ଭୁବନେଶ୍ୱର ବିମାନ ବନ୍ଦର ଠାରେ ଅଲିମ୍ପିଆନ ଅମିତ ରୋହିଦାସଙ୍କୁ ଭବ୍ୟ ସ୍ୱାଗତ

1 min read
Spread the love

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଦଳର କ୍ରୀଡ଼ାବିତ୍‌ ତଥା ଓଡ଼ିଶାର ହକି ତାରକା ଅମିତ ରୋହିଦାସଙ୍କୁ ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ଭବ୍ୟ ସ୍ୱାଗତ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ସକାଳେ ଅମିତ ନୂଆଦିଲ୍ଲୀରୁ ବିମାନଯୋଗେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଂଚିଥିଲେ। ଏହି ଅବସରରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀ, ଓଡ଼ିଶା ହକି ଆସୋସିଏସନ୍‌ର କର୍ମକର୍ତ୍ତା ଓ ଅନେକ ପ୍ରଶଂସକମାନେ ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ନିଜର ପ୍ରତିକ୍ରିୟାରେ ଅମିତ ଓଡ଼ିଶା ସରକାର ଓ ନିଜର ସମସ୍ତ ପ୍ରସଂଶକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେ କହିଥିଲେ ଯେ, ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଏହି ବିଜୟ ଆମ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ହକିକୁ ବିଶ୍ୱସ୍ତରରେ ପହଞ୍ଚାଇବା ତଥା ହକି କ୍ରୀଡ଼ାବିତ୍‌ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ସହଯୋଗ ପ୍ରଦାନ କରି ଆସୁଛନ୍ତି। ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକିଦଳ ଜିତିଥିବା ଏହି କାଂସ୍ୟ ପଦକ ଅନେକ ଯୁବ କ୍ରୀଡାବିତ୍‌ ମାନଙ୍କୁ ନିଶ୍ଚିତ ରୂପେ ପ୍ରେରଣା ଯୋଗାଇବ। ସେମାନେ କଠିନ ପରିଶ୍ରମ କରି ନିଜପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ନିର୍ମାଣ କରିବା ସହ ଦେଶ ଓ ରାଜ୍ୟ ପାଇଁ ନିଶ୍ଚିତ ରୂପେ ଗୌରବ ଅର୍ଜନ କରିବେ ଏହା ହିଁ ମୋର ଆଶା ଓ ବିଶ୍ଵାସ। ଏହାପରେ ଅମିତ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ଠାରେ ପହଂଚି କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶାରେ ହକିର ବିକାଶ ତଥା ଓଡ଼ିଶାର କ୍ରୀଡାବିତ୍‌ମାନେ ଆନ୍ତର୍ଜାତୀୟ ସ୍ତରରେ ଯେପରି ଭଲ ପ୍ରଦର୍ଶନ କରିପାରିବେ ସେ ନେଇ ସେ ଶ୍ରୀ ଶର୍ମାଙ୍କ ସହ ଆଲୋଚନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ‘ହକିର ଗଡ଼’ ଭାବେ ପରିଚିତ ଗାଁ ସଉନାମରା ରେ ଅମିତ ରୋହିଦାସଙ୍କ ଜନ୍ମ। ନିଜର ଗାଁ ମାଟିରୁ ସେ ହକି ଖେଳ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲରେ ଯୋଗଦେଇଥିଲେ। ସେହିଠାରୁ ହିଁ ସେ ହକି ଜଗତରେ ନିଜର ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରିଥିଲେ। ଭାରତୀୟ ହକି ଦଳର ଏକ ସୁଦୃଢ କ୍ରୀଡ଼ାବିତ୍‌ ଭାବେ ସେ ଭାରତୀୟ ହକିଟିମ୍‌କୁ ଟୋକିଓ ଅଲମ୍ପିକ୍ସ- ୨୦୨୦ରେ କାଂସ୍ୟପଦକ ଜିତାଇଥିଲେ। ୨୦୨୪ ପ୍ୟାରିସ ଅଲମ୍ପିକ୍ସରେ ମଧ୍ୟ ଅମିତ ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଅଲମ୍ପିକ୍ସରେ ହୋଇଥିବା ମ୍ୟାଚ୍‌ରେ ସେ ସ୍ପେନକୁ ହରାଇ ଭାରତ ପାଇଁ କାଂସ୍ୟ ପଦକ ହାସଲ କରିଛନ୍ତି। ସେ ଓଡ଼ିଶାର ଏକମାତ୍ର ହକି ଖେଳାଳି ଯେ କି ଲଗାତାର ଦୁଇଥର ଭାବେ ଭାରତୀୟ ଦଳକୁ ଅଲମ୍ପିକ୍ସରେ କାଂସ୍ୟପଦକ ଜିତାଇବାରେ ସାହାଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!