ବିଶ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ତ୍ରୟୋଦଶ ଜାତୀୟ ଉପକନିଷ୍ଠ ବାଳିକା ପ୍ରତିଯୋଗିତା ଉଦ୍‌ଘାଟିତ

1 min read
Spread the love

ରାଉରକେଲା ସହରରେ ଚଳିତ ବର୍ଷ ଆରମ୍ଭରେ ଉଦ୍‌ଘାଟିତ ହୋଇଥିବା ବହୁ ଚର୍ଚ୍ଚିତ ବିଶ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଗୁରୁବାର ଆରମ୍ଭ ହୋଇଛି ତ୍ରୟୋଦଶ ଜାତୀୟ ଉପକନିଷ୍ଠ ବାଳିକା ଚମ୍ପିୟାନସିପ୍‌ ପ୍ରତିଯୋଗିତା୤ ଏହି ପ୍ରତିଯୋଗିତା ଗୁରୁବାର ବିଧିବଦ୍ଧ ଆରମ୍ଭ ହୋଇଥିଲାବେଳେ ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ୤ ଏଥିରେ ସାରା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦଳ ସମେତ ମୋଟ ୨୮ଟି ଦଳ ୮ଟି ବିଭାଗ ବା ପୁଲ୍‌ରେ ଭାଗ ନେଇଛନ୍ତି୤ ପ୍ରଥମ ୪ଟି ପୁଲରେ ୩ଟି ଲେଖା ମୋଟ ୧୨ ଟି ଦଲ ରହିଥିଲାବେଳେ ଦ୍ବିତୀୟ ୪ଟି ପୁଲ୍‌ରେ ୪ଟି ଲେଖା ଦଳ ଅର୍ଥାତ୍‌ ମୋଟ ୧୬ଟି ଦଳ ରହିଛନ୍ତି୤ ଗୁରୁବାର ସନ୍ଧ୍ୟାରେ ଏହି ଚମ୍ପିୟାନ୍‌ସିପ୍‌ର ଉଦ୍‌ଘାଟନୀ ଅବସରରେ ଅତିଥିଭାବେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର, ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋଙ୍କ ସମେତ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନାଙ୍କ ଓଡ଼ିଶା ହକି ସଂଘର ସମ୍ପାଦକ ସନାତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ୤ ଗୁରୁବାର ମୋଟ ୪ଟି ମ୍ୟାଚ୍‌ ଖେଳାଯାଇଛି୤

ଏଥିରେ ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ର ଖେଳ ୩-୩ ଗୋଲ୍‌ରେ ଟଇ ହୋଇଥିଲାବେଳେ ମଣିପୁର ଦଳ ଗୁଜରାଟକୁ ୩-୦ ଗୋଲ୍‌ରେ ପରାସ୍ତ କରିଛି୤ ସେହିଭଳି ଛଣ୍ଡିଗଡ଼ ଦଳ ଗୋଆ କୁ ୨୫ – ୦ ଗୋଲ୍‌ରେ ପରାସ୍ତ କରିଥିଲାବେଳେ ଓଡ଼ିଶା ଦଳ କେରଳକୁ ୨୦-୦ ଗୋଲ୍‌ରେ ହରାଇଛି୤ ଏହି ଚମ୍ପିଆନସିପ୍‌ର କ୍ବାର୍ଟର ଫାଇନାଲ୍‌ ଖେଳ ୧୧ ତାରିଖରେ , ସେମିଫାଇନାଲ୍‌ ୧୩ ତାରିଖରେ ଓ ଫାଇନାଲ୍‌ ଖେଳ ୧୪ ତାରିଖରେ ଅନିଷ୍ଠିତ ହେବ୤ ସବୁଠାରୁ ବଡ଼ କଥା ହେଉଛି ଏହି ଚମ୍ପିଆନସିପ୍‌ର ବିଭିନ୍ନ ଖେଳ ଦେଖିବା ପାଇଁ ହକି ପ୍ରେମୀମାନଙ୍କୁ କୌଣସି ଟିକେଟ୍‌ କରିବାକୁ ପଡ଼ିବ ନାହିଁ୤ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ଦୁଇତି ଲେଖା ଖେଳ ହେବ ବୋଲି ସୂଚନା ମିଳିଛି୤ ବିଶ୍ବ କପ୍‌ ହକି ସମୟରେ ବିଶ୍ରା ମୁଣ୍ଡା ହକି ଷ୍ଟାଡିୟମ୍‌ ଓ ଖେଳ ଦେଖିବାକୁ ବଞ୍ଚିତ ଖେଳ ପ୍ରେମୀମାନେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିନା କୌଣସି ଟିକେଟ୍‌ରେ ଷ୍ଟାଡିୟମ୍‌ରେ ଖେଳ ଦେଖିବାକୁ ଯାଇପାରିବେ ବୋଲି ସୂଚନା ଦିଆଯାଇଛି୤ ଏହା ସହିତ ବହୁ ଚର୍ଚ୍ଚିତ ବିସ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଆଉଥରେ ଆରମ୍ଭ ହୋଇଛି ହକି ଖେଳ୤

Leave a Reply

Your email address will not be published. Required fields are marked *

error: Content is protected !!