ଓଡ଼ିଶାରେ ହେବ ମେଟ୍ରୋ ରେଳ ପ୍ରକଳ୍ପ
1 min read
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ମହାନ ଜନନାୟକ ବିଜୁବାବୁ ଚାହୁଁଥିଲେ ଏକ ସଶକ୍ତ ଓଡ଼ିଶା। ସେହି ଦିଗରେ ମେଟ୍ରୋ ରେଳ ପ୍ରକଳ୍ପ ଏକ ବହୁତ ବଡ଼ ପଦକ୍ଷେପ ହେବ। ଏହା ଏକ ସଶକ୍ତ ଓ ନୂଆ ଓଡ଼ିଶା ପାଇଁ ଭିତ୍ତି ପକାଇବ। ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ରୋଲ ମଡେଲ ସାଜିଛି। ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ, କ୍ରୀଡ଼ା, ବିଶ୍ବସ୍ତରୀୟ ଦକ୍ଷତା କାର୍ଯ୍ୟକ୍ରମ, ଭିତ୍ତିଭୂମି ପାଇଁ ସୁନାମ ଆଣିଛି। ରାଜ୍ୟ ସରକାର ଏବେ ଭୁବନେଶ୍ବରରୁ, କଟକ, ପୁରୀ ଓ ଖୋର୍ଦ୍ଧାକୁ ମେଟ୍ରୋ ରେଳ ପ୍ରକଳ୍ପ ସଂଯୋଗୀକରଣ ପାଇଁ ଆଗେଇଛନ୍ତି। ଏହି ପ୍ରକଳ୍ପର ଡିପିଆର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେବ। ଏଥି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଲିଭେଟେଡ ପ୍ରସ୍ତାବ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ। ଏହି ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ବସ୍ତରୀୟ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କଟକରୁ ଭୁବନେଶ୍ବରକୁ ସଂଯୋଗ କରିବ। ପରେ ଏହା ପୁରୀ ଓ ଖୋର୍ଦ୍ଧାକୁ ସଂପ୍ରସାରିତ ହେବ। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟ ତ୍ରିଶୁଳିଆ ଠାରୁ ବିଜୁପଟ୍ଟନାୟକ ବିମାନବନ୍ଦର ପର୍ଯ୍ୟନ୍ତ ସଂପ୍ରସାରିତ ହେବ। ମେଟ୍ରୋ ରେଳ ପ୍ରକଳ୍ପ ତ୍ରିଶୁଳିଆଠାରୁ ବିମାନବନ୍ଦର ମଧ୍ୟରେ ନନ୍ଦନକାନନ, ପଟିଆ, ବାଣୀବିହାର, ମୁଖ୍ୟ ରେଳଷ୍ଟେସନକୁ ସଂଯୋଗ କରିବ। ସେହିଭଳି ଏହି ପ୍ରକଳ୍ପ କଟକର ମୁଖ୍ୟ ସ୍ଥାନଗୁଡ଼ିକୁ ସଂଯୋଗ କରିବ। ମେଟ୍ରୋ ରେଳ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖ ଠାରୁ ଆରମ୍ଭ ହୋଇପାରେ। ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିସନର, ଅନୁ ଗର୍ଗ ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ପରିବହନ ସଚିବ ଉଷା ପାଢୀ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥ୍ୟୁ ଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ। କେଉଁ କେଉଁ ରୁଟ୍ ଦେଇ ମେଟ୍ରୋ ଟ୍ରେନ୍ ଯିବ, ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଓ ସମସ୍ତ ଦିଗ ଉପରେ ସମୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।