ହିମାଚଳ ପ୍ରଦେଶରେ ଲଗାଣ ବର୍ଷା : ଅନେକ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ
1 min read
ଦେଶର ଉତ୍ତର ଭାଗରେ ଥିବା ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟାରେ କେତେକ ସ୍ଥାନରେ ଭୀଷଣ ବର୍ଷା ହୋଇଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଭୀଷଣ ବର୍ଷାରେ ରାଜ୍ୟର କେତେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ଏହି ବର୍ଷା ଯୋଗୁଁ ହଜାର ହଜାର ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକ, ବ୍ୟବସାୟୀ ଆଦି ବର୍ଗର ଲୋକେ ବିଭିନ୍ନ ସ୍ଥାନରେ ପହସି ରହିଛନ୍ତି। ସୂଚନା ମୁତାବକ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୬ ଓ ୭ ତାରିଖରୁ ଲାଗି ରହିଥିବା ବର୍ଷା ଯୋଗୁଁ ଏକାଧିକ ସମସ୍ୟା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ରାସ୍ତା ଭାସିଯାଇଛି।

ଆଉ କେତେକ ସ୍ଥାନରେ ଥିବା ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟତ ପ୍ରଭାବିତ ହୋଇଛି। ରବିବାର ଓ ସୋମବାର ମଧ୍ୟ କେତେକ ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷ କରି ବିଲାଶପୁର, ଚାମ୍ବା, ହମିରପୁର, କାଙ୍ଗ୍ରା, କୁଲ୍ଲୁ ଏବଂ ମଣ୍ଡି ଆଦି ଜିଲ୍ଲାରେ ଅଧିକ ବର୍ଷା ହୋଇଛି। ଏହାକୁ ନେଇ ସେଠାକାର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାରମ୍ବାର ସତର୍କ ସୂଚନା ଦିଆଯାଉଛି।କେଉଁଠି ମାଟି ଅତଡ଼ା ଖସୁଥିଲାବେଳେ ଆଉ କିଛି ସ୍ଥାନରେ ରାସ୍ତା ଧୋଇଯାଇଛି। ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ପର୍ଯ୍ୟଟକମାନେ। ଯେଉଁମାନେ ଯଥେଷ୍ଟ ପୂର୍ବରୁ ହିମାଚଳ ପ୍ରଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳି ବୁଲିବା ନିମନ୍ତେ ଅଗ୍ରୀମ ବୁଲିଙ୍ଗ କରି ପହଞ୍ଚିଥିଲେ ସେମାନେ ରହିପାରୁନାହାଁନ୍ତି କିମ୍ବା ଛାଡ଼ି ଚାଲିଯିବାର ସୁବିଧା ମଧ୍ୟ ପାଉନାହାଁନ୍ତି।