ଜିଲ୍ଲା କଂଗ୍ରେସ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଆଲୋଚନା
1 min read
ରାଉରକେଲା ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଡ.ମିତ୍ରଭାନୁ ମହାପାତ୍ରଙ୍କୁ ସାକ୍ଷାତ କରି ସ୍ୱାଗତ କରିବା ସହିତ ଦାୟିତ୍ୱ ଗ୍ରହଣ ପରେ ସେ ନେଇଥିବା କିଛି ପଦକ୍ଷେପକୁ ସମର୍ଥନ ଜଣାଇଥିଲେ। ଏହି ଅବସରରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କୁ ଆଇନ୍ ଶୃଙ୍ଖଳା ସମ୍ପର୍କିତ ବିଭିନ୍ନ ସମସ୍ୟା ସମ୍ୱଳିତ ଏକ ସ୍ମାରକପତ୍ର ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦାନ କରାଯାଇଥିଲା। ଏହି ସ୍ମାରକପତ୍ରରେ ରାଉରକେଲାରେ ଚାଲିଥିବା ବେଆଇନ୍ ସଟ୍ଟା ଓ ଜୁଆ, କଣ୍ଟା, ଡ୍ରଗ୍ସ ଓ ମଦ କାରବାର ଯୋଗୁ କିପରି ବିଭିନ୍ନ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ଚୋରି ଇତ୍ୟାଦି ବୃଦ୍ଧି ପାଉଥିବା ସମ୍ପର୍କରେ ଉଲ୍ଲେଖ କରାଯାଇ ତୁରନ୍ତ ଏସବୁ ବେଆଇନ୍ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।
ଡ୍ରଗ୍ସ, ଗଞ୍ଜେଇ ଓ ଅବୈଧ ମଦ କାରବାର ରାଉରକେଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଥିବାରୁ ଏହାର ବିଲୋପ ପାଇଁ ପୋଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସାଧାରଣ ଲୋକଙ୍କର ପୋଲିସ୍ ଉପରେ ଆସ୍ଥା ଓ ବିଶ୍ୱାସକୁ ଅଧିକ ମଜବୁତ କରିବା ପାଇଁ ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ୍ ତରଫରୁ ଲୋକମଞ୍ଚ ଆୟୋଜନ କରାଯାଇ ଲୋକଙ୍କ ଠାରୁ ଆପତ୍ତି ଅଭିଯୋଗ ଶୁଣିବାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ରାଉରକେଲା ସହରାଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇ ଏ ଦିଗରେ ପୋଲିସ୍ ଓ ମହାନଗର ନିଗମ ପ୍ରଶାସନ ମିଳିତ ଭାବେ ରାସ୍ତାଘାଟକୁ ଜବରଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

ସେହିପରି ସହରର ବିଭିନ୍ନ ଛକରେ ଲାଗିଥିବା ଟ୍ରାଫିସ୍ ସିଗ୍ନାଲ୍ଗୁଡ଼ିକୁ ଠିକ୍ ଭାବେ ପରିଚାଳନା ଅଭାବରୁ ଗାଡି ଚାଳକମାନେ ବିଭ୍ରାନ୍ତ ହେଉଛନ୍ତି ବୋଲି କୁହାଯାଇ ଏହାର ସୁପରିଚାଳନା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି। ସହର ଭିତରେ ଦୁଇ ଚକିଆ ଓ ଚାରି ଚକିଆ ଗାଡିଚାଳକଙ୍କ ଦ୍ରୁତ ଗାଡିଚାଳନା ଉପରେ ଅଙ୍କୁଶ ଲଗାଇବା ତଥା ପ୍ରେସର ହର୍ଣ୍ଣ ବଜାଇବାକୁ ନିଷିଦ୍ଧ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏହି ଅବସରରେ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଛନ୍ତି। ମୋ’ ବସ୍, ଅଟୋ ଓ ଅନ୍ୟାନ୍ୟ ଲାଇନ୍ ବସଗୁଡିକ ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ସହରର ମଧ୍ୟରେ ମନଇଚ୍ଛା ବିଭିନ୍ନ ସ୍ଥାନରେ ଗାଡି ନ ରଖି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହଣୀ ସ୍ଥଳରେ ଗାଡି ରଖିବା ପାଇଁ ନିଦ୍ଦେର୍ଶନାମା ଜାରି କରିବାକୁ ଉକ୍ତ ସ୍ମାରକପତ୍ରରେ ପ୍ରସ୍ତାବ ଦିଆଯାଇଛି। ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାପାତ୍ର ସମସ୍ତ ପ୍ରସଙ୍ଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ ତରଫରୁ କୁହାଯାଇଛି।

ଜିଲ୍ଲା କଂଗ୍ରେସର ଅନ୍ତରୀଣ ସଭାପତି ଦେବବ୍ରତ ବିହାରୀଙ୍କ ସମେତ ପିସିସି ସାଧାରଣ ସମ୍ପାଦକ ତଥା ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ବିରେନ ସେନାପତି, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ରବି ରାୟ, ପିସିସି ସଭ୍ୟ ସବୀର ହୁସେନ, ପ୍ରଭାତୀ ମିଶ୍ର ଓ ରାଜେଶ ଟେପ୍ପା, ପୂର୍ବତନ ପିସିସି ସମ୍ପାଦକ ଗଣେଶ ପ୍ରଧାନ, ଓବିସି ରାଷ୍ଟ୍ରୀୟ ସହସଂଯୋଜକ କୈଳାସ ସାହୁ, ପିସିସି ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଡିସିସି ମୁଖପାତ୍ର ଇଂ.ଆର୍.ପି. ସିଂହ, ଉପସଭାପତି କୀର୍ତ୍ତନ ଦାସ, ବ୍ଲକ୍ ସଭାପତି ପ୍ରଦ୍ୟୁମ୍ନ ଷଡଙ୍ଗୀ, ବିଜୟ ଆପଟ ଓ ରଘୁନାଥ ଦାସ, ସଂଖ୍ୟାଲଘୁ ଅଧ୍ୟକ୍ଷ ଇଜାଜ ଅଖତର, ଜିଲ୍ଲା କଂଗ୍ରେସର କାର୍ଯ୍ୟନିର୍ବାହୀ ଭାସ୍କର ଖିଲ୍ଲାର, ଯୁବ ଉପସଭାପତି ପ୍ରଦୀପ ବେହେରା, ଡିସିସି ପୂର୍ବତନ ସାଧାରଣ ସମ୍ପାଦକ ଗୀତା ସିଂହ, ଏସ୍ସି ସେଲ୍ ଆଦେଶ ସୁନା ଓ ବଳରାମ ସୁନା, ଯୁବ ନେତା ଶିବୁ ଦୀପ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।