ଚକ୍ରଧରପୁର ରେଳ ମଣ୍ଡଳରେ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ: ଡବା ଉପରେ ଚଢ଼ିଗଲା ଡବା
1 min read
ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ରେଳ ମଣ୍ଡଳର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଡାଙ୍ଗୁଆପୋଷିଠାରେ ଏକ ମାଲଗାଡ଼ି ଟ୍ରେନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ମଙ୍ଗଳବାର ସକାଳ ପ୍ରାୟ ୧୦ଟା ୩୦ ସମୟରେ ଏହି ଘଟଣା ଘଟିଥିଲା। ପ୍ରାଥମିକ ସୂଚନା ମୁତାବକ ଡାଙ୍ଗୁଆପୋଷି ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳୁ ସକାଳୁ ପ୍ରବଳ ବର୍ଷା ହେଉଥିଲା। ଏଥିପାଇଁ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ଦୁର୍ଘଟଣା ଯୋଗୁଁ କିଛି ଡବା ଅନ୍ୟ କିଛି ଡବା ଉପରେ ଚଢ଼ିଯାଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଚକ୍ରଧରପୁର ରେଳ ମଣ୍ଡଳରୁ ସ୍ୱତନ୍ତ୍ର କ୍ରେନ ଘଟଣାସ୍ଥଳରେ ପହଞ୍ଚି ରେଳଲାଇନରେ ପଡ଼ିଥିବା ରେଳ ଡବାଗୁଡ଼ିକୁ ଉଠାଇବା କାର୍ଯ୍ୟ କରିଛି।

ଦୁର୍ଘଟଣା ସମ୍ପର୍କରେ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ଯୋଗୁଁ ଡାଙ୍ଗୁଆପୋଷି ରାସ୍ତାକୁ ଯୋଡୁଥିବା ରେଳ ଲାଇନ୍ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।