟେସନ ବିକାଶ ପାଇଁ ୧୪.୨୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଶତାଧିକ ବର୍ଷ ଧରି ରହିଥିବା ଏହି ରେଳ ଷ୍ଟେସନର ନୂଆରୂପ ପାଇବା ସହିତ ଏଠାରେ ବିଭିନ୍ନ ଯାତ୍ରୀ ସୁବିଧା ନିର୍ମାଣ ଆଦି କାର୍ଯ୍ୟ ଜାରି ରହିଛି। ସମ୍ଭବତଃ ଚଳିତ ବର୍ଷ ଶେଷ ସୁଦ୍ଧା ଅଧିକାଂଶ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇପାରେ। ଏହି ରେଳ ଷ୍ଟେସନର ନବକଳେବର ହେବା ପରେ ଏହା ରାଉରକେଲା ଷ୍ଟେସନର ଏକ ବିକଳ୍ପ ହେବାର ସମ୍ଭାବନା ରହିଛି। ଏହା ସହିତ ଏହି ଷ୍ଟେସନ ଉପରେ ନିର୍ଭରଶୀଳ ଛେଣ୍ଡ, ପାନପୋଷ ସମେତ ବେଦବ୍ୟାସ ଓ ଆଖପାଖ ଅଞ୍ଚଳର ରେଳଯାତ୍ରୀ ଅନେକ ସୁବିଧା ପାଇପାରିବେ।

ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ପରାଧୀନ ଭାରତର ଏକ ପ୍ରମୁଖ ରେଳ ପଥଭାବେ ମୁମ୍ବାଇ-ହାଓଡ଼ା ରେଳପଥର ନିର୍ମାଣ ହୋଇଥିଲା। ୧୮୯୩ ମସିହାରେ ଗୋଏଲକେରା ଓ ଝାରସୁଗୁଡ଼ା ମଧ୍ୟରେ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସରିବା ପରେ ରାଉରକେଲା ଓ ଆଖପାଖ ଅଞ୍ଚଳ ଦେଇ ରେଳପଥର ବିକାଶ ସମ୍ଭବ ହୋଇଥିଲା। ଏହି କ୍ରମରେ ପ୍ରାୟ ୧୯୦୦ ମସିହା ବେଳକୁ ପାନପୋଷ ରେଳ ଷ୍ଟେସନ ନିର୍ମାଣ ହୋଇଥିଲା। ସେହିଭଳି ୧୯୨୨ ମସିହାରୁ ୧୯୨୬ ମସିହା ମଧ୍ୟରେ ରାଉରକେଲାରୁ ବିରମିତ୍ରପୁର ପର୍ଯ୍ୟନ୍ତ ରେଳ ରାସ୍ତା ନିର୍ମାଣ ପରେ ପରେ ରାଉରକେଲା ରେଳ ଷ୍ଟେସନର ଗୁରୁତ୍ୱ ବୃଦ୍ଧି ସହିତ ଏହା ଏକ ରେଳ ଜଂକ୍ସନ୍ର ମାନ୍ୟତା ପାଇଥିଲା।

ତେଣୁ ରାଉରକେଲା ରେଳ ଷ୍ଟେସନଠାରୁ ପାନପୋଷ ରେଳ ଷ୍ଟେସନ ପୂରୁଣା ଏବଂ ଏହା ନିକଟରେ ଥିବା ପ୍ରଶିଦ୍ଧ ବେଦବ୍ୟାସ ସଂଗମ କ୍ଷେତ୍ର ଯୋଗୁଁ ଏହି ଷ୍ଟେନର ଗୁରୁତ୍ୱ ମଧ୍ୟ ରହିଛି। କିନ୍ତୁ ୧୯୬୦ ଏବଂ ପରବର୍ତ୍ତୀ ସମୟରେ ରାଉରକେଲା ଇସ୍ପାତ କରଖାନା ପ୍ରତିଷ୍ଠା ପରେ ପରେ ରାଉରକେଲା ରେଳ ଷ୍ଟେସନର ଗୁରୁତ୍ୱ ବୃଦ୍ଧି ପାଇ ଏହା ‘କ’ ବା A ବର୍ଗ ରେଳ ଷ୍ଟେସନର ମାନ୍ୟତ ପାଇବା ଯୋଗୁଁ ତୁଳନାତ୍ମକଭାବେ ଏହି ଷ୍ଟେସନର ଗୁରୁତ୍ୱ ଅଧିକ ହେବା ସହ ପାନପୋଷ ରେଳ ଷ୍ଟେସନ ପ୍ରତି ଧ୍ୟାନ ଦିଆଯାଇ ନଥିଲା।