ରାଉରକେଲାରେ ଆଇପିଏଲ୍ ବେଟିଙ୍ଗ୍ ଘଟଣାକୁ ଧରିଲା ପୋଲିସ: ୬ ଅଭିଯୁକ୍ତ ଗିରଫ
1 min read
ସାରା ବିଶ୍ୱରେ ଫଟାଫଟ୍ କ୍ରିକେଟଭାବେ ପରିଚିତ ଆଇପିଏଲ୍ର ୧୫ତମ ସଂସ୍କରଣ ଗତମାସ ୩୧ ତାରିଖରୁ ଆରମ୍ଭ ହୋଇଛି। ଏହି ଖେଳକୁ ନେଇ ବେଆଇନଭାବେ ଚାଲିଥିବା ଏକ ବେଟିଙ୍ଗ ବା ଜାଲିଆତି କାରବାର ଧରିବାରେ ରଘୁନାଥପାଲ୍ଲୀ ଥାନା ପୋଲିସ ସଫଳ ହୋଇଛି। ଏ ନେଇ ଥାନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସୂଚନା ମୁତାବକ ବେଟିଙ୍ଗ ମାମଲାରେ ୬ଜଣଙ୍କୁ ଗିରଫ କରାଯଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ରବି ସିଂହ, ଶେଖର ବାଧୱାନୀ ଅନୁରାଗ ଦେହରିଆ, ଦିନେଶ ପ୍ରିଥୱାନୀ, ଶଙ୍କର ଗଙ୍ଗୱାନୀ ଓ ଧୀରଜ ଅଧୱାନୀ। ଏହି ସମସ୍ତ ଅଭିଯୁକ୍ତ ଓଡ଼ିଶା ବାହାରୁ ଆସି ରାଉରକେଲାର ସିଭିଲ ଟାଉନ୍ସିପ୍ ଅଞ୍ଚଳରେ ଏକ ଭଡ଼ା ଘର ନେଇ ବେଟିଙ୍ଗ କାରବାର କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ ପ୍ରାୟ ଏକମାସ ଧରି ଏହି କାରବାର ଚାଲୁଥିଲା। ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଓ ବ୍ୟକ୍ତି ସହଯୋଗ କରୁଥିଲେ। ସହଜରେ ଅଧିକ ଟଙ୍କା ରୋଜଗାର କରାଇବା ଆଶା ଦେଇ ଯୁବପିଢ଼ିଙ୍କୁ ଆକର୍ଷିତ କରିଥିଲେ ଏହି ଅଭୁଯୁକ୍ତ ଦଳ। ସେମାନେ ଏକ ଅନ୍ଲାଇନ୍ ୱେବ୍ସାଇଟ୍ ମାଧ୍ୟମରେ ବେଟିଂ କରୁଥିଲେ। ଏ ନେଇ ରଘୁନାଥପାଲ୍ଲୀ ଥାନା ପୋଲିସ ସୂଚନା ପାଇବା ପରେ ଚଢ଼ାଉ କରାଯାଇଥିଲା। ଚଢ଼ଉରେ ଅଭିଯୁକ୍ତମାନଙ୍କ ଠାରୁ ୨୦ଟି ମୋବାଇଲ, ୩ଟି ଏଚ୍ପି ଲ୍ୟାପଟପ୍, ୨ଟି ଲାପଟପ୍ ଚାର୍ଜର, ୩ଟି ମୋବାଇଲ ଚାର୍ଜର, ୨ଟି ଏକ୍ସଟେନ୍ସନ ବୋର୍ଡ, ବିଭିନ୍ନ ବ୍ୟାଙ୍କର ୪ଟି ଏଟିଏମ୍ କାର୍ଡ ଜବତ କରିଛି। ଏହା ସହିତ ସେହିପରି ଅଭିଯୁକ୍ତମାନଙ୍କ ନାମରେ ଥିବା ୮ଟି ବ୍ୟାଙ୍କ ଆକାଉଣ୍ଟକୁ ସାମୟିକ ବନ୍ଦ ବା ଫ୍ରିଜ କରାଯାଇଛି । ଏହି ଆକାଉଣ୍ଟଗୁଡ଼ିକରେ ମୋଟ ୨ ଲକ୍ଷ ୫୦ ହଜାର ଟଙ୍କା ଥିବା ଜଣାପଡ଼ିଛି। ଆଇପିଲ୍କୁ ନେଇ ରାଉରକେଲାଭଳି ଏକ ଅପେକ୍ଷାକୃତ ଛୋଟ ସହରରେ ଆଇପିଏଲ୍ ବେଟିଙ୍ଗ ଚାଲିଥିବାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।