ଦେଶାତ୍ମବୋଧ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ
1 min read
ଦେଶାତ୍ମବୋଧ ଆନନ୍ଦ ଉଲ୍ଲାସର ପରିବେଶ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅଗଷ୍ଟ ୧୫ ତାରିଖରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ସେକ୍ଟର ୬ ଇସ୍ପାତ ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ କରିବା ସହ ଜ୍ଞାନଜ୍ଯୋତି ପବ୍ଲିକ ସ୍କୁଲ ବିଦ୍ୟାର୍ଥୀଙ୍କ ବ୍ୟାଣ୍ଡର ତାଳେତାଳେ ୬୮ ଟି କଣ୍ଟିଜେଣ୍ଟଙ୍କ ଚିତ୍ତାକର୍ଷକ ମାର୍ଚ୍ଚ ପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ସିଆଇଏସଏଫର ଡ଼ିଆଇଜି ରତନ କୁମାର ଏହି ଅବସରରେ ତାଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ। ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଉତ୍ସବରେ ଜାତୀୟ ସଙ୍ଗୀତ ଗାନର ନେତୃତ୍ୱ ନେଇଥିଲେ।

୭୮ତମ ସ୍ଵାଧୀନତା ଦିବସର ଅବସରରେ, ଏହି ପବିତ୍ର ଦିବସର ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଅତନୁ ଭୌମିକ କହିଥିଲେ ଯେ, “ଆମ ଦେଶର ସ୍ଵାଧୀନତା କେବଳ ରାଜନୈତିକ ପରିବର୍ତ୍ତନ ନୁହେଁ ବରଂ ଏହା ଏକ ଧ୍ଯେୟର ଉତ୍ପତ୍ତି ଅଟେ – ପ୍ରଗତିର, ଆତ୍ମନିର୍ଭରଶୀଳତାର ଏବଂ ସମୃଦ୍ଧିର। ରାଉରକେଲା ଇସ୍ପାତ କାରଖାନାରେ ଆମେ ଉତ୍କର୍ଷତା ଏବଂ ନୂତନତ୍ୱ ପ୍ରତି ଆମର ପ୍ରତିବଦ୍ଧତା ମାଧ୍ୟମରେ ଏହି ଧ୍ଯେୟର ଆତ୍ମପ୍ରକାଶ କରିଥାଉ। ସ୍ଥାପନା ଦିନରୁ ଆମର ଇସ୍ପାତ କାରଖାନା ଶିଳ୍ପ ଅଭିବୃଦ୍ଧିର ମୂଳଦୁଆ ରହିଆସିଛି ଏବଂ ଇସ୍ପାତ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ତଥା ‘ଆତ୍ମନିର୍ଭର ଭାରତ’ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଭାରତର ଯାତ୍ରାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।

ଆମେ ଉତ୍ପାଦନ କରୁଥିବା ଇସ୍ପାତ କେବଳ ଏକ ବସ୍ତୁ ନୁହେଁ; ବରଂ ଏହା ଆମ ଦେଶର ଭିତ୍ତିଭୂମିର ମୂଳଦୁଆ, ଶକ୍ତି, ସ୍ଥିରତା ଏବଂ ପ୍ରଗତିର ପ୍ରତୀକ ଅଟେ।” ବିକଶିତ ଭାରତ ଗଠନର ସ୍ଵପ୍ନ ସାକାର କରିବା ଦିଗରେ ଯୋଗଦାନର ପ୍ରତିବଦ୍ଧତାକୁ ଦୋହରାଇ ଭାରପ୍ରାପ୍ତ ନିର୍ଦ୍ଦେଶକ ଆରଏସପିର ଉତ୍ପାଦନ, ପରିବେଶ ପ୍ରବନ୍ଧନ, ସୁରକ୍ଷା, ମାନବ ସମ୍ବଳ, ଯୋଗାଯୋଗ, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ। “ଏକ ବିକଶିତ ଭାରତର ଏହି ଉଚ୍ଚାଭିଳାଷୀ ଭିଜନ ଆମ ପ୍ରତ୍ୟେକ ପ୍ରୟାସରେ ଉତ୍କର୍ଷତା ପ୍ରତିପାଦନ ପାଇଁ ପ୍ରଚେଷ୍ଟା କରିବାକୁ ଆମକୁ ଅନୁପ୍ରେରିତ କରେ। ଗତ ବର୍ଷ, ଆରଏସପି ଉତ୍ପାଦନ ଏବଂ ଚାଲାଣ କ୍ଷେତ୍ରରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଥିଲା। ଆରଏସପି ଉତ୍ତପ୍ତ ଧାତୁ, ଅଶୋଧିତ ଇସ୍ପାତ ଏବଂ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଏହାର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଥିଲା ଏବଂ ଏହାର ଇତିହାସରେ ପ୍ରଥମ ଥର ପାଇଁ ୪ ନିୟୁତ ଟନ୍ ବିକ୍ରୟ ଯୋଗ୍ୟ ଇସ୍ପାତ ଉତ୍ପାଦନ ଅତିକ୍ରମ କରିଥିଲା,” ବୋଲି ସେ ଉଲ୍ଲେଖ କରିଥିଲେ।

ଡିଆଇସି ମଧ୍ୟ ସୁରକ୍ଷା ଓ ପରିବେଶ ଜନିତ ପ୍ରୟାସ ଗୁଡିକ ବିଷୟରେ ତଥା ପ୍ରତ୍ଯେକ ପଣଧାରୀଙ୍କ ସହ ଆରଏସପିର ଦୃଢ ସମ୍ପର୍କ ରକ୍ଷାର ବିଶ୍ବାସ ଉପରେ ମତବ୍ୟକ୍ତ କରିଥିଲେ। କର୍ମଚାରୀ ଏବଂ ଇସ୍ପାତ ସହର ବାସିନ୍ଦା ତଥା ପ୍ରତିବେଶୀ ପାର୍ଶ୍ଵାଞ୍ଚଳ ଜନସାଧାରଣଙ୍କ ଜୀବନଧାରଣ ମାନରେ ଅଧିକ ଉନ୍ନତି ଆଣିବା ନିମନ୍ତେ ସହରାଞ୍ଚଳର ପ୍ରତ୍ୟେକ ବିଭାଗର ଯୋଗଦାନ ବିଷୟରେ ମଧ୍ୟ ଡ଼ିଆଇସି ଆଲୋକପାତ କରିଥିଲେ। ନିଜର ବକ୍ତବ୍ୟ ଶେଷରେ ଡ଼ିଆଇସି କହିଥିଲେ ଯେ, “ଅନେକ ଦଶନ୍ଧି ଧରି, ଆମେ ଦେଶକୁ ମଜବୁତ କରିବାରେ ଆମର ସର୍ବଶ୍ରେଷ୍ଠ ଅବଦାନ ଦେଇଆସୁଛୁ। ଆସନ୍ତୁ, ଏହି ଅମୃତ କାଳରେ ପ୍ରତ୍ୟେକ ଦିନ, ପ୍ରତ୍ଯେକ ଘଣ୍ଟା, ଏବଂ ପ୍ରତ୍ଯେକ ମିନିଟରେ ଆମର ପ୍ରଦର୍ଶନର ସୀମାକୁ ପୁନଃନିର୍ଣ୍ଣୟ କରିବାକୁ ପ୍ରତିବଦ୍ଧ ହେବା, ଯାହା ଆମକୁ ଭାରତୀୟ ସ୍ଵାଧୀନତାର ଶତବାର୍ଷିକୀକୁ ଅସୀମ ଗର୍ବ ଏବଂ ଉପଲବ୍ଧି ସହକାରେ ଅଗ୍ରସର କରାଇବ ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟକୁ ସାକାର କରିବ।। ” ଏହି ଅବସରରେ ଡ଼ିଆଇସି ଉଦାହରଣୀୟ ସେବା ପାଇଁ ସିଆଇଏସଏଫ କର୍ମୀଙ୍କୁ ସେବା ମେଡାଲ ପ୍ରଦାନ କରିଥିଲେ । ପରେପରେ ସେ ସମ୍ମାନଜନକ ଆରଏସପି ଗୌରବ ସମ୍ମାନ, ନେହେରୁ ବିଶିଷ୍ଟ କର୍ମଚାରୀ ପୁରସ୍କାର ତଥା ଶ୍ରେଷ୍ଠ କଣ୍ଟିଜେଣ୍ଟ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ସୀମା ଦେବ ଭୌମିକ, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏସ ଆର ସୂର୍ଯ୍ୟବଂଶୀ, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଆଲୋକ ବର୍ମା, ବିତ୍ତ ଓ ଲେଖା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏ କେ ବେହୁରିଆ, ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ହର୍ଷଲା ସୂର୍ଯ୍ୟବଂଶୀ, ପ୍ରଭାତୀ ମିଶ୍ର, ନମ୍ରତା ବର୍ମା, ରୀତା ବେହୁରିଆ, ଆରଏସପିର ବହୁ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
କୋଲ୍ଡ ରୋଲିଙ୍ଗ ମିଲ ବିଭାଗର ସିନିୟର ଟେକନିସିଆନ, ଅନିଲ କୁମାର ମଲ୍ଲିକ ଏବଂ ସୁଶ୍ରୀ ଆକାଂକ୍ଷା ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁରୂପ ଭାବେ ସେକ୍ଟର ୨୨ ଫୁଟବଲ ପଡିଆରେ ଆୟୋଜିତ ସ୍ଵାଧୀନତା ଦିବସ ଉତ୍ସବରେ ଶ୍ରୀ ଭୌମିକ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ କରିବା ସହ ଚିତ୍ତାକର୍ଷକ ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ସେ, ଶ୍ରେଷ୍ଠ ପ୍ୟାରେଡ ପ୍ରଦର୍ଶନକାରୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ଉତ୍ସବରେ ଜ୍ଞାନ ନିକେତନ ବିଦ୍ୟାଳୟକୁ ଡ଼ିଆଇସି ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ଯାହା ୧୦ ହଜାର ଟଙ୍କାର ପୁରସ୍କାର ରାଶି ବହନ କରୁଛି।

ଆରଏସପିର ଓଡିଶା ଗ୍ରୁପ୍ ଅଫ୍ ମାଇନ୍ସ ଦ୍ୱାରା ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବୋଲାଣି ଲୌହ ଖଣିର ସିଜିଏମ ଶ୍ରୀ ଜୟଦେବ ଚାଟ୍ଟୋପାଧ୍ୟାୟ ବୋଲାଣି ଫୁଟବଲ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ବିଆଇଏମ, କେଆଇଏମ ଓ ଟିଆଇଏମର ଜିଏମ୍ ଇନ୍-ଚାର୍ଜ ଶ୍ରୀ ତିଲକ ପଟ୍ଟନାୟକ ଟେନସା ଇସ୍ପାତ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ଅନ୍ୟ ଏକ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ। ଏହି ଉତ୍ସବ ପାଳନ ଉପଲକ୍ଷେ ବୋଲାଣି ହସ୍ପିଟାଲରେ ଏକ ଫଳ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ଦୀପିକା ମହିଳା ଜାଗୃତି ସଂସ୍ଥାନ ସେକ୍ଟର ୨ ଠାରେ ଅନୁଷ୍ଠିତ ଅନ୍ୟ ଏକ ଉତ୍ସବରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ସୀମା ଦେବ ଭୌମିକ ସମସ୍ତ ଉପାଧ୍ୟକ୍ଷା, ସମ୍ପାଦିକା, ପରିଚାଳନା ପରିଷଦ ସଦସ୍ୟା ଏବଂ ସ୍ଵେଚ୍ଛାସେବୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।