Skip to content
ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ଦୌଡ଼କୁଡ଼ ପ୍ରତିଯୋଗିତାରେ ସୁନ୍ଦରଗଡ଼ ଖେଳାଳି ୨୭ ସ୍ଵର୍ଣ୍ଣ, ୨୦ ରୌପ୍ୟ ଓ ୧୭ କାଂସ୍ୟ ପଦକ ମୋଟ୍ ୬୪ଟି ପଦକ ହାସଲ କରି ରାଜ୍ୟ ଉପବିଜେତା ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ୪୯ ବାଳକ ଓ ୬୮ବାଳିକା ମୋଟ ୧୧୭ ଖେଳାଳିଙ୍କୁ ଚୟନ କରି ଟିମ୍ ମ୍ୟାନେଜର ପ୍ରଶାନ୍ତ କୁମାର ପଟେଲ ଓ ପ୍ରଶିକ୍ଷକ ନମିତା ଏକ୍କା, ପ୍ରିୟଙ୍କା ଏକ୍କା ଓ ସୁନୀଲ ଭୋଇଙ୍କ ନେତୃତ୍ୱରେ ପଠାଯାଇଥିଲା। ଗତ ୨୨ ତାରିଖରୁ ୨୫ ଯାଏ ଅନୁଷ୍ଠିତ ପ୍ରତିଯୋଗିତାର ପ୍ରଥମ ଦିନରୁ ହିଁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ସୁନ୍ଦରଗଡ଼ ଖେଳାଳି ସ୍ଵର୍ଣ୍ଣ ପଦକ ଜିତିବା ଆରମ୍ଭ କରିଥିଲେ। ଚାରି ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ର ୧୮ ବର୍ଷରୁ କମ୍ ବାଳିକା ୧୮ ପଦକ ଏବଂ ୨୦ ବର୍ଷରୁ କମ୍ ବାଳିକା ୧୦ ପଦକ ପାଇ ଗୋଷ୍ଠୀଗତ ଚାମ୍ପିଅନ ହୋଇ ସୁନ୍ଦରଗଡ଼ କ୍ରୀଡ଼ା ଦିଗନ୍ତରେ ଏକ ନୂଆ ଚମକ ବୁଣିଥିଲେ। ସେହିପରି ୧୬ ବର୍ଷରୁ କମ୍ ବାଳକ ବର୍ଗରେ ମଙ୍ଗଳ ସିଙ୍କୁ ୮୦ ମିଟର ହର୍ଡଲସରେ, ୧୬ ବର୍ଷରୁ କମ୍ ବାଳିକା ବର୍ଗରେ ତୁଳସୀ ବାଗ ୩୦୦ ମିଟର ଦୌଡ଼ରେ, ୨୦ ବର୍ଷରୁ କମ୍ ବାଳିକା ବର୍ଗରେ ସବିତା ଟପ୍ପୋ ୧୦୦ ମିଟର ହର୍ଡଲସରେ, ମେରୀ ମୁକ୍ତା ସୋରେଙ୍ଗ ଟ୍ରିପଲ୍ ଜମ୍ପ୍ ରେ ,୨୩ ବର୍ଷରୁ କମ୍ ବାଳକ ବର୍ଗରେ ଅନମୋଲ କେର୍କେଟା ୪୦୦ ମିଟର ଦୌଡ଼ରେ, ୨୩ ବର୍ଷରୁ କମ୍ ବାଳିକା ବର୍ଗରେ ସୁସ୍ମିତା ତିଗା ୮୦୦ ମିଟର ଦୌଡ଼ ଓ ୧୫୦୦ ମିଟର ଦୌଡ଼ରେ ନୂତନ ରାଜ୍ୟ ରେକର୍ଡ ସୃଷ୍ଟି କରି ସୁନ୍ଦରଗଡ ପାଇଁ ଗୌରବ ଆଣି ଦେଇଛନ୍ତି। ବାଳିକା ବିଭାଗରେ ୪୧ ଓ ବାଳକ ବିଭାଗରେ ୨୩ ଟି ପଦକ ହାସଲ କରିଛନ୍ତି। ତନ୍ମଧ୍ୟରୁ ବାଳକ ବିଭାଗରେ ୭ ଓ ବାଳିକା ବିଭାଗରେ ୨୦ ସ୍ଵର୍ଣ୍ଣ ଜିତି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ାର ଉତ୍କର୍ଷକୁ ପ୍ରତିପାଦିତ କରିଥିଲେ। ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଖେଳାଳି ଏଭଳି ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ବହିଦାର, ଉପସଭାପତି ପୌଷଚନ୍ଦ୍ର ପଟେଲ, ରାଧାମୋହନ ନାଏକ, ବିଭୁଦତ୍ତ ବେହେରା, ବିମଳ ବୋଷ, ଦୌଡ଼କୁଦ ସମ୍ପାଦକ ଅଜୟ ବହିଦାର ଏବଂ ସଦସ୍ୟ ବାସୁଦେବ ବାନାର୍ଜୀ, ନିତ୍ୟ କୁମାର ବଳ ତଥା ବିଶ୍ବରଂଜନ ହୋତା ଶୁଭେଚ୍ଛା ଜଣାଇବା ସହିତ ଖେଳାଳିଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରିଛନ୍ତି।
Post Views: 263
error: Content is protected !!