କୈବର୍ତ୍ତ ସମାଜର ମହାନ ସଂଗ୍ରାମୀ ଆକୁଳାନନ୍ଦଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ
1 min read
ନିଖିଳ ଓଡିଶା କୈବର୍ତ୍ତ ମହାସଭା ଆନୁକୂଲ୍ୟରେ କୈବର୍ତ୍ତ ସମାଜର ମହାନାୟକ ଆକୁଳାନନ୍ଦ ବେହେରାଙ୍କ ୨୨ତମ ଶ୍ରାଦ୍ଧ ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ବର ବେହେରା ପ୍ରମୁଖ ଯୋଗଦେଇ ଆକୁଳାନନ୍ଦଙ୍କ ଜୀବନାଦର୍ଶ, ତ୍ୟାଗ, ତପସ୍ୟା ଓ କୈବର୍ତ୍ତ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ବର୍ଗତ ବେହେରାଙ୍କ ମାର୍ଗ ଅନୁସରଣ କରି କୈବର୍ତ୍ତ ଜାତି ଭିତରେ କିପରି ଐକ୍ୟବଦ୍ଧତା, ଅଭିନ୍ନତା ଓ ଉନ୍ନତି ହୋଇପାରିବା ସମ୍ପର୍କରେ ଅତିଥି ବକ୍ତାମାନେ ମତ ରଖିଥିଲେ। ସଭାରେ ସଭାପତିତ୍ବ କରି ମହାସଭାର ସଭାପତି ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଦେବେନ୍ଦ୍ରନାଥ ବେହେରା ସ୍ବର୍ଗତ ଆକୁଳାନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଜାତିର ସ୍ବାର୍ଥକୁ ବଜାୟ ରଖି ଜାତିକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ। ସାଧାରଣ ସଂପାଦକ ରମାକାନ୍ତ ବେହେରା ମହାସଭାର ସଂଘର୍ଷମୟ ଇତିହାସ ସମ୍ପର୍କରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିଙ୍କ ଜାତି ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହାସଭାର ଉପଦେଷ୍ଟା ନାରାୟଣ ବେହେରା, ପଦ୍ମଚରଣ ବେହେରା, ସୁରେଶ ଚନ୍ଦ୍ର ବେହେରା, ଅଶୋକ କୁମାର ଦଳେଇ, ପ୍ରଦୀପ ବେହେରା ପ୍ରମୁଖ ଯୋଗଦେଇ ଆକୁଳାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ। ରାଜ୍ୟ ସରଜାରଙ୍କ ସ୍ବତନ୍ତ୍ର ସଚିବ ସୁମନ ବେହେରା, ପ୍ରାକ୍ତନ ଅତିରିକ୍ତ ବନ ସଂରକ୍ଷକ ପାଣ୍ଡବ ବେହେରାଙ୍କ ସମେତ କଟକ ଓ ଗଞ୍ଜାମ ଅଞ୍ଚଳର କୈବର୍ତ୍ତ ଜାତି ପାଇଁ ସମର୍ପିତ କିଛି ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୌମ୍ୟରଂଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।