ମୁମ୍ବାଇ – ହାଓଡ଼ା ରେଳ ରାସ୍ତାର ସିନ୍ନି-ଆଦିତ୍ୟପୁର ମଧ୍ୟରେ ଗୋଟିଏ ଲାଇନ୍ରେ ତିନୋଟି ଟ୍ରେନ୍
1 min read
ବୁଧବାର ଅପରାହ୍ଣରେ ମୁମ୍ବାଇ- ହାଓଡ଼ା ମୁଖ୍ୟ ରେଳ ରାସ୍ତାର ସିନ୍ନି – ଆଦିତ୍ୟପୁର ରେଳ ଷ୍ଟେସନ ମଧ୍ୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ରେଳ ରାସ୍ତାର ଅପ୍ ଲାଇନ୍ରେ ଗୋଟିଏ ଟ୍ରାକ୍ରେ ପ୍ରାୟ ୫୦ ରୁ ୧୦୦ ମିତର ବ୍ୟବଧାନ ମଧ୍ୟରେ ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ, ରାଉରକେଲା ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ସମେତ ଏକ ମାଲଗାଡ଼ି ଠିଆହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରେଳ ଯାତ୍ରୀମାନେ ଆଶଙ୍କା ମଧ୍ୟରେ ରହିଥିବା କହିଛନ୍ତି କିଛି ଯାତ୍ରୀ। ଯଦିଓ ନିକଟରେ ଭାରତୀୟ ରେଳବାଇ ପକ୍ଷରୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଗୋଟିଏ ରେଳ ଲାଇନ୍ରେ ଏକାଧିକ ରେଳ ରହିବାର ବ୍ୟବସ୍ଥା କରାଯାଇଛି, କିନ୍ତୁ ଏ ନେଇ ଆବଶ୍ୟକ ସୂଚନା ଓ ସଚେତନତା ସୃଷ୍ଟି ହୋଇନାହିଁ।

ଏହା ସହିତ ଏହି ବ୍ୟବସ୍ଥା ସମସ୍ତ ରେଳ ରାସ୍ତାରେ ମଧ୍ୟ ହୋଇନାହିଁ। ଏଭଳି ସ୍ଥିତିରେ ଦୁଇଟି ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ସମେତ ଗୋଟିଏ ମାଲ୍ଗାଡ଼ି ଗୋଟିଏ ରେଳ ରାସ୍ତାରେ ଅଳ୍ପ ବ୍ୟବଧାନରେ ଦେଖିବା ପରେ ରେଳ ଯାତ୍ରୀ ଆଶଙ୍କାରେ ରହିବା ସ୍ୱଭାବିକ। ଏ ନେଇ ରେଳ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି। ଶେଷ ସୂଚନା ମୁତାବକ ଏହି ସମସ୍ୟାକୁ ନେଇ ଦୁଇଟିଯାକ ଯାତ୍ରୀବାହୀ ଟ୍ରେନ୍ ଏହି ରାସ୍ତାରେ ପ୍ରାୟ ଦୁଇଘଣ୍ଟାରୁ ଅଧିକ ଧରି ଅଟକି ରହିଥିଲା। ରେଳବାଇ ଅଧିକାରି ଓ କର୍ମଚାରୀଙ୍କ ସୂଚନା ମୁତାବକ ଏହି ରାସ୍ତାରେ ରହିଥିବା ଗାଡ଼ିର ଯାତ୍ରା ସ୍ୱଭାବିକ ହେବା ପାଇଁ ଆହୁରି କିଛି ସମୟ ଲାଗିପାରେ।