ଛିଣ୍ଡୁନି ଗଣିତ, ତୁଟୁନି ଅଡ଼ୁଆ : ରଘୁନାଥପାଲ୍ଲୀ ପାଇଁ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଛି ଆଲୋଚନା
1 min read
୨୦୦୮ ମସିହାରେ ନିର୍ନାଚନ ମଣ୍ଡଳୀ ପୁର୍ନଗଠନ ପରେ ରାଉରକେଲା ସହରର ଇସ୍ପାତ ସହରଞ୍ଚାଳ ରାଉରକେଲା ନିର୍ବାଚନ ମଣ୍ଡଳୀରୁ ବାହାରି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ମିଶିଥିଲା। ଅନୁସୁଚୀତ ଜାତି ପାଇଁ ସଂରକ୍ଷିତ ଏହି ଆସନରେ ୨୦୦୯ , ୨୦୧୪ ଓ ୨୦୧୯ ବର୍ଷରେ ହୋଇଥିବା ନିର୍ବାଚନରେ ଲଗାତାର ତିନିଥର ପାଇଁ ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇ ଏହି ଆସନରୁ ନିର୍ବାଚିତ ହୋଇଆସୁଛନ୍ତି। ଜଣେ ସରକାରୀ ଚାକିରିଆରୁ ରାଜନୀତିକୁ ଆସିଥିବା ସୁବ୍ରତ ୨୦୧୯ ମସିହାରେ ଜିତିବା ସମ୍ଭାବନା କମ୍ ବୋଲି ଚର୍ଚ୍ଚା ସତ୍ତ୍ୱେ ବିଜୟୀ ହୋଇଥିଲେ। ଏହାପରେ ଗତ ପାଞ୍ଚ ବର୍ଷ ଧରି ସେ ଅନେକ ସମୟରେ ନିଜ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତ ରହୁଥିବାକୁ ନେଇ ତାଙ୍କ ବିରୋଧରେ ଅସନ୍ତୋଷ ଦେଖିବାକୁ ମିଳିଛି। ନିଜ ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରିବା ସହିତ ଦଳୀୟ କର୍ମୀଙ୍କ ସହିତ ଆଲୋଚନା ନକରିବା ଆଦି ଅଭିଯୋଗକୁ ନେଇ କିଛିମାତ୍ରାରେ ବିବାଦରେ ରହିଥିବା ସୁବ୍ରତ ପୁଣି ଥରେ ବିଧାୟକ ପ୍ରାର୍ଥୀ ପାଇଁ ଆଶାବାଦୀ ଅଛନ୍ତି।
ଏହି କ୍ରମରେ ଗତ ତିନିଦିନ ପୂର୍ବ ପୂର୍ବତନ କଂଗ୍ରେସ ନେତା ପ୍ରଫୁଲ୍ଲ ସୁନ୍ୟାନୀ ବିଜେଡିରେ ଯୋଗଦେବା ଓ ସେହି ସମୟରେ ସୁବ୍ରତଙ୍କୁ ଉପସ୍ଥିତିକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପ୍ରଥମେ ବିଜେଡିରେ ରହି ଓ ପରେ କଂଗ୍ରେସକୁ ଯାଇ ୨୦୧୯ରେ ନିର୍ବାଚନ ଲଢ଼ିଥିବା ପ୍ରଶାନ୍ତ ସେଠୀ ରଘୁନାଥପାଲ୍ଲୀରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାବାଦୀ ରହିଛନ୍ତି। ଗତ ପ୍ରାୟ ୧୪ମାସ ପୂର୍ବେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ପ୍ରଶାନ୍ତ ବିଧିବଦ୍ଧଭାବେ ବିଜେଡିରେ ଯୋଗଦେଇନାହାଁନ୍ତି କିନ୍ତୁ ତାଙ୍କୁ ପ୍ରାର୍ଥୀ ହେବାର ସୁଯୋଗ ମିଳିଲେ ସେ ବିଜେଡିରେ ଯୋଗଦେବା ଅସମ୍ଭବ ନୁହେଁ ବୋଲି ସୂଚନା ମିଳିଛି। ଏସବୁ ସତ୍ତ୍ୱେ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ମୋତ ୭ଟି ଆସନ ମଧ୍ୟରୁ ୬ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଶନିବାର ସୁଦ୍ଧା ରଘୁନାଥପାଲ୍ଲୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏହାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଏକାଧିକ ଗୋଷ୍ଠୀ ସୃଷ୍ଟି ହେବା ସହ ଆଲୋଚନା ଓ ଚର୍ଚ୍ଚା ଆରମ୍ଭ ହୋଇଛି।
ଏଭଳି ସ୍ଥିତିରେ ରଘୁନାଥପାଲ୍ଲୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣାକୁ ନେଇ ଚାଲିଛି ଅଙ୍କକଷା। ବିଜେଡି ପ୍ରାର୍ଥୀ କିଏ ହେବ ସେ ନେଇ ଚାଲିଛି ଆଲୋଚନା ଓ ଚର୍ଚ୍ଚା। ଶେଷ ସୂଚନା ମୁତାବକ ସୁବ୍ରତ ପୁଣିଥରେ ପ୍ରାର୍ଥୀ ହେବା ଅଧିକ ସମ୍ଭାବନା ରହିଛି। ଏ ନେଇ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିଜେପି ଓ କଂଗ୍ରେସ ଉଭୟେ ଦଳର ପ୍ରାର୍ଥୀ ଆର୍ଏସ୍ପି କର୍ମଚାରୀ ଥିବାରୁ ସେମାନଙ୍କ ମଧ୍ୟରେ କର୍ମଚାରୀଙ୍କ ଭୋଟ ବିଭାଜନର ଫାଇଦା ନେବାକୁ ନେଇ ବିଜେଡି ପ୍ରାର୍ଥୀଙ୍କ ଜିତିବା ବା ହାରିବା ନିର୍ଭର କରୁଛି।
ସେହିଭଳି କଂଗ୍ରେସ ଦଳ ପକ୍ଷରୁ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ସହଯୋଗୀ ଗୋପାଳ ଦାସ ପ୍ରାର୍ଥୀ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଦଳରେ ଆଲୋଚନା ଆରମ୍ଭ ହୋଇଛି, କାରଣ ଏକଦା କଂଗ୍ରେସ ଦଳ ସହବନ୍ଧିତ ଶ୍ରମିକ ସଙ୍ଗଠନ ଆର୍ଏସ୍ଏସ୍ ସହିତ ମିଶି କାର୍ଯ୍ୟକରୁଥିବା ଜର୍ଜ ସମ୍ପ୍ରତି ନିଜ ପୁଅର ପ୍ରାର୍ଥୀତ୍ୱ ପରେ ବିଜେଡି ସପକ୍ଷରେ ରହିଛନ୍ତି। ନିକଟରେ ଆର୍ଏସପି ଚାକିରିରୁ ଅବସର ନେଇଥିବା ତଥା ୨୦୧୪ ମସିହାରେ ସ୍ୱାଧୀନଭାବେ ଲଢ଼ିଥିବା ଗୋପାଳ ଦାସ ଶ୍ରମିକ ଭୋଟ ପାଇବାକୁ ନେଇ ଆଶାବାଦୀ ଅଛନ୍ତି। ରଘୁନାଥପାଲ୍ଲୀ ଅଞ୍ଚଳରେ ବାସ କରୁଥିବା ଲକ୍ଷାଧିକ ବସ୍ତିବାସିନ୍ଦା ଓ କିଛି ଗ୍ରାମାଞ୍ଚଳବାସୀଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ଭୋଟ ଯିଏ ଅଧିକ ପାଇବ, ସେ ଯିତିବା ସହଜ ହେବ ବୋଲି ଆଲୋଚନା ହେଉଛି। ଇସ୍ପାତ ସହରାଞ୍ଚଳରେ ଥିବା ବସ୍ତିବାସିନ୍ଦା, ମହାନଗର ନିଗମ ଅନ୍ତର୍ଗତ ବସ୍ତିବାସିନ୍ଦାଙ୍କ ପରି ସୁବିଧା ସୁଯୋଗ ପାଇବାକୁ ନେଇ ଅନେକ ପରିମାଣରେ ବଞ୍ଚିତ ହେଉଥିବାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ମତଦାତାମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏହି ଅସନ୍ତୁଷ୍ଟ ମତଦାତାଙ୍କୁ ଗୋପାଳ ଦାସ ନିଜ ସପକ୍ଷକୁ ନେବାକୁ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା।
ସେହିପରି ବିଜେପି ପକ୍ଷରୁ ଗତଥର ଦ୍ୱିତୀୟ ସ୍ଥାନରେ ଥିବା ଜଗବନ୍ଧୁ ବେହେରାଙ୍କ ବଦଳରେ ନୂଆ ମୁହଁଭାବେ ଦୁର୍ଗା ତନ୍ତୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳର ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ରହିବା ସହ ଜଗବନ୍ଧୁ ମଧ୍ୟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଆର୍ଏସପି କର୍ମଚାରୀ ସହିତ ଜଣେ ରାଷ୍ଟ୍ରୀୟ ସ୍ୱୟଂ ସେବକ କର୍ମୀଭାବେ ଦୁର୍ଗା ତନ୍ତିଙ୍କ ପରିଚୟ ରହିଛି। ଏହା ସହିତ ଦଳର ଅନୁସୁଚୀତ ମୋର୍ଚ୍ଚାର ଜଣେ ସକ୍ରୀୟ ନେତାଭାବେ ମଧ୍ୟ ତାଙ୍କର ପରିଚୟ ରହିଛି। ତେଣୁ ସେ ଦଳର ନେତା ଓ କର୍ମୀମାନଙ୍କ ସମର୍ଥନ ସହିତ ଆର୍ଏସପି କର୍ମଚାରୀଙ୍କ ମତ ପାଇବା ନେଇ ଆଶାବାଦୀ ରହିଛନ୍ତି।