ଆଦି ମହୋତ୍ସବରେ ଭାରତର ସମୃଦ୍ଧ ଆଦିବାସୀ ସଂସ୍କୃତି, ହସ୍ତଶିଳ୍ପ ଏବଂ ବ୍ୟଞ୍ଜନର ପ୍ରଦର୍ଶନ
1 min read
ରାଉରକେଲା ଇସ୍ପାତ କାରଖାନା ଓ ଟ୍ରାଇଫେଡର ମିଳିତ ଆନୁକୂଲ୍ୟରେ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦି ମହୋତ୍ସବ-୨୦୨୩ରେ ଭାରତର ସମୃଦ୍ଧ ଆଦିବାସୀ ସଂସ୍କୃତି, ହସ୍ତଶିଳ୍ପ ଏବଂ ବ୍ୟଞ୍ଜନର ପ୍ରଦର୍ଶନ ଦେଖିବାକୁ ମିଳିଛି। ଭାରତର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଆଦିବାସୀ କାରିଗର ଏହି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ଏବଂ ବିଭିନ୍ନ ପ୍ରକାରର ଆଦିବାସୀ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ କରୁଥିବା ଷ୍ଟଲ୍ ସ୍ଥାପନ କରିଛନ୍ତି।

ସୁସ୍ଵାଦୁ ଆଦିବାସୀ ବ୍ୟଞ୍ଜନ ଉତ୍ସବର ଅନ୍ୟ ଏକ ବିଶେଷ ଆକର୍ଷଣ ରହିଛି। ୨୦୨୩କୁ ମିଲେଟ ବର୍ଷ ଭାବରେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଅନେକ ଷ୍ଟଲରେ ମିଲେଟ ଆଧାରିତ ଖାଦ୍ୟ ସାମଗ୍ରୀ ଉପଲବ୍ଧ ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉତ୍ସବର ଅନ୍ୟ ବିଶେଷ ଆକର୍ଷଣ ରହିଛି ଏବଂ ସୁନ୍ଦର ସୁନ୍ଦର ଆଦିବାସୀ ସଂଗୀତ ଏବଂ ନୃତ୍ୟ ପରିଦର୍ଶକଙ୍କୁ ଆକର୍ଷିତ କରୁଛି। ଅପ୍ରେଲ ୧୪ ତାରିଖରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ଯାରେ ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓଡିଶା ସରକାରଙ୍କ ବନ ବିଭାଗ ରାଉରକେଲାର ଆରସିସିଏଫ, ଡକ୍ଟର ଏ କେ ମିଶ୍ର ସମ୍ମାନିତ ଅତିଥି ଥିଲେ। ସେହିଭଳି ଅପ୍ରେଲ ୧୩ ତାରିଖ ସାଂସ୍କୃତିକ ସନ୍ଧ୍ୟା ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥିମାନେ ଷ୍ଟଲ ପରିଦର୍ଶନ କରିବା ସହିତ ସଂସ୍କୃତି, ପରମ୍ପରା, କଳା ଏବଂ ହସ୍ତଶିଳ୍ପ ଦୃଷ୍ଟିରୁ ମେଳାର ବିବିଧ ପ୍ରକୃତିର ପ୍ରଶଂସା କରିଥିଲେ। ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହିତ କରିବାରେ ଟ୍ରାଇଫେଡ୍ ଏବଂ ଆର୍ଏସପି ଦ୍ୱାରା ନିଆଯାଇଥିବା ପଦକ୍ଷେପର ସେମାନେ ପ୍ରଶଂସା କରିଥିଲେ। ଏହି ମହୋତ୍ସବ ଶନିବାର ଉଦ୍ଯାପିତ ହୋଇଛି।