ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କା; ୧୨ ବଗି ଲାଇନ୍‌ଚ୍ୟୁତ, ଡ୍ରାଇଭର୍‌ ଆହତ

1 min read
Spread the love

 

ଶନିବାର ରାତି ପ୍ରାୟ ୪ଟା ବେଳେ ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ ୨ଟି ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ କିଛି ବଗି ଲାଈନଚ୍ୟୁତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଓନ୍ଦାଗ୍ରାମ ବା ଓନ୍ଦା ଷ୍ଟେସନ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ ଅନ୍ୟ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ର ପଛରେ ଧକ୍କାଖାଇବାରୁ ୧୨ଟି ୱାଗନ୍‌ ଧାରଣାରୁ ବାହାରି ଯାଇଛି।

ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ନ ଘଟିଥିଲେ ବି ଗୋଟିଏ ମାଲ୍‌ବାହୀ ଟ୍ରେନ୍‌ର ଚାଳକ ସାମାନ୍ୟ ଆହତ ହୋଇଛନ୍ତି।ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମାଲ୍‌ବାହୀ ଟ୍ରେନ୍‌ ଦୁଇଟି ଖାଲି ଥିଲା । ଟ୍ରେନ୍‌ ଦୁଇଟି କେମିତି ଧକ୍କା ହେଲା ସେନେଇ କାରଣ ଜଣାପଡ଼ିନାହିଁ। ଏହି ଦୁର୍ଘଟଣା ଯୋଗୁଁ ଦକ୍ଷିଣ ପୁର୍ବ ରେଳବାଇ ଜୋନ୍‌ର ଆଦ୍ରା ଡିଭିଜନ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି ।

ଆଦ୍ରା ଡିଭିଜନ୍‌ ପଶ୍ଚିମବଙ୍ଗର ୪ଟି ଜିଲ୍ଲା ଯଥା:- ପଶ୍ଚିମ ମିଦନାପୁର, ବାଙ୍କୁଡ଼ା, ପୁରୁଲିଆ ଓ ବର୍ଦ୍ଧମାନ ଏବଂ ଝାଡ଼ଖଣ୍ଡର ଧାନବାଦ, ବୋକାରୋ ଓ ସିଂହଭୂମ ଜିଲ୍ଲାର ବିଭିନ୍ନ ସ୍ଥାନ ପାଇଁ ରେଳସେବା ଯୋଗାଇ ଥାଏ । ଆଦ୍ରା ଡିଭିଜନ ଅନ୍ତର୍ଗତ ‘ପୁରୁଲିଆ ଏକ୍ସପ୍ରେସ୍‌’ ଭଳି କେତେକ ଟ୍ରେନ୍‌ ଚଳାଚଳ ନିମନ୍ତେ ଯଥା ଶୀଘ୍ର ସମ୍ଭବ ‘ଅପ୍‌ଲାଇନ୍‌’ ଖୋଲିବା ଲାଗି ରେଳ କର୍ତ୍ତୃପକ୍ଷମାନେ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଚଳିତ ମାସ ୨ ତାରିଖରେ ବାଲେଶ୍ବର ଜିଲ୍ଲାର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାପରେ ରେଳବାଇରେ ଚାଲିଥିବା ପରିଚାଳନା ବ୍ୟବସ୍ଥାକୁ ନେଇ ଉଠିଥିବା ପ୍ରଶ୍ନବାଚୀ ଏବେ ମଧ୍ୟ ରହିଛି ବୋଲି ବାଙ୍କୁଡ଼ା ଘଟଣାରୁ ପ୍ରତୀୟମାନ ହେଉଛି। କାରଣ ବାହାନଗା ଘଟଣା ପରେ ଭାରତୀୟ ରେଳାବାଇ ର ପରିଚାଳନା ବ୍ୟବସ୍ଥା ଅଧିକ ସକ୍ରୀୟ ହେବ ବୋଲି ଆଶା କରାଯାଉଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!