ବାହାନଗା ରେଳ ଦୁର୍ଘଟଣା ଘଟଣାରେ ସାରା ଦେଶରେ ପ୍ରତିକ୍ରିୟା: ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଘଟଣାସ୍ଥଳରେ

1 min read
Spread the love

ବାଲେଶ୍ବରର ବାହାନଗାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି,  ଆମେ ଏହି ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବୁ ଏବଂ ଭବିଷ୍ୟତରେ ଏପରି ଘଟଣା ଘଟିବ ନାହିଁ ବୋଲି ନିଶ୍ଚିତ କରିବୁ। ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାସ୍ଥଳରେ ସକାଳେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁତର ଓ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଦୁର୍ଘଟଣାକୁ ଏକ ବଡ଼ ରେଳ ଦୁର୍ଘଟଣା ବୋଲି କହିଛନ୍ତି। ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଦୁର୍ଘଟଣାର କାରଣ ଅବଗତ ହେବା ଲାଗି ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ କୋଲକାତା – ଚେନ୍ନାଇ ମାର୍ଗରେ ରେଳଚଳାଚଳକୁ କିପରି ଯଥାଶୀଘ୍ର ସ୍ବାଭାବିକ କରାଯିବ ସେ ଦିଗରେ ମଧ୍ୟ ତୁରନ୍ତ କାର୍ଯ୍ୟାରମ୍ଭ ହେବ ମନ୍ତ୍ରୀ କହିଛନ୍ତି।

ବାହାନଗା ନିକଟରେ ୩ଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେଲା ପରେ  ପ୍ରାୟ ୨୬୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବାଲେଶ୍ବରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ ସମେତ କଟକ ବଡ଼ ଡାକ୍ତରଖାନାରେ ଆହତ ଯାତ୍ରୀମାନଙ୍କୁ ଭର୍ତ୍ତି କରାଯାଇଛି। ଆହତଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଏମ୍ସ ଭୁବନେଶ୍ବର ସହଯୋଗର ହାତ ବଢ଼ାଇଛି। ଶନିବାର ପୂର୍ବାହ୍ଣରେ ଏମ୍ସରୁ ୨ଟି ଡାକ୍ତରୀ ଦଳ କଟକ ଏବଂ ବାଲେଶ୍ବର ଅଭିମୁଖେ ଯାଇଛନ୍ତି। ଡାକ୍ତର, ରେସିଡେଣ୍ଟ ଡାକ୍ତର ଏବଂ ନର୍ସଙ୍କୁ ନେଇ ୧୧ ଜଣିଆ ସଦସ୍ୟ କଟକ ବଡ଼ଡାକ୍ତରଖାନାକୁ ଯାଇଛନ୍ତି। ସେମାନେ ସେଠାରେ ଆହତଙ୍କୁ ଚିକିତ୍ସା ଯୋଗାଇଦେବେ। ସେହିପରି ଅନ୍ୟ ଏକ ୮ ଜଣିଆ ଟିମ ବାଲେଶ୍ବର ଅଭିମୁଖେ ଯାଇଛନ୍ତି।

ଟ୍ରେନ୍‌ ଦୁର୍ଘଟଣାରେ ପୀଡିତ ଆହତଙ୍କ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବାଲେଶ୍ବର, କଟକ, ଭଦ୍ରକ ସମତେ ଅନ୍ୟ ଡାକ୍ତରଖାନାକୁ ପ୍ରସ୍ତୁତ ରଖିଛନ୍ତି। ସେହିପରି ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ାରେ ମଧ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକ ପ୍ରସ୍ତୁତ ରଖାଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସବୁ ସହରର ବିଭିନ୍ନ ହସ୍ପିଟାଲରେ ଡାକ୍ତର, ମେଡିକାଲ କର୍ମଚାରୀ, ଔଷଧ ମହଜୁଦ ରଖାଯିବା ସହିତ ମାଗଣାରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ଏହା ମଧ୍ୟରେ ଦୁର୍ଘଟଣା ସ୍ଥଳ ସହିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତମାନଙ୍କୁ ଭେଟିଛନ୍ତି।

ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସ୍ଥିତି ବିଷୟରେ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧିନ ଯାତ୍ରୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହା ସହିତ ଦୁର୍ଘଟଣାପରେ ପ୍ରଥମେ ସ୍ଥାନୀୟ ଲୋକମାନଙ୍କ ସହାୟତା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସୂଚନା ମୁତାବକ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ଭଦ୍ର ହସ୍‌ପିଟାଲ୍‌ରେ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି।

ସୂଚନା ମୁତାବକ  ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଥିବା  ପଣପଣାଠାରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିଲା ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ଭୁବନେଶ୍ୱର ଆଡ଼କୁ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଥିଲା। ଏହା ସହିତ ଭୁଲ୍‌ ରେଳ ଲାଇନରେ ଆସିଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା।  

ଦୁର୍ଘଟଣା ପରେ ପରେ ସ୍ଥାନୀୟ ଲୋକେ ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିଲା। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି। ଏହି ଦୁର୍ଘଟଣା ନେଇ ସାରା ଦେଶରେ ଆଲୋଚନା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ଣରେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ସୂଚନା ମିଳିଛି।

ଶେଷ ସୂଚନା ମୁତାବକ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଚିକିତ୍ସାଧିନ ଯାତ୍ରୀମାନଙ୍କୁ ଭେଟିଛନ୍ତି। ଦୁର୍ଘଟଣା ଘଟିବାର ୧୮ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ରେଳ ବଗିଗୁଡ଼ିକୁ ରେଳ ଲାଇନକୁ ଅଣାଯିବା କାର୍ଯ୍ୟ ଜାରି ରହିଛି। ଏହାପରେ ମଧ୍ୟ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ ଆବଶ୍ୟକ ପଡ଼ିପାରେ ବୋଲି ଜଣପଡ଼ିଛି। ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା କବଚ ବ୍ୟବସ୍ଥା ଦୁର୍ଘଟଣା ହୋଇଥିବା ରେଳ ରାସ୍ତାରେ ନଥିବାରୁ ଦୁର୍ଘଟଣା ଭୟଙ୍କର ହୋଇଛି ବୋଲି ଜଣାପଡ଼ିଛି।   

Leave a Reply

Your email address will not be published. Required fields are marked *

error: Content is protected !!