ସ୍ମାର୍ଟସିଟିରେ ବସ୍ତିର ବିକାଶ ପ୍ରଚାରରେ ସୀମିତ : କଂଗ୍ରେସ ନେତାଙ୍କ ଅଭିଯୋଗ
1 min read
ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ୩ ନମ୍ୱର ୱାର୍ଡର ଦେଓଗାଁ ଅଞ୍ଚଳର ମେହେର ବସ୍ତି, ଗଞ୍ଜାମ ବସ୍ତି, ଲୋହରା ବସ୍ତି ଆଦି ଅଞ୍ଚଳକୁ ବରିଷ୍ଠ କଂଗ୍ରେସ ନେତା ବିରେନ ସେନାପତି ବୁଲି ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ବିଭିନ୍ନ ମୌଳିକ ସମସ୍ୟାଗୁଡିକୁ ଦେଖିବା ସହିତ ବସ୍ତିବାସୀଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ଅନେକ ବସ୍ତିବାସୀ ସରକାରଙ୍କ ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମରୁ ବଞ୍ଚିତ ହେଉଥିବା ବେଳେ ଯେଉଁମାନେ କିଛି ମାତ୍ରାରେ ଉପକୃତ ହେଉଛନ୍ତି ପରବର୍ତ୍ତୀ ସମୟରେ ବିନା କାରଣରେ ସମ୍ପୃକ୍ତ କାର୍ଯ୍ୟକ୍ରମରୁ ବାଦ ପଡିଥିବା ଦେଖିବାକୁ ପାଇଥିଲେ। ମହାନଗର ନିଗମ କର୍ତ୍ତୃପକ୍ଷ ସେମାନଙ୍କ ଭତ୍ତା ବ୍ୟାଙ୍କକୁ ଯାଉଛି ବୋଲି କହୁଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ସମ୍ପୃକ୍ତ ହିତାଧିକାରୀଙ୍କ ଖାତାକୁ କିଛି ଅର୍ଥ ଆସିନାହିଁ ବୋଲି କହି ସେମାନଙ୍କୁ ଫେରାଉଥିବା କେତେକ ହିତାଧିକାରୀ କହିଥିଲେ। ସେହିପରି ରାସନ କାର୍ଡ ଧାରୀ କେତେକ ଗରିବ ଶ୍ରେଣୀର ପରିବାର ପାଉନଥିବା ବେଳେ ଯେଉଁମାନେ ପାଉଛନ୍ତି ସେମାନଙ୍କ ମଧ୍ୟରୁ କେତେକ ପରିବାରର ପୁରା ସଦସ୍ୟଙ୍କୁ ମିଳୁନଥିବା ଅଭିଯୋଗ କରିଥିଲେ।

ଏସବୁ କଥା ବୁଝିବା ପାଇଁ ସରକାରୀ ଅଧିକାରୀଙ୍କର ସମୟ ନାହିଁ ବୋଲି ଏହି ଅବସରରେ ଶ୍ରୀ ସେନାପତି ଶୁଣିବାକୁ ପାଇଥିଲେ। ଅନୁରୂପ ଭାବେ ଏହିସବୁ ବସ୍ତି ଅଞ୍ଚଳରେ ନାଳର ଆବଶ୍ୟକତା ଥିବାବେଳେ ନିର୍ମାଣ ଅଭାବରୁ ମଇଳା ପାଣି ରାସ୍ତାରେ ପ୍ରବାହିତ ହେଉଥିବା ଦେଖିବାକୁ ପାଇଥିଲେ। ଗଞ୍ଜାମ ବସ୍ତିରେ ନାଳି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ପାଣି ନିଷ୍କାସିତ ହୋଇପାରୁ ନଥିବାବେଳେ ଲୋହରା ବସ୍ତିରେ ନାଳି ଅଭାବରୁ ବ୍ୟବହୃତ ମଇଳା ପାଣି ରାସ୍ତାରେ ପ୍ରବାହିତ ହେଉଥିବା ଦେଖିଥିଲେ। ଏସବୁ ସମସ୍ୟାଗୁଡିକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ସେନାପତି ଏହି ଅବସରରେ ବାସିନ୍ଦାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ସେନାପତିଙ୍କ ସହ ଏହି ଗସ୍ତ ସମୟରେ ପିସିସି ସଭ୍ୟ ସବୀର ହୁସେନ, ସେବାଦଳର ବୁଲୁ ଦାସ, ଯୁବନେତା ମିଟୁ ସାହାଣୀ ପ୍ରମୁଖ ସାମିଲ ଥିଲେ।