ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ
1 min read
ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଉତ୍କଳ ଦିବସ ଉତ୍ସବ ଏବଂ ପୁରସ୍କାର ବିତରଣ ସମାରୋହ ଅପ୍ରେଲ ୧ ତାରିଖରେ ସିଭିକ୍ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ବିଶାଳ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ସୀମା ଦେବ ଭୌମିକଙ୍କ ସମେତ କାରଖାନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥିମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପଟ୍ଟଚିତ୍ରରେ ପୁଷ୍ପଅର୍ଘ୍ୟ ଅର୍ପଣ କରିଥିଲେ ଏବଂ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ସିଙ୍ଘାରି କଳା ନିକେତନର କଳାକାରଙ୍କ ଦ୍ୱାରା ଉତ୍କଳ ବନ୍ଦନା ପରିବେଷଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ନୃତ୍ୟ ମଧୁରମର କଳାକାରମାନଙ୍କ ଦ୍ୱାରା ଓଡ଼ିଶାର ସାଂସ୍କୃତିକ ବିବିଧତାକୁ ଚିତ୍ରଣ କରୁଥିବା ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ଭକ୍ତ ସାଲବେଗଙ୍କ ରଚିତ ‘ଆହେ ନୀଳ ଶଇଳ” ଓ ଯଶୋଦାଙ୍କ ସ୍ନେହ, ମମତା ଓ ବାତ୍ସଲ୍ଯଭାବର ଅଭିନୟ ‘କଳା ମାଣିକରେ’, ଏହାପରେ ସୁନାମଧନ୍ୟ କାହାଣୀକାର ପ୍ରାଚିତାରା ମିଶ୍ରଙ୍କ ଦ୍ଵାରା ଏକାକୀ ଅଭିନୟ ମାଧ୍ୟମରେ ଓଡିଶାର ଇତିହାସ ଓ ସାଂସ୍କୃତିକ ଐତିହ୍ୟର ବର୍ଣ୍ଣନା ତଥା ଶେଷରେ ମ୍ୟୁଜିକ ସର୍କଲର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ପରିଷଣ କରିଥିଲେ ଯାହା ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ଡ଼ିଆଇସି ନୃତ୍ୟଗୁରୁମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ। ଲୋକସମ୍ପର୍କ ବିଭାଗର ସହକାରୀ ପ୍ରବନ୍ଧକ, ଶଶାଙ୍କ ଶେଖର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ସ୍ମିତା ମିଶ୍ରଙ୍କ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶ୍ରୀ ପଟ୍ଟନାୟକ ଶେଷରେ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ। ପ୍ରୋଟୋକଲ୍, ହସ୍ପିଟାଲିଟି ଏବଂ ସମାଜ କଲ୍ୟାଣ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ବିଜୟ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।