ବାହାନଗା ଷ୍ଟେସନ୍ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ : ୧୨ଟି ବଗି ଲାଇନଚ୍ୟୁତ: ଶତାଧିକ ଯାତ୍ରୀ ଆହତ
1 min read
ବାଲେଶ୍ୱର – ଭଦ୍ରକ ରେଳ ରାସ୍ତାର ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ ଟ୍ରେନ୍ଟି ସାଲିମାରରୁ ଭୁବନେଶ୍ୱର ହୋଇ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। ସନ୍ଧ୍ୟା ପ୍ରାୟ ୭ଟାରୁ ୭ଟା ୧୦ ମଧ୍ୟରେ ବାହାନଗା ଷ୍ଟେସନ୍ ନିକଟରେ ଠିଆ ହୋଇଥିବା ଏକ ମାଲ୍ବାହୀ ଟେନ୍କୁ ଧକ୍କା ଦେଇଥିଲା । ଏହା ଫଳରେ ଟ୍ରେନ୍ର ୧୨ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିବା ସହ ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ରେଳବାଇ ପୁଲିସ ସହ ସ୍ଥାନୀୟ ସୋର ଓ ବାହାନଗା ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆହତମାନଙ୍କୁ ନିକଟସ୍ଥ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନା ନିଆଯାଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ ଏବଂ ଏସ୍ପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁସାରେ ମାଲଗାଡ଼ିଟି ଷ୍ଟେସନ ପୂର୍ବରୁ ଥିବା ରେଳ ଫାଟକ ନିକଟରେ ଲାଇନରେ ଛିଡ଼ା ହୋଇଥିବା ବେଳେ କୋଲକାତା ଆଡ଼ୁ ଆସୁଥିବା ସୁପରଫାଷ୍ଟ ଏକ୍ସପ୍ରେସ କରମଣ୍ଡଳ ଦ୍ରୁତଗତିରେ ଆସି ମାଲଗାଡ଼ିକୁ ଧକ୍କା ଦେଇଥିଲା। ରେଳଫାଟକ ବନ୍ଦ ଥିବାରୁ ଏହାର ଦୁଇ ପାର୍ଶ୍ବରେ ଲୋକ ଜମା ହୋଇଥିଲେ।

ଦୁଘର୍ଟଣା ଫଳରେ ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା ଓ ଏହା ତଳେ ବହୁଯାତ୍ରୀ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ସେହିଭଳି ଶେଷ ଖବର ମୁତାବକ ଟ୍ରେନ୍ର ଶେଷ ଆଡ଼କୁ ଥିବା ବଗି ଅଧିକ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍ରେ ଥିବା କିଛି ଯାତ୍ରୀଙ୍କ ସୂଚନା ମୁତାବକ ଟ୍ରେନ୍ର ସାମନାରେ ଥିବା ୪ଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହିଭଳି ଘଟଣା ସମୟରେ ଭଦ୍ରକ ଆଡ଼ୁ ଆସୁଥିବା ଯଶବନ୍ତପୁର-ହାଓଡ଼ା ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା କିଛି ବଗି ସହିତ ଧକ୍କା ହୋଇଥିଲା। ଏହାଫଳରେ ଯଶୋବନ୍ତପୁର -କାଉଡ଼ା ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇ ଆହତଙ୍କ ସଂଖ୍ୟା ବଢ଼ାଇଥିଲା ।

ଇତି ମଧ୍ୟରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ଦୁର୍ଘଟଣା ସମ୍ପର୍କୀତ ସୂଚନା ପାଇଁ ଜରୁରୀକାଳୀନ ନମ୍ବର- 06782262286 ଜାରି କରାଯାଇଛି। ଏହା ସହିତ ହାଓଡ଼ା, ସାଲିମାର ସମେତ ଅନ୍ୟ କିଛି ଷ୍ଟେସନରେ ଦୁର୍ଘଟଣା ସମ୍ପର୍କୀତ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ଦୁର୍ଘଟଣାରେ କରମଣ୍ଡଳ ଟ୍ରେନ୍ର ବଗିଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଯାଇଛି। ଏହା ମଧ୍ୟରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ପୁରା ରାତ୍ର ଚାଲିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ପଶ୍ଚିମ ବଙ୍ଗରୁ ମେଡିକାଲ ଦଳ ସହିତ ଆମ୍ବୁଲାନ୍ସ ପଠାଯାଉଛି । ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ରୁ ଅଧିକ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ି ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଇଛି । ରାତ୍ର ୧୧ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବେଷ୍ଣବ। ସୂଚନା ମୁତାବକ ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମନ୍ତ୍ରୀ ।