ସେଲ ହକି ଏକାଡେମୀ ନିମନ୍ତେ ଜୁନ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କ୍ୟାଡେଟ ଚୟନ
1 min read
ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ସେଲ ହକି ଏକାଡେମୀରେ ନାମଲେଖା ପାଇଁ କ୍ୟାଡେଟ ଚୟନ ନିମନ୍ତେ ମନୋନୟନ ପରୀକ୍ଷା ୨୦୨୩ ଜୁନ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ବ୍ୟାଟେରୀ ଟେଷ୍ଟ ପାଇଁ ଯୋଗ୍ୟତା ହାସଲ ନିମନ୍ତେ ୦୧.୦୭.୨୦୨୩ ସୁଦ୍ଧା ୧୪ରୁ ୧୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆଗ୍ରହୀ ପ୍ରାର୍ଥୀମାନଙ୍କ ଜନ୍ମ ତାରିଖ ୨୦୦୭ ଜୁଲାଇ ପହିଲାରୁ ୨୦୦୯ ଜୁଲାଇ ପହିଲା ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି।
ଏଥିପାଇଁ ପ୍ରାର୍ଥୀମାନଙ୍କ ଆବେଦନ ଫର୍ମ ଓ ଗେଜେଟେଡ ଅଫିସରଙ୍କ ଦ୍ଵାରା ଆଟେଷ୍ଟେଡ ହୋଇଥିବା ଆବଶ୍ୟକୀୟ ପ୍ରମାଣପତ୍ର ସହ ଜୁନ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ, ସେକ୍ଟର ୫ ରାଉରକେଲାରେ ରିପୋର୍ଟ କରିବା ଆବଶ୍ୟକ । ଜନ୍ମ ତାରିଖ ପ୍ରମାଣ ପାଇଁ ମ୍ୟାଟ୍ରିକ ସାର୍ଟିଫିକେଟ କିମ୍ବା ରେଜିଷ୍ଟ୍ରାର ଅଫ ବାର୍ଥ ଆଣ୍ଡ ଡେଥ/ ଉପଯୁକ୍ତ ସରକାରୀ ପଦାଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବା ପ୍ରମାଣପତ୍ର ତଥା ଆଧାର କାର୍ଡ ଗ୍ରହଣ କରାଯିବ । ଯାଞ୍ଚ ନିମନ୍ତେ ସମସ୍ତେ ନିଜର ମୂଳ ପ୍ରମାଣପତ୍ର ଦେଖାଇବାକୁ ହେବ।
କୌଣସି ଅନୁଷ୍ଠାନ, ଆସୋସିଏସନ କିମ୍ବା ପ୍ଳାଣ୍ଟ ଗୁଡିକ ସର୍ବାଧିକ ୪ ଜଣ ପୁରୁଷ ଖେଳାଳୀ ପଠାଇ ପାରିବେ। ରାଉରକେଲାରେ ମନୋନୟନ ପରୀକ୍ଷା ସମୟରେ ଖେଳାଳୀମାନଙ୍କୁ ମାଗଣାରେ ରହିବା ଓ ଖାଇବା ଯୋଗାଇ ଦିଆଯିବ । ଏ ବିଷୟରେ ବିଶଦବିବରଣୀ ପାଇଁ ଖେଳାଳୀ ମାନେ କ୍ରୀଡା ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଇନ ଚାର୍ଜ ସେଲ ହକି ଏକାଡେମୀ, ରଘୁ ନନ୍ଦନ ପାଢୀ ଓ ସେଲ ହକି ଏକାଡେମୀର ପ୍ରଶିକ୍ଷକ, ରାଜୁ କାନ୍ତ ସାଇନିଙ୍କୁ ମୋବାଇଲ ନମ୍ବର ୮୮୯୫୫୦୪୭୫୧ ଓ ୮୯୧୭୪୫୩୬୪୯ ରେ ଯୋଗାଯୋଗ କରିପାରିବେ।
ଖେଳାଳୀମାନେ ମନୋନୀତ ହୋଇ ଏକାଡେମୀ ଅଧୀନକୁ ଆସିବା ପରେ ଖେଳରେ ସେମାନଙ୍କର ଧ୍ୟାନ ସଂପୂର୍ଣ୍ଣ କେନ୍ଦ୍ରିତ ହେବା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଯତ୍ନ ନିଆଯାଇଥାଏ । ଏଠାରେ କ୍ୟାଡେଟ ମାନଙ୍କୁ ଏକାଡେମୀ ପକ୍ଷରୁ ମାଗଣାରେ ରହିବା, ମାସିକ ବୃତ୍ତି, ସୁଷମ ଖାଦ୍ୟ, ଶିକ୍ଷା ଏବଂ ଅତ୍ୟାଧୁନିକ ଜିମନାସିୟମ ଆଦି ସୁବିଧା ଯୋଗାଇ ଦିଆଯାଇଥାଏ। ସେମାନଙ୍କୁ ଖେଳ କିଟ ସମେତ ଆରଏସପି ହସ୍ପିଟାଲରେ ମାଗଣା ଚିକିତ୍ସା, ସ୍ଥାନୀୟ ସ୍କୁଲ ଓ କଲେଜରେ ଶିକ୍ଷା ସହାୟତା, ତାଲିମ ସମୟରେ ବୀମା ସୁବିଧା ଏବଂ ବର୍ଷକରେ ଥରେ ପିତାମାତା କିମ୍ବା ଅଭିଭାବକମାନଙ୍କ ପାଖକୁ ଯିବା ପାଇଁ ବସ ଭଡା କିମ୍ବା ଟ୍ରେନ ଭଡା ଆଦି ବିଭିନ୍ନ ସୁବିଧା ପ୍ରଦାନ କରାଯିବ ।
ଏତଦବ୍ୟତୀତ, କ୍ୟାଡେଟମାନେ ବହୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଖେଳିବାର ସୁଯୋଗ ପାଇବେ ଯାହା ସେମାନଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ। ଆରଏସପିର ସେଲ ହକି ଏକାଡେମୀ ଦଳ ଆନ୍ତର୍ଜାତୀୟ ହକି କ୍ଷେତ୍ରରେ ମଧ୍ୟ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଉପଅଧିନାୟକ, ବିରେନ୍ଦ୍ର ଲାକ୍ରା ସେଲ ହକି ଏକାଡେମୀର ପୁରାତନ କ୍ୟାଡେଟ ଅଟନ୍ତି।
ଚୟନୀତ କ୍ୟାଡେଟ ମାନେ ଅତ୍ୟାଧୁନିକ ସିନ୍ଥେଟିକ୍ ଟର୍ଫ, ମନୋରମ ଗ୍ୟାଲେରୀ ଏବଂ ପାଭିଲିୟନ, କମ୍ପ୍ୟୁଟରାଇଜଡ୍ ସ୍ପ୍ରିଙ୍କଲର ଏବଂ ନବୀକୃତ ଅନ୍ୟାନ୍ୟ ଭିତ୍ତିଭୂମିରେ ସୁସଜ୍ଜିତ ସଦ୍ୟ ନବୀକୃତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ରେ ଏନଆଇଏସ ଯୋଗ୍ୟତାପ୍ରାପ୍ତ ପ୍ରଶିକ୍ଷକଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ଲାଭ କରିବେ। ଏହି ଷ୍ଟାଡିୟମ୍ ଏଫଆଇଏଚ ବର୍ଗ ୨ ହକି ଫିଲ୍ଡ ସାର୍ଟିଫିକେଟ୍ ରେ ପ୍ରମାଣିତ ଅଟେ ଯାହା ଏହାକୁ ବର୍ଗ ୨ ସ୍ତରୀୟ ଜାତୀୟ ଏବଂ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବାର ଯୋଗ୍ୟତା ପ୍ରଦାନ କରୁଛି।