ରାଉରକେଲା ସହରର ମୁଖ୍ୟ ରାସ୍ତାରେ ଆଖଡ଼ା ଶୋଭାଯାତ୍ରା
1 min read
ରାଉରକେଲା ସହରର ମୁଖ୍ୟ ରାସ୍ତାରେ ଆଖଡ଼ା ଶୋଭାଯାତ୍ରା
ସହରର ବିଭିନ୍ନ ସ୍ଥାନରେ ଶ୍ରୀରାମନବମୀ ପାଳିତ ହୋଇଯାଇଛି। ଏଥିପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସାରା ସହର ରାମନାମ ଧ୍ବନିରେ ଗୁଞ୍ଜରିତ ହୋଇଥିଲା। ରାମଚରିତ ମାନସ ପାଠ କରାଯାଇଥିଲା। ଶ୍ରଦ୍ଧାଳୁମାନେ ବିଭିନ୍ନ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି କ୍ରମରେ ସହରର ମୁଖ୍ୟ ରାସ୍ତାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି ଆଖଡ଼ା ଶୋଭାଯାତ୍ରା। ରାଣାପ୍ରତାପ ଆଖଡ଼ା, ଶିବାଜୀ ଆଖଡ଼ା, ଶ୍ରୀମହାବୀର ଆଖଡ଼ା, ତ୍ରିନାଥ ଆଖଡ଼ା, ଭୂତନାଥ ଆଖଡ଼ା, ଶମ୍ଭୁନାଥ ଆଖଡ଼ା, ହନୁମାନ ଆଖଡ଼ା, ମହାକାଳ ଆଖଡ଼ା, ରୁଦ୍ରବାବା ଆଖଡ଼ା, ଜୟବଜରଙ୍ଗୀ ଆଖଡ଼ା, ନବ୍ଯୁବକ ସଂଘ ଆଦି ୧୨ରୁ ଅଧିକ ଆଖଡ଼ା କମିଟି ପକ୍ଷରୁ ରୀତିନୀତି ଅନୁଯାୟୀ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ହନୁମାନଙ୍କ ମୂର୍ତ୍ତିକୁ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରି ଅପରାହ୍ଣ ୨ଟାରୁ ସହରର ବିର୍ସା ଛକଠାରୁ ଆରମ୍ଭ ହୋଇଥିଲା ଆକର୍ଷଣୀୟ ଶୋଭାଯାତ୍ରା। ସହରର ମୁଖ୍ୟ ମାର୍ଗ ଦେଇ ରାତ୍ର ପ୍ରାୟ ୮ଟା ସୁଦ୍ଧା ଉଦିତନଗର ଆମ୍ବେଦକର ଛକରେ ଶୋଭାଯାତ୍ରା ଶେଷ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିର୍ସା ଛକରୁ ଉଦିତନଗର ଛକ ପର୍ଯ୍ୟନ୍ତ ରାଉରକେଲା ମୁଖ୍ୟ ମାର୍ଗରେ ୨୫ ପ୍ଲାଟୁନ୍ରୁ ଅଧିକ ପୁଲିସ ମୁତୟନ ହୋଇଥିଲା।

ଶାନ୍ତିଶୃଙ୍ଖଳାରେ ଶୋଭାଯାତ୍ରା ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା। ରାଉରକେଲା ଏସ୍ପି ମୁକେଶ କୁମାର ଭାମୋଙ୍କ ସହିତ ଅନ୍ୟ ପ୍ରଶାସନିକ ଅଧିକାରିମାନେ ଶୋଭାଯାତ୍ରାରେ ରହି ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ପରିଚାଳନା କରିଥିଲେ। ସେହିଭଳି ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯିବା ସହ ଶୋଭାଯାତ୍ରାକାରୀଙ୍କୁ ଖାଦ୍ୟ ଓ ପାନୀୟ ଆଦି ଦିଆଯାଇଥିଲା। ସହରର ନାଲାରୋଡ୍ ଅଞ୍ଚଳରେ ମୁସଲମାନ ଯୁବକ ଓ ଅନ୍ୟ ବର୍ଗର ବ୍ୟକ୍ତିମାନେ ଭାଇଚାରାର ନିର୍ଦର୍ଶନ ସ୍ୱରୂପ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ଏଥିରେ ମୁସଲମାନ ସମ୍ପ୍ରଦାୟର ଅନେକ ବରିଷ୍ଠ ଓ ପରିଚିତ ବ୍ୟକ୍ତି ଉପସ୍ଥିତ ଥିଲେ। କ୍ଷୁଦ୍ର ଭାରତର ସହରଭାବେ ପରିଚିତ ରାଉରକେଲାରେ ବିଭିନ୍ନ ଧର୍ମାବଲମ୍ବୀମାନେ ଏହି ଶୋଭାଯାତ୍ରାକୁ ଉପଭୋଗ କରିଥିଲେ। ବିଭିନ୍ନ ଆଖଡ଼ା କମିଟି ପକ୍ଷରୁ ରଙ୍ଗବେରଙ୍ଗର ସାଜସଜ୍ଜା, ବାଡ଼ିଖେଳ, ନୃତ୍ୟ, ଆଦି ସହିତ ବିଭିନ୍ନ ଅସ୍ତ୍ରସସ୍ତ୍ରର ପ୍ରଦର୍ଶନ ହୋଇଥିଲା। ଏହା ସହିତ ହନୁମାନ ଓ ଶ୍ରୀରାମଙ୍କ ଭିନ୍ନ ଭିନ୍ନ ପ୍ରତିମୂର୍ତ୍ତି ଶୋଭାଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା।
ସେହିଭଳି ଆଖଡ଼ା ଶୋଭାଯାତ୍ରାରେ ବାଳିକା ଓ ଯୁବତୀମାନେ ଜୟଶ୍ରୀରାମ ଧ୍ୱନି ଦେଇ ଯୋଗଦେବା ସହ ଅନ୍ୟ ବାଳିକାମାନଙ୍କ ପାଇଁ ଉଦାହରଣ ହୋଇଥିଲେ। ରାଉରକେଲା ଏସ୍ପି ଶ୍ରୀ ଭାମୋଙ୍କ ସୂଚନା ମୁତାବକ ଆଖଡ଼ା ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣଭାବେ ପାଳନ କରିବା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ଶୋଭାଯାତ୍ରା ଆୟୋଜନରେ ସ୍ଥାନୀୟ ସଂହତି ଫୋରମ ଓ ସ୍ୱେଚ୍ଛାସେବୀମାନଙ୍କ ସହିତ ଆଖଡ଼ା କମିଟିଗୁଡ଼ିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।