ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବାଙ୍ଗି ବନାଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ : ୧୧ ଗିରଫ
1 min read
ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବାଙ୍କି ବନାଞ୍ଚଳର ବଡଗାଁରୁ ବନବିଭାଗର ଏକ ସ୍ବତନ୍ତ୍ର ଦଳ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି। ଏହି ଘଟଣାରେ ମୋଟ ୧୦ ଜଣଙ୍କୁ ଗିରଫ କରାଯିବା ସହ ଘଟଣାରେ ଜଡ଼ିତ କେଉଁଝର ଅଞ୍ଚଳର ଜଣକୁ ଗିରଫ କରାଯାଇଛି। ଜବତ ହାତୀଦାନ୍ତ ମଧ୍ୟରୁ ଗୋଟିଏର ଲମ୍ବା ୨୪ ଇଞ୍ଚ ଓ ଅନ୍ୟଟି ୨୨ ଇଞ୍ଚ୍ ବୋଲି ରାଉରକେଲା ବନଖଣ୍ଦ ଅଧିକାରୀ ଯଶବନ୍ତ ସେଠୀ କହିଛନ୍ତି। ଏହାର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ତସ୍କରମାନେ ହାତୀଦାନ୍ତ ଦୁଇଟିକୁ ମାଟି ଭିତରେ ପୋତି ରଖିଥିବା ଜଣାପଡ଼ିଥିଲା।

ଏ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ପାଇ ବନବିଭାଗର ସ୍ୱତନ୍ତ୍ର ଦଳ ଚଢ଼ଉ କରିବା ସହ ମାଟି ଭିତରେ ପୋତାଯାଇଥିବା ଦାନ୍ତ ଦୁଇଟିକୁ ଖୋଳି ବାହାର କରିଥିଲେ। ଗିରଫ ଅଭିଯୁକ୍ତମାନଙ୍କଠାରୁ ହାତୀ ଦାନ୍ତ ସମେତ ୧୨ଟି ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଆହୁରି କିଛି ଲୋକଙ୍କ ସମ୍ପୃ୍କ୍ତି ଥିବା ଅନୁମାନ କରାଯାଉଛି। ହାତୀଦାନ୍ତ ଜବତ ପରେ ବନବିଭାଗର ସ୍ବତନ୍ତ୍ର ଦଳ ସ୍ଥାନୀୟ ଅଞ୍ଚଳରେ ଚଢ଼ଉ ଜୋରଦାର କରିଛି। ପାନପୋଷ ବଣଖଣ୍ଡ କାର୍ଯ୍ୟାଳୟରେ ଏହି ଘଟଣା ସମ୍ପର୍କରେ ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ସୂଚନା ଦେଇଥିଲାବେଳେ ଏହି ଅବସରରେ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ବନାଞ୍ଚଳ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।