ରାଉରକେଲାରେ ଆକର୍ଷଣୀୟ ରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ: ୧୫ଟି ଦଳର ପ୍ରଦର୍ଶନ

1 min read
Spread the love

ଗୁରୁବାର  ରାଉରକେଲା ସହରରରେ ଅନୁଷ୍ଠିତ ହୋଇଯାଇଛି ଆକର୍ଷଣୀୟ ରାମନବମୀ ଶୋଭାଯାତ୍ରା। ଏହାକୁ ଆରରକ୍ଷୀ ଅଧିକ୍ଷକ ତଥା ଡିଆଇଜି ବ୍ରିଜେଶ କୁମାର ରାୟ ଉଦ୍ଘାଟନ କରିବା ପରେ ଶୋଭାଯାତ୍ରା ବିର୍ସା ଛକଠାରୁ ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଶ୍ରୀ ରାୟ ସମସ୍ତଙ୍କୁ ଆହ୍ୱାନ ଦେବା ସହ ଏହି ଅବସରରେ ସହରବାସୀଙ୍କୁ ଶୁଭକାମନା ଜଣାଇଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଶୋଭାଯାତ୍ରା ଅପରାହ୍ନ ପ୍ରାୟ ୪ଟା ସମୟରେ ଆରମ୍ଭ କରାଯାଇଥିଲା। ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିଲ୍ଲୀପ ରାୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଶୋଭାଯାତ୍ରାରେ ଉଦିତନଗର କୁମ୍ଭାରପଡାର ବାବା ଶମ୍ଭୁନାଥ ଆଖଡା ପ୍ରଥମ ସ୍ଥାନ ହାସଲ କରିଥିଲା। ଏହା ସହିତ ମାଲଗୋଦାମର ରାଣା ପ୍ରତାପ ଆଖଡା, ଶିବାଜୀ ମାର୍ଗ ସ୍ଥିତ ଶିବାଜୀ ଆଖଡା, ବିର୍ସା ଡାହାର ରୋଡ ସ୍ଥିତ ଶ୍ରୀହନୁମାନ ଆଖଡା, ଜନତା ନିବାସ ଗଳି ସ୍ଥିତ ନବ ଯୁବକ ସଂଘ ଆଖଡା, ଟେକ୍ସି ଷ୍ଟାଣ୍ଡ ସମ୍ମୁଖ ବାବା ଭୂତନାଥ ଆଖଡା ଓ ଶିବଶକ୍ତି ଆଖଡା, ଡିଲକ୍ସ ଗଳିର ଜୟ ମହାକାଳ ଆଖଡା, ବିର୍ସା ଛକ ସ୍ଥିତ ମହାବୀର ଆଖଡା, ରାଉରକେଲା

ବସ୍ ଷ୍ଟାଣ୍ଡ ସ୍ଥିତ ତ୍ରୀନାଥ ଆଖଡା, ଉଦିତନଗର ଅଞ୍ଚଳର ବାବା ରୁଦ୍ରନାଥ ଆଖଡା, ଡେଲି ମାର୍କେଟର ମା’ ଦୁର୍ଗା ଆଖଡା, ଜି ଟି ଲେନ୍ ସ୍ଥିତ ବାବା ହନୁମାନ ସମିତିର ଆଖଡା ଆଦି ଭାଗ ନେଇଥିଲେ। ଭିନ୍ନ ଭିନ୍ନ ଆଖଡ଼ା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭିନ୍ନ ଭିନ୍ନ ପ୍ରସଙ୍ଗ ସମ୍ପର୍କୀତ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ହୋଇଥିଲା।

ବିଶେଷ କରି ରାମମନ୍ଦିର, ଡ୍ରାଗନ, ହନୁମାନଙ୍କ ଭିନ୍ନ ଆକାରର ପ୍ରତିମୂର୍ତ୍ତି ସହିତ ଟ୍ରେନ୍‌, ଭାରତୀୟ ସଂସ୍ଥାନମାନଙ୍କ ଦ୍ୱାରା ବିଭିନ୍ନ ପ୍ରଦର୍ଶନ ସହିତ ମହାଦେବଙ୍କ ଭିନ୍ନ ଭିନ୍ନ ମୂର୍ତ୍ତି ଆଦିର ପ୍ରଦର୍ଶନକୁ ଶହ ଶହ ଶ୍ରଦ୍ଧାଳୁ ଉପଭୋଗ କରିବା ସହ ଏଥିରେ ସାମିଲ ହୋଇଥିଲେ। ସହରର ମୁଖ୍ୟ ମାର୍ଗ ଦେଇ ଶୋଭାଯାତ୍ରା ଯାଉଥିବା ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଖାଦ୍ୟ ଓ ପାନୀୟ ବଣ୍ଟନ କରାଯାଇଥିଲା।

ଶୋଭାଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ପୋଲିସ ସୁରକ୍ଷା କର୍ମୀଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ନିର୍ବାଚନ ବର୍ଷ ଥିବାରୁ ପୂର୍ବ ବର୍ଷ ତୁଳନାରେ ଏହି ଶୋଭାଯାତ୍ରାରେ ଅଧିକ ସହରବାସୀ ସାମିଲ ହୋଇଥ୍ବା ଦେଖିବା ମିଳିଥିଲା। ଏହା ସହିତ ପୂର୍ବବର୍ଷ ତୁଳନାରେ ଅଧିକ ଆଖଡ଼ା ଦଳ ମଧ୍ୟ ସାମିଲ ହୋଇଥିଲେ।

ଶୋଭାଯାତ୍ରା ବିର୍ସା ଛକଠାରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ପହଞ୍ଚିବା ପରେ ସମାପନ ହୋଇଥିଲା। ରାତ୍ର ପ୍ରାୟ ୧୦ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଆଗ୍ରହ ଓ ଉତ୍ସାହର ସହିତ ଭାଗନେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!