ରାଉରକେଲା ଆକାଂକ୍ଷା ଛାତ୍ରାବାସର ଖାଦ୍ୟବ୍ୟବସ୍ଥା ଖର୍ଚ୍ଚକୁ ନେଇ ଅନ୍ତେବାସୀ ଅସନ୍ତୁଷ୍ଟ

1 min read
Spread the love

ରାଉରକେଲା ସହରର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ ନିକଟରେ ରହିଛି ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଆକାଂକ୍ଷା ଛାତ୍ରାବାସ ଗତ କିଛିମାସ ଧରି ଚର୍ଚ୍ଚାରେ ରହିଛି। ଚଳିତ ମାସ ଆରମ୍ଭରୁ ଏହି ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚକୁ ନେଇ ସମସ୍ୟା ଫଳରେ ଛାତ୍ରଛାତ୍ରୀମାନେ କଲବଲ ହେଉଛନ୍ତି। ସୂଚନା ମୁତାବକ ଏଠାରେ ଥିବା ଦୁଇଟି ହଷ୍ଟେଲ୍‌ରେ ୪୧୨ଜଣ ବିଭିନ୍ନ ବର୍ଗର ଅର୍ଥାତ୍‌ ଉଭୟେ ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା ରହିଛି। ସେହିଭଳି ମହିଳା ବା ବାଳିକା ଛାତ୍ରାବାସରେ ୪୫୨ଜଣ ରହିବା ବ୍ୟବସ୍ଥା ରହିଛି। ଏଠାରେ ରହିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଦୈନିକ ଖାଦ୍ୟବ୍ୟବସ୍ଥା ନିମନ୍ତେ ଛାତ୍ରଛାତ୍ରୀମାନେ ନିଜ ଖର୍ଚ୍ଚ ନିଜେ ବହନ କରିବେ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି। ଏହା ସତ୍ତ୍ୱେ କିଛି ଅନ୍ତେବାସୀ ପ୍ରତିମାସର ନିର୍ଦ୍ଦିଷ୍ଟ ସମୟରେ ଖାଇବା ଖର୍ଚ୍ଚ ପଇଠ କରୁ ନଥିବା କହିଛନ୍ତି ଛାତ୍ରାବାସ ପରିଚାଳକ। ଏଥିପାଇଁ ଖାଦ୍ୟ ବ୍ୟବସ୍ଥା ପରିଚାଳନା କରିବାରେ ଅସୁବିଧା ହେଉଛି। ଅନ୍ୟପକ୍ଷରେ ଅନ୍ତେବାସୀମାନଙ୍କ ସୂଚନା ମୁତାବକ ପ୍ରତିମାସ ଖାଦ୍ୟ ବ୍ୟବସ୍ଥା ପାଇଁ ରହିଥିବା ଦେୟକୁ ୧୨୦୦ଟଙ୍କାରୁ ୧୫ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାକୁ ନେଇ ସେମାନେ ଅସନ୍ତୁଷ୍ଟ ଅଛନ୍ତି। ସମ୍ପ୍ରତି ଖାଦ୍ୟଦ୍ରବ୍ୟର ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ମାସିକ ଦେୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଛାତ୍ରାବାସ ପରିଚାଳକ କହିଛନ୍ତି। ଏହାକୁ ନେଇ ଚଳିତମାସ ୧ ତାରିଖରୁ ଦେଖାଦେଇଥିବା ସମସ୍ୟାକୁ ନେଇ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ତେବାସୀମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ। ଛାତ୍ରାବାସ ପରିଚାଳକଙ୍କ ସୂଚନା ମୁତାବକ ଅନ୍ତେବାସୀମାନେ ଠିକ୍‌ ସମୟରେ ଖାଦ୍ୟପାଇଁ ବ୍ୟୟ ବା ମେସ୍‌ ଖର୍ଚ୍ଚ ପଇଠ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଖାଦ୍ୟସାମଗ୍ରୀର ଦରବୃଦ୍ଧିକୁ ନେଇ ମାସିକ ଖର୍ଚ୍ଚ ବୃଦ୍ଧି ଜରୁରୀ ହୋଇଛି। ଏହି କ୍ରମରେ ଆସନ୍ତା କାଲି ଗୁରୁବାରଠାରୁ ସ୍ଥିତି ସାମାନ୍ୟ ହେବ ବୋଲି ପରିଚାଳକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କିଛି ଅଭିଭାବକ ମେସ୍‌ ପରିଚାଳନା ଖର୍ଚ୍ଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ସେହିଭଳି ଅନ୍ତେବାସୀମାନଙ୍କର ପରୀକ୍ଷା ସମୟ ଥିବାରୁ ଏବଂ ଖାଦ୍ୟ ମିଳୁ ନଥିବାକୁ ନେଇ ସେମମାନେ ଅସୁବିଧାରେ ଥିବା କହିଛନ୍ତି। ସେମାନେ ବାଧ୍ୟ ହୋଇ ଆଖପାଖରୁ ନିଜସ୍ୱ ଉଦ୍ୟମରେ କିଛି ଖାଦ୍ୟ ଯୋଗାଡ଼ କରି ଖାଉଛନ୍ତି ବୋଲି କହିଛନ୍ତି। ଏହି କ୍ରମରେ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ହସ୍ତକ୍ଷେପ କରି ଘଟଣାର ଆବଶ୍ୟକ ସମାଧାନ କରିବା ପାଇଁ କିଛି ଅଭିଭାବକ କହିଛନ୍ତି। ସୂଚନା ମୁତାବକ ଗତ କିଛିଦିନ ପୂର୍ବେ କେତେକ କାରଣରୁ ଏହି ଦୁଇଟି ଛାତ୍ରାବାସରେ ରହିଥିବା ଅନ୍ତେବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।  

Leave a Reply

Your email address will not be published. Required fields are marked *

error: Content is protected !!