ରାଉରକେଲା ଇସ୍ପାତ କାରଖାନା ଏବଂ ଟ୍ରାଇଫେଡ ଦ୍ୱାରା ଆୟୋଜିତ ‘ଆଦି ମହୋତ୍ସବ ୨୦୨୩’ ଉଦଘାଟିତ
1 min read
ରାଉରକେଲା ଇସ୍ପାତ କାରଖାନା ଓ ଭାରତୀୟ ଜନଜାତି ସମବାୟ ବିପଣନ ସଂସ୍ଥା ଲିମିଟେଡ (ଟ୍ରାଇଫେଡ)ର ମିଳିତ ଆନୁକୂଲ୍ୟରେ ରାଉରକେଲା ସେକ୍ଟର ୫ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦିବାସୀ ସଂସ୍କୃତି, ହସ୍ତଶିଳ୍ପ, ବ୍ୟଞ୍ଜନ ଏବଂ ବାଣିଜ୍ୟର ଉତ୍ସବ ‘ଆଦି ମହୋତ୍ସବ’ ଅପ୍ରେଲ ୭ ତାରିଖରେ ଉଦଘାଟିତ ହୋଇଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲା ଠାରେ ଆୟୋଜିତ ହେଉଥିବା ଏହି ମହୋତ୍ସବକୁ ପ୍ରଶଂସା କରି ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଆମର ଜନଜାତି ସମୁଦାୟର ଐତିହ୍ୟ ଏବଂ ସଂସ୍କୃତି ପାଇଁ ଭାରତ ଗର୍ବିତ। ସୁନ୍ଦରଗଡର ମାନ୍ୟବର ସାଂସଦଜୁଏଲ ଓରାମ ଏହି ମହୋତ୍ସବର ଉଦଘାଟନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ରୂପେ ଜାତୀୟ ଜନଜାତି ଆୟୋଗର ମାନ୍ୟବର ସଦସ୍ୟ, ଅନନ୍ତ ନାୟକ, ବିରମିତ୍ରପୁର ବିଧାୟକ, ଶଙ୍କର ଓରାମ ଏବଂ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ ଉପସ୍ଥିତ ଥିଲେ। ଏହି ଅବସରରେ ଜୁଏଲ ଓରାମ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଟ୍ରାଇଫେଡ ଏବଂ ଆରଏସପିର ପ୍ରୟାସର ପ୍ରଶଂସା କରିଥିଲେ। ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ଭାରତୀୟ ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧତା ଏବଂ ସେମାନଙ୍କର ଗୌରବମୟ ସଂସ୍କୃତି ଏବଂ ପରମ୍ପରା ବିଷୟରେ ଉଲ୍ଲେଖ କହିଥିଲେ। ଆଦିବାସୀ କାରିଗର ଏବଂ ଉଦ୍ୟୋଗୀଙ୍କୁ ବୃହତ ବଜାର ସହିତ ଯୋଡିବା ଏବଂ ଭାରତର ଜନଜାତିମାନଙ୍କର ଜ୍ଞାନ ଏବଂ ଦୂରଦୃଷ୍ଟିକୁ ଲୋକଲୋଚନକୁ ଆଣୁଥିବା ଆଦି ମହୋତ୍ସବ ପଦକ୍ଷେପର ସେ ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ଶଙ୍କର ଓରାମ ତାଙ୍କ ସମ୍ବୋଧନରେ ଏଭଳି ଜାତୀୟ ମେଳା ଆୟୋଜନର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ ଯାହା ଆଦିବାସୀ ସମ୍ପ୍ରଦାୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଦେଶର ବିଭିନ୍ନ ସ୍ଥାନରୁ ଇସ୍ପାତ ସହରକୁ ଆସିଥିବା ଶହ ଶହ ଜନଜାତିୟ କାରିଗରଙ୍କୁ ସ୍ୱାଗତ କରି ଶ୍ରୀ ଭୌମିକ କହିଥିଲେ ଯେ , “ଆରଏସପି ଏହାର ବିବିଧ ସିଏସ୍ଆର ପଦକ୍ଷେପ ମାଧ୍ୟମରେ ରାଉରକେଲା ତଥା ଏହାର ଆଖପାଖରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ଉଦ୍ୟମ ଜାରି ରଖିଛି। ।

ଟ୍ରାଇଫେଡ ଓଡିଶା ରାଜ୍ୟ ନିର୍ଦ୍ଦେଶକ ରାହୁଲ କୁମାର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ, ଏକେମା ବଡଗାଁର ଜୟ ବାବାମଣି କିସାନ୍ ନାଚଗୀତ ଦଳ କିସାନ ନୃତ୍ୟ ପରିବେଷଣ କରିଥିଲେ। ବଣେଇର ପାଉଡି ଭୁୟା ନୃତ୍ୟ ଦଳ ଚାଙ୍ଗୁ ନୃତ୍ୟ ଉପସ୍ଥାପନ କରିଥିବାବେଳେ କୁଆରମୁଣ୍ଡାର ଓରାମ ଡ୍ୟାନ୍ସ ଗ୍ରୁପ୍ କରମା ନୃତ୍ୟ ପରିବେଷଣ କରିଥିଲେ। ଆଦି ମହୋତ୍ସବ ଅପ୍ରେଲ ୧୫ ତାରିଖରେ ଶେଷ ହେବ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ କାରିଗରମାନେ ଏହି ଆକର୍ଷଣୀୟ ଉତ୍ସବରେ ଭାଗ ନେଉଛନ୍ତି। ଜୈବିକ ଉତ୍ପାଦ, ବୟନ, ଚିତ୍ରପଟ୍ଟ, ଝୋଟ ଉତ୍ପାଦ, ବାଉଁଶ ଦ୍ରବ୍ୟ, ଆଦିବାସୀ ଅଳଙ୍କାର, ଲ୍ୟାମ୍ପ ସେଟ୍, କାନ୍ଥ ଉତ୍ପାଦ ଏବଂ ଅନ୍ୟାନ୍ୟ ହସ୍ତତନ୍ତ ସାମଗ୍ରୀ ଇତ୍ୟାଦି ବିକ୍ରୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ। ଚଳିତ ବର୍ଷ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ପାଇଁ ମିଲେଟ ଆଧାରିତ ଖାଦ୍ୟ ପଦାର୍ଥ ଏବଂ ରୋଷେଇ ଉପରେ ଅନେକ ଷ୍ଟଲ ମଧ୍ୟ ରହିଛି।