ବିକାଶର ଆଢୁଆଳରେ ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଯୋଗୀଲତ ଓ ବରପଡ଼ା ପଡ଼ା ଗ୍ରାମ
1 min read
ସୁନ୍ଦରଗଡ଼ ଜିଲ୍ଲା ଇତିହାସରେ ମଶାବିରା ଗ୍ରାମର ନାଁ ଯେତେ ଗୁରୁତ୍ୱପୂର୍ଣ୍ଣ ଭୂଗୋଳରେ ତାର ଠିକ୍ ଓଲଟା। ଏକ ଉପାନ୍ତ ଓ ଦୁର୍ଗମ ଗାଁ ଗହଳକୁ ନେଇ ଗଠିତ ଏହି ପଞ୍ଚାୟତରେ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ପରେ ମଧ୍ୟ ଅଧିବାସୀ ଅବହେଳିତ ଅବସ୍ଥାରେ ରହିଛନ୍ତି। ଆଦିବାସୀମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ସହିତ ସେମାନଙ୍କୁ ସୁବିଧା ଯୋଗାଇ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି। ମାତ୍ର ଲେଫ୍ରିପଡ଼ା ବ୍ଲକର ଉପାନ୍ତ ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁ ଗଣ୍ଡା ରହିଛି, ଯେଉଁଠି ବିକାଶ ସ୍ୱପ୍ନ ହୋଇଛି। ଏଭଳି ଦୁଇଟି ଗାଁ ହେଉଛି ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ମଶାବିରା ଗ୍ରାମପଞ୍ଚାୟତର ସାହେବଡ଼େରା ରାଜସ୍ୱ ଗ୍ରାମର ପଡ଼ାଗ୍ରାମ ଯୋଗୀଲତ ଓ ବରପଡ଼ା। ଚତୁର୍ଦ୍ଦିଗରୁ ପାହାଡ଼ ପର୍ବତ ଘେରା ହୋଇଥିବାବେଳେ ୫୦ ରୁ ଏଠାରେ ଅଧିକ ଖ୍ରୀଷ୍ଟିଆନ ସଂପ୍ରଦାୟ ପରିବାର ବସବାସ କରୁଛନ୍ତି। ଏହି ଅଞ୍ଚଳ ଲେଫ୍ରିପଡ଼ା ବ୍ଳକ ସଦର ମହକୁମାରୁ ପ୍ରାୟ ୧୮କିମି ଦୂର ହୋଇଥିବାବେଳେ ମଶାବିରା ପଞ୍ଚାୟତରୁ ଏହାର ଦୂରତା ପ୍ରାୟ ୭ କିମି ହେବ। ସାହେବଡ଼େରାରୁ ଯୋଗୀଲତ ରାସ୍ତାଟି ସଂପୂର୍ଣ ପାଦଚଲା ଦୂର୍ଗମ ଜଙ୍ଗଲ ଘାଟି ରାସ୍ତା ହୋଇଥିବାବେଳେ ପ୍ରାୟ ୪ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ଜଙ୍ଗଲ ଭିତରେ ପ୍ରାୟ ୫ କିମି ପରିଧି ଅଂଚଳରେ ସ୍ଥାନେ ସ୍ଥାନେ ପରିବାର ସବୁ ବସବାସ କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଏହି ଅଞ୍ଚଳ ଅତ୍ୟନ୍ତ ଅବହେଳିତ। ଶିଶୁ ବିକାଶ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଛତୁଆ ପାଇବାକୁ ମା’ ମାନେ ମାସକରେ ଥରେ ନିଜ ନିଜ ଛୁଆକୁ କାଖେଇ ସେହି ରାସ୍ତାରେ ପାହାଡ଼ରୁ ଓହ୍ଲାଇ ସାହେବଡ଼େରା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିଥାନ୍ତି। ଏହି ଅଞ୍ଚଳରେ କେହି ରୋଗରେ ଆକ୍ରାନ୍ତ ହୋଲେ ଖଟିଆରେ ବୁହାହୋଇ ୧୦ କିମି ଦୂରେ ଥିବା ଗୁଣ୍ଡିଆଡ଼ିହି ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ଆସିଥାନ୍ତି। ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଏହାକୁ ପହଞ୍ଚିବା ମଧ୍ୟ କଷ୍ଟକର ହୋଇଥାଏ। ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚୁଆ ଖୋଳି ଏହି ବନବାସୀ ପାଣି ବ୍ୟବହାର କରନ୍ତି। ଗ୍ରୀଷ୍ମଋତୁରେ ଚୁଆ ସବୁ ଶୁଖିଗଲେ ଭାଗ୍ୟକୁ ଆଦରି ରହନ୍ତି ଏହି ଅଞ୍ଚଳବାସୀ। ଗତ ବର୍ଷ ପ୍ରଶାସନ ପକ୍ଷରୁ ଜଙ୍ଗଲ ମଝିରେ ଥିବା ଚର୍ଚ୍ଚ ଗୃହ ନିକଟରେ ଏକ ନଳକୂପ ଖୋଳା ଯାଇଥିବାବେଳେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ଗ୍ରାମବାସୀ।

ଅନ୍ୟପକ୍ଷରେ ଏହି ଅଞ୍ଚଳବାସୀଙ୍କ ଜୀବନ ଜୀବିକା ଅତ୍ୟନ୍ତ ଦୟନୀୟ। ଜଙ୍ଗଲ ଜାତଦ୍ରବ୍ୟ ସଂଗ୍ରହ କରି କିଛି ଅର୍ଥ ରୋଜଗାର କରିବା ସହ ଜଙ୍ଗଲର ସ୍ଥାନେ ସ୍ଥାନେ ଧାନଚାଷ କରି ଚଳିଥାନ୍ତି। କିଛି ବ୍ୟକ୍ତି ଛେଳି, କୁକୁଡ଼ା ଓ ଘୁଷୁରି ପାଳନ କରୁଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ମୁଖ୍ୟଦାବି ହେଉଛି ସବୁଦିନିଆ ରାସ୍ତା ନିର୍ମାଣ। ଏହାରି ନିକଟରେ ରହିଛି ଆଉ ଏକ ପଡ଼ା ଗ୍ରାମ ବରପଡ଼ା। ଏଠାରେ ମଧ୍ୟ ପ୍ରାୟ ୩୦ ଆଦିବାସୀ ପରିବାର ରହିଛନ୍ତି। ଏହି ଗ୍ରାମକୁ ମଧ୍ୟ ରାସ୍ତା ନିର୍ମାଣ ହୋଇପାରିନି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରର ବିଭିନ୍ନ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ବୋଧହୁଏ ଆଉ କିଛିବର୍ଷ ଲାଗିଯିବ ଏହି ଅଞ୍ଚଳରେ ଯୋଜନା ପହଞ୍ଚିବାକୁ। ସୂଚନା ମୁତାବକ ଗତ ୭୫ ବର୍ଷ ମଧ୍ୟରେ ଅନେକ ନିର୍ବାଚନ ହୋଇଥିଲେ ମଧ୍ୟ ଏହି ଅଞ୍ଚଳକୁ କୌଣସି ନେତାଙ୍କ ପାଦ ପଡ଼ିନାହିଁ। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ଗସ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ପ୍ରକୃତି କୋଳରେ ମନଲୋଭା ପରିବେଶ ମଧ୍ୟରେ ରହିଥିବା ଅଞ୍ଚଳବାସୀ ଏବେ ମଧ୍ୟ ବାହାର ଅଞ୍ଚଳର ଚାକସକ୍ୟଭରା ଜୀବନ ଦେଖିବାରୁ ବଞ୍ଚିତ ରହିଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ଗସ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।