ରାଉରକେଲା ବିସ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଜାତୀୟ କନିଷ୍ଠ ବାଳିକା ହକିର ଦ୍ୱିତୀୟ ଦିନରେ ଗୋଲ୍‌ ବର୍ଷା

1 min read
Spread the love

ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୧୩ତମ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଗୋଲ୍‌ ବର୍ଷା ଜାରି ରହିଛି। ଯଦିଓ ସହରରେ ଅପରାହ୍ଣ ପରଠାରୁ ବର୍ଷା ପ୍ରାୟତଃ ବନ୍ଦ ହୋଇ ପାଗ ଶୁଖିଲା ହୋଇଛି କିନ୍ତୁ ଷ୍ଟାଡିୟମ୍‌ରେ ଗୋଲ୍‌ ବର୍ଷା ଜାରି ରହିଛି।

ଏହି କ୍ରମରେ ଦ୍ୱିତୀୟ ଦିନର ପ୍ରଥମ ଖେଳରେ ଉତ୍ତର ପ୍ରଦେଶ ଦଳ ଦାଦ୍ରା ନଗର ହାବେଳି ଓ ଡିଉ ଦଳକୁ ୧୮ -୦ ଗୋଲ୍‌ରେ ହରାଇ ବିଜୟୀ ହୋଇଛି। ଉତ୍ତର ପ୍ରଦେଶ ଦଳର ହିନା ବାନୋ ଓ ଖୁସି ରାଠୋର ୫ଟି ଲେଖା ଗୋଲ୍‌ ଦେଇଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ଛତିଶଗଡ଼ ଦଳ ବିହାର କୁ ଏକତରଫା ୧୯-୦ ଗୋଲ୍‌ରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ଖେଳରେ ଛତିଶଗଡ଼ ପକ୍ଷରୁ ଗୀତା ୟାଦବ ସର୍ବାଧିକ ୫ ଗୋଲ୍‌ ଓ ଅଞ୍ଚଳ ସାହୁ ୩ଟି ଗୋଲ୍‌ ଦେଇଥିଲେ।  

ଦ୍ୱିତୀୟ ଦିନର ତୃତୀୟ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥିଲା। ଏଥିରେ ଦିଲ୍ଲୀ ଦଳ କେରଳକୁ ୩-୨ ଗୋଲ୍‌ରେ ହରାଇଛି। ଦିଲ୍ଲୀ ଦଳର ଅଂଶିକା ଦୁଇଟି ଗୋଲ୍‌ ଦେଇଥିଲାବେଳେ କେରଳ ଦଲର ଅଂଶା ଯୋସେଫ ଦୁଇଟି ଗୋଲ୍‌ ଦେଇଥିଲେ। ଚତୁର୍ଥ ଖେଳରେ ପଞ୍ଜାବ ଦଳ ଗୋଆ କୁ ଏକତରଫାଭାବେ ୧୮- ୦ ଗୋଲ୍‌ରେ ହରାଇ ବିଜୟୀ ହୋଇଛି। ଏଥିରେ ପଞ୍ଜାବ ଦଳର ଜଶଦୀପ କାଉର ୪ଟି ଗୋଲ୍‌, ସୁଖଜିତ କୌର ଓ ପ୍ରିୟଙ୍କା ଡୋଗ୍ରା ୩ଟି ଲେଖାଏ ଗୋଲ୍‌ ଦେଇଛନ୍ତି।

ପଞ୍ଚମ ମ୍ୟାଚ୍‌ରେ ତେଲେଙ୍ଗାନା ଦଳକୁ ବେଙ୍ଗଲ ଦଳ ୧୬-୦ ଗୋଲ୍‌ରେ ଏକତରଫା ବିଜୟୀ ହୋଇଥିଲା।  ଏଥିରେ  ବେଙ୍ଗଳ ଦଳର ଅଧିନାୟିକା ସଞ୍ଜନା ହୋରୋ ୯ଟି ଓ ଶାନ୍ତି ହୋରୋ ୩ଟି ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ଦ୍ବିତୀୟ ଦିନର ଶେଷ ଖେଳ ଝାଡ଼ଖଣ୍ଡ ଓ ଆସାମ ମଧ୍ୟରେ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧ ବେଶ୍‌ ରୋମାଞ୍ଚକର ହୋଇଥିଲା । କାରଣ ପ୍ରଥମାର୍ଦ୍ଧ ଅର୍ଥାତ୍‌ ଖେଳର ୩୦ ମିନିଟ ଶେଷ ପର୍ଯ୍ୟନ୍ତ କୌଣସି ଦଳ ଗୋଲ୍‌ ଦେବାରେ ସଫଳ ହୋଇ ନଥିଲେ ।

ଦ୍ବିତୀୟାର୍ଦ୍ଧର ଝାଡଖଣ୍ଡ ଦଳ ୪ଟି ଗୋଲ୍‌ ଦେଇଥିଲା । ଏହା ମଧ୍ୟରୁ ପିଙ୍କି କୁମାରୀ ଦୁଇଟି ଗୋଲ୍‌ ଦେଇଥିଲେ । ଏହା ସହିତ ଝାଡ଼ଖଣ୍ଡ ଦଳ ୪-୦ ଗୋଲ୍‌ରେ ବିଜୟୀ ହୋଇଥିଲା । ଦ୍ବିତୀୟ ଦିନରେ ମୋଟ ୬ଟି ଖେଳରେ ମୋଟ ୮୦ଟି ଗୋଲ୍‌ ହୋଇଥିଲା । ଏହା ମଧ୍ୟରୁ ବିଜୟୀ ଦଳ ୭୮ଟି ଦଳ ଏବଂ ହାରିଥିବା ଦଳ ମୋଟ ୨ଟି ଗୋଲ୍‌ ଦେଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!