ରାଉରକେଲା ବିସ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଜାତୀୟ କନିଷ୍ଠ ବାଳିକା ହକି ଆରମ୍ଭ
1 min read
ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମଙ୍ଗଳବାରଠାରୁ ୧୩ତମ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ୬ଟି ମ୍ୟାଚ୍ ଖେଳାଯିବାକୁ ଥିଲା। ଏହା ମଧ୍ୟରୁ ପ୍ରଥମ ୪ଟି ମ୍ୟାଚ୍ ଏକତରଫା ହୋଇଥିବା ଦେଖିବାକୁ ମିଳିଛି। ପୁଲ୍ ଇ’ ଓ ପୁଲ୍ ଜି’ର ଦୁଇଟି ଲେଖାଏ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ରେ କର୍ଣ୍ଣାଟକ ୧୩-୧ ଗୋଲ୍ରେ ଜାମ୍ମୁ ଓ କାଶ୍ମୀରକୁ ପରାସ୍ତ କରିଥିଲା। ଏଥିରେ କର୍ଣ୍ଣାଟକ ଦଳର ପି ଜି ଦେଚାମ୍ମା ସର୍ବାଧିକ ୪ଟି ଗୋଲ୍ ଏବଂ ଏଚ ଭି ସୌମ୍ୟା ୩ଟି ଗୋଲ୍ ଦେଇଥିଲେ। ସେହିଭଳି ଦ୍ୱିତୀୟ ମ୍ୟାଚ୍ରେ ପୁଲ୍ ଇ’ରେ ଥିବା ମଧ୍ୟପ୍ରଦେଶ ଦଳ ପୁଡ଼ୁଚେରୀ ବିପକ୍ଷରେ ବୃହତ୍ ବିଜୟ ହାସଲକରି ଅଭିଯାନ ଆରମ୍ଭ କରିଥିଲା। ମଧ୍ୟ ପ୍ରଦେଶ ଦଳ ୨୫-୦ ଗୋଲ୍ରେ ପୁଦୁଚେରୀ ଦଲକୁ ପରାସ୍ତ କରିଛି। ମଧ୍ୟ ପ୍ରଦେଶ ଦଳର ଭୂମିକ୍ଷା ସାହୁ ସର୍ବାଧିକ ୭ଟି ଗୋଲ୍ ଓ ସୋନମ ୬ଟି ଗୋଲ୍ ଦେଇଥିଲେ। ଗୁରମାଲି କୌର ୪ଟି ଗୋଲ୍ ଦେଇଥିଲେ। ଉଦ୍ଘାଟନୀ ଦିନର ତୃତୀୟ ଖେଳରେ ଚଣ୍ଡିଗଡ଼ ୧୬-୦ ଗୋଲ୍ରେ ଗୁଜୁରାଟକୁ ହରାଇଛି। ଚଣ୍ଡିଗଡ଼ ଦଳର ମେଘା ସର୍ବାଧିକ ୭ଟି ଗୋଲ୍ ଦେଇଥିଲେ। ଦଳର ଅଧିନାୟିକ ଅଳକା ୫ଟି ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ଚତୁର୍ଥ ଖେଳ ରେ ମିଜୋରାମ ଦଳ ଉତ୍ତରାଖଣ୍ଡକୁ ୧୨-୦ ଗୋଲ୍ରେ ପରାସ୍ତ କରିଛି।
ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ ଓ ହିମାଚଳ ପ୍ରଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍କୁ ବାତିଲ କରିଦିଆଯାଇଛି। କାରଣ ନିର୍ଦ୍ଧାରିତ ସମୟ ସୁଦ୍ଧା ହିମାଚଳ ପ୍ରଦେଶ ଖେଳାଳୀ ପହଞ୍ଚିପାରି ନଥିଲେ। ସେହିଭଳି ଗୋଆ ଦଳ ପହଞ୍ଚିପାରିନଥିବାରୁ ମିଜୋରାମ ଓ ଗୋଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ମଧ୍ୟ ଖେଳାଯିବା ସମ୍ଭବ ହୋଇ ନଥିଲା।