ରାଉରକେଲା ସହରର ପୂରାତନ ଅନୁଷ୍ଠାନ ଆଦର୍ଶ ପାଠାଗାର କର୍ମକର୍ତ୍ତାଙ୍କ ବିରୋଧରେ ଅଦାଲତ ନୋଟିସ୍‌ : ଜୁନ୍‌ ମାସ ଶେଷ ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ

1 min read
Spread the love

ଉଭୟ ପକ୍ଷର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସ୍ୱାର୍ଥ ସାଧନ ନହେବାରୁ ସହରର ଅନ୍ୟତମ ପୂରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନଭାବେ ପରିଚିତ ଆଦର୍ଶ ପାଠାଗାର ଏବେ କାଠଗଡ଼ାରେ ରହିଥିବା ଚର୍ଚ୍ଚା ହେଉଛି। ଏ ନେଇ ବର୍ତ୍ତମାନର ପାଠାଗାର ସାଧାରଣ ସମ୍ପାଦକ ପ୍ରତିକ୍ରିୟା ଦେବାକୁ ମନା କରିଥିଲାବେଳେ, ସଭାପତିଙ୍କ ପ୍ରତିକ୍ରିୟା ମୁତାବକ ‘‘ଆମେ ଏହି ରାୟ ବିରୋଧରେ ପୁଣି ଥରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛୁ ଏବଂ ଖୁବ୍‌ ଶୀଘ୍ର ଏ ନେଇ ଆମ ସପକ୍ଷରେ ରାୟ ଆସିବ’’। ସହରର ଅନ୍ୟତମ ପୂରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନଭାବେ ସୁନାମ ରହିଥିବା ଆଦର୍ଶ ପାଠାଗାରର ଭବିଷ୍ୟତ କୁଆଡ଼େ ଯାଉଛି ତାହା ଦେଖିବାକୁ ବାକି ରହିଲା।

ରାଉରକେଲା ଇସ୍ପାତ ସହରାଞ୍ଚଳର ମଧ୍ୟବର୍ତ୍ତୀ ଅଞ୍ଚଳ ସେକ୍ଟର-୫ ଅଧିନସ୍ଥ ଭଞ୍ଜ ଭବନ ଏବଂ ପାରିପାର୍ଶ୍ୱିକ ଅଞ୍ଚଳର ୩ ଏକର ୧୯ ଡେସିମଲ ଜମିକୁ ଆଦର୍ଶ ପାଠାଗାର ଅନଧିକୃତ ଦଖଲରେ ରଖିଛି। ୨୦୨୦ ରେ, ଆରଏସପି ଏହି ଅଞ୍ଚଳରୁ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଇଷ୍ଟେଟ୍ ଅଫିସରଙ୍କ ଠାରେ ଆବଶ୍ୟକ ବ୍ୟବସ୍ଥା ଆରମ୍ଭ କରିଥିଲା। ଏହି ପ୍ରକ୍ରିୟାକୁ ବିରୋଧ କରି ଆଦର୍ଶ ପାଠାଗାର ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୦୨୧ ମସିହାରେ ରିଟ୍ ଆବେଦନ କରାଯାଇଥିଲା। ଏହାର ଶୁଣାଣି ପରେ ୨୦୨୩ ସେପ୍ଟେମ୍ବର ୨ ତାରିଖରେ ଆଦେଶ ଦ୍ଵାରା ଏହି ରିଟ୍ ଆବେଦନକୁ ନ୍ୟାୟାଳୟ ଖାରଜ କରିବା ସହ ଚାଲିଥିବା ଉଚ୍ଛେଦକୁ ଆଇନଗତ ଏବଂ ଉପଯୁକ୍ତ ବୋଲି କହିଥିଲେ। ଏହାପରେ ଆର୍‌ଏସପି ଇଷ୍ଟେଟ୍‌ ଅଧିକାରୀ ୨୦୨୩ ସେପ୍ଟେମ୍ବର ୨୭ ତାରିଖରେ ଏକ ନିର୍ଦ୍ଦେଶ ଦେଇ ୧୫ ଦିନ ମଧ୍ୟରେ ଭଞ୍ଜ ଭବନ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ଆଦର୍ଶ ପାଠାଗାର ପକ୍ଷରୁ ସୁନ୍ଦରଗଡ ଜିଲ୍ଲା ଜଜ୍ ଙ୍କ ନିକଟରେ ଏକ ଅପିଲ କରି ଉଚ୍ଛେଦ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏହି କ୍ରମରେ ଜିଲ୍ଲା ଜଜ୍, ସୁନ୍ଦରଗଡଙ୍କ ପକ୍ଷରୁ ଶୁଣାଣି ପରେ ୨୦୨୪ ଅପ୍ରେଲ ୩୦ ତାରିଖର ଦେଇଥିବା ଏକ ରାୟ ଅନୁଯାୟୀ ଆଦର୍ଶ ପାଠାଗାର ଦ୍ୱାରା ଆରଏସପି ବିରୋଧରେ ଦାଖଲ ହୋଇଥିବା ଅପିଲକୁ ଖାରଜ କରିଦେଇଛନ୍ତି ଏବଂ ଭଞ୍ଜ ଭବନ ପରିସର ଦଖଲ ଅଞ୍ଚଳକୁ ଖାଲି କରି ଆଦେଶ ଦିନଠାରୁ ୨ ମାସ ମଧ୍ୟରେ ଆରଏସପିକୁ ହସ୍ତାନ୍ତର କରିବା ପାଇଁ ଆଦର୍ଶ ପାଠାଗାରକୁ ନିର୍ଦ୍ଦେଶ ଦେଇଛନ୍ତି।  ଏ ନେଇ ଆର୍‌ଏସପି ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ଗଣମାଧ୍ୟମକୁ ସମ୍ବାଦ ଚଳିତ ମାସ ୨୧ ତାରିଖରେ ଦିଆଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି।

ଆଲୋଚନା ମଧ୍ୟରେ ପ୍ରଥମ କଥା ହେଉଛି ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ପ୍ରଦତ୍ତ ରାୟ ୩୦ ଅପ୍ରେଲ୍‌ରେ ଦିଆଯାଇଥିଲେ ସୁଦ୍ଧା କେଉଁ ଅଜଣା କାରଣରୁ ଏ ନେଇ ଆର୍‌ଏସପି କର୍ତ୍ତୃପକ୍ଷ ମଇ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ, ସମ୍ଭତଃ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅପେକ୍ଷା ପ୍ରସଙ୍ଗକୁ ନିଆଯାଇପାରେ। ଅନ୍ୟ ପକ୍ଷରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭଞ୍ଜ ଭବନ ପରିସରରେ ରହିଥିବା ଭଞ୍ଜ କଲ୍‌ଚରାଲ୍‌ ଟ୍ରଷ୍ଟ୍‌, ଭଞ୍ଜ କଳା କେନ୍ଦ୍ର ଏବଂ ଆଦର୍ଶ ପାଠାଗାର ଆଦି ଅନୁଷ୍ଠାନ ଦ୍ୱାରା ଅନେକ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ହୋଇଆସୁଛି । ଏହିସବୁ କାର୍ଯ୍ୟକ୍ରମ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରାୟତଃ ଆର୍‌ଏସପି ଅଧିକାରୀ ଓ ଆର୍‌ଏସପି କର୍ତୃପକ୍ଷଙ୍କ ସହଯୋଗରେ ହୋଇଆସୁଥିଲା। ସବୁଠାରୁ ବଡ଼ କଥା ହେଉଛି ୨୦୧୯ ମସିହା ପର୍ଯ୍ୟନ୍ତ ଆଦର୍ଶ ପାଠାଗାରର ବିଭିନ୍ନ ପଦପଦବୀରେ ବରିଷ୍ଠ ଆର୍‌ଏସପି ଅଧିକାରୀମାନେ ରହୁଥିଲେ। କିନ୍ତୁ ୨୦୧୮-୨୦୧୯ ମସିହାରେ ଆଦର୍ଶ ପାଠାଗାରର ସାଧାରଣ ସମ୍ପାଦକଭାବେ ଦାୟିତ୍ୱ ନେଇଥିବା ଜଣେ ଅବସରପ୍ରାପ୍ତ ଆର୍‌ଏସପି କର୍ମଚାରୀଙ୍କ ଯୋଗୁଁ ହିଁ ମୁଖ୍ୟତଃ ସମସ୍ୟା ଆରମ୍ଭ ହୋଇଥିଲା। ଏହାପରେ ଆଦର୍ଶ ପାଠାଗାରର ସମସ୍ତ ପଦପଦବୀରୁ ଆର୍‌ଏସପି ଅଧିକାରୀମାନେ ଓହରିଯିବା ସହ ପାଠାଗାର ଉପରେ ଆରମ୍ଭ ହୋଇଥିଲା କାର୍ଯ୍ୟନୁଷ୍ଠାନ। ସେହି ସମୟରେ ପାଠାଗାର କର୍ତ୍ତୃପକ୍ଷ ସମସ୍ତ ନୀତି ନିୟମ ପାଳନ କରୁଥିବା ସୂଚନା ଦେଇଥିଲାବେଳେ ଆର୍‌ଏସପି କର୍ତ୍ତୃପକ୍ଷ, ପାଠାଗାର କର୍ମକର୍ତ୍ତା ବେଆଇନ କାର୍ଯ୍ୟ କରୁଥିବା କହିଥିଲେ। ଏହାକୁ ନେଇ ଗତ ୪ବର୍ଷ ଧରି ଆଲୋଚନା ଓ ସମାଲୋଚନା ସହିତ ଅଦାଲତରେ ବାଦ ବିବାଦ ଚାଲିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭଞ୍ଜଭବନ ପରିସରରେ ଥିବା ଖୋଲାପଡ଼ିଆରେ ବର୍ଷ ତମାମ ହେଉଥିବା ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବ୍ୟବସାୟିକ କାର୍ଯ୍ୟକ୍ରମ ମୁଖ୍ୟତଃ ଆଦର୍ଶ ପାଠାଗାର ମାଧ୍ୟମରେ ହୋଇଥାଏ। ଏହି ବ୍ୟବସାୟିକ କାର୍ଯ୍ୟକ୍ରମରୁ ହେଉଥିବା ଆୟର ସିଂହଭାଗ ପାଠାଗାରର ଆୟ ଉତ୍ସର ମାଧ୍ୟମ। ଏସବୁ ସତ୍ତ୍ୱେ ସୁଦ୍ଧା ଏହି ଆୟ ଆର୍‌ଏସପି କର୍ତ୍ତୃପକ୍ଷଙ୍କୁ ମିଳୁ ନଥିବା ସହିତ ଏହିସବୁ ଆୟ ଓ ତଦ୍‌ଜନିତ ବ୍ୟୟର ଉପଯୁକ୍ତ ହିସାବପତ୍ର ହେଉ ନଥିବା ଅଭିଯୋଗ ହୋଇଆସୁଛି। ସେହିଭଳି ସହରର ଅନ୍ୟତମ ପୂରାତନ ଅନୁଷ୍ଠାନଭାବେ ପରିଚିତ ଆଦର୍ଶ ପାଠାଗାରକୁ ନେଇ ଚାଲିଥିବା ବିବାଦ ହାତଗଣତି କିଛି ବର୍ତ୍ତମାନର ଆର୍‌ଏସପି ଅଧିକାରୀ ଓ ପୂର୍ବତନ ବା ଅବସର ପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ବ୍ୟକ୍ତିଗତ ଅହଂକାର କାରଣରୁ ହେଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!