ରାଉରକେଲାରେ ଅମିତ ସାହା : ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ
1 min read
ଦୁଇ ତିନିଦିନର ଆଲୋଚନା ଓ ଚର୍ଚ୍ଚା ପରେ ଶେଷରେ ରାଉରକେଲାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସହରର ବିମାନ କ୍ଷେତ୍ର ନିକଟରେ ଥିବା ପଡ଼ିଆରେ ହୋଇଥିବା ଏକ ନିର୍ନାଚନୀ ସଭାରେ ଯୋଗଦେଇ ଶ୍ରୀ ଶାହା ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିଛନ୍ତି। ଏହା ସହିତ ଆମେ ରାଜ୍ୟରେ ୭୫ରୁ ଅଧିକ ବିଧାନସଭାରେ ଜିତିବା ସହ ୧୫ରୁ ଅଧିକ ଲୋକସଭା ଆସନରେ ବିଜୟୀ ହୋଇ ରାଜ୍ୟରେ ସରକାର ଗଠନ କରିବୁ ବୋଲି କହିଛନ୍ତି ଶ୍ରୀ ଶାହା। ଓଡ଼ିଶାରେ ଓଡ଼ିଆରେ ଓ ଓଡ଼ିଆମାନଙ୍କ ଦ୍ୱାରା ଶାସନ ଚାଲିବ ତାମିଲମାନଙ୍କ ଦ୍ୱାରା ନିହେଁ ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି ‘ପ୍ରଥମ ୪ ପର୍ଯ୍ୟାୟ ନିର୍ବାଚନରେ ମୋଦିଜୀ ୨୭୦ ସିଟ୍ ଟପିଗଲେଣି। ଏଥର ମୋଦିଜୀ ୪ ଶହ ପାର୍ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି। କେନ୍ଦ୍ର ସହ ଓଡ଼ିଶାରେ ବି ବିଜେପି ସରକାର ଗଠନ ହେବ।

ଓଡ଼ିଶାରେ ଡବଲ ପରିବର୍ତ୍ତନ ହେବା ନିଶ୍ଚିତ ହେଲାଣି । ଓଡ଼ିଶାର ଶାସନ ବ୍ୟବସ୍ଥା ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ଥରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି, ଓଡ଼ିଶାକୁ ନକ୍ସଲବାଦରୁ ମୁକ୍ତି କରିବା କାମ ମୋଦି କରିଛନ୍ତି। ଦେଶର କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରାଯାଇ ନଥିଲାବେଳେ ବିଜେପି ଓଡ଼ିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛି। ଚଳିତ ନିର୍ବାଚନରେ ବିଜେପି ଶାସନ କ୍ଷମତାକୁ ଆସିଲେ ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଗୌରବକୁ ପୁନଃ ପ୍ରତିଷ୍ଠା କରିବ। ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ଶାହ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ସବୁ ଦ୍ୱାର ଖୋଲା ଯାଉନାହିଁ। ପରିକ୍ରମା ନାଁରେ ଏହାକୁ ପର୍ଯ୍ୟଟନ କ୍ଷେତ୍ର କରାଯାଉଛି । ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିତ କରାଯାଉଛି। ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା ନବୀନ ବାବୁ କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସାହା ।

ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି। ବିଜେପି ସରକାର ଆସିଲେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ। ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରତି ବ୍ୟକ୍ତିଙ୍କୁ ୫ କେଜି ଚାଉଳ ଦିଆଯାଉଛି, କିନ୍ତୁ ନବୀନ ବାବୁ ଏହି ଚାଉଳକୁ ନିଜ ବ୍ୟାଗ୍ରେ ଭର୍ତ୍ତି କରି ଦେଉଛନ୍ତି। ଲୋକ ବ୍ୟାଗ୍ ଖାଇବେନି, ଯଦି ଦମ୍ ଅଛି ତେବେ ଅଧିକ ୨ କେଜି ଚାଉଳ ବ୍ୟକ୍ତି ପିଛା ଦିଅ ବୋଲି କହିଛନ୍ତି ଅମିତ ଶାହ । ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି। ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ହଡ଼ପ କରାଯାଉଛି ବୋଲି କହି ଶ୍ରୀ ସାହା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହି ସଭାରେ ଦଳର ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜୁଏଲ ଓରାମଙ୍କ ସମେତ ରାଉରକେଲା ବିଧାନସଭା ଆସନ ପ୍ରାର୍ଥୀ ଦିଲ୍ଲୀପ ରାୟ, ରଘୁନାଥପାଲ୍ଲୀ ଆସନ ପାଇଁ ପ୍ରାର୍ଥୀ ଦୁର୍ଗା ଚରଣ ତନ୍ତି, ବିରମିତ୍ରପୁର ଆସନର ପ୍ରାର୍ଥୀ ତଥା ବିଧାୟକ ଶଙ୍କର ଓରାମଙ୍କ ସମେତ ମୋଟ ୭ଟି ବିଧାନସଭା ଆସନ ପାଇଁ ରହିଥିବା ଦଳୀୟ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଦିଲ୍ଲୀପ ରାୟ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୁନ୍ଦରଗଡ଼ ଜିଲ୍ଲାର ୭ଟିଯାକ ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହେବେ ବୋଲି କହିଛନ୍ତି। ଏହି ଅବସରେ କଂଗ୍ରେସ ଦଳର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କ ସମେତ ଅନେକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏହି ସଭାର ଅନ୍ୟତମ ଆକର୍ଷଣ ଥିଲା ଛୋତ ଛୋଟ ପିଲା ଓ କିଶୋରୀଙ୍କ ଦ୍ୱାରା ଅମିତ ଶାହାଙ୍କ ଅଙ୍କିତ ଚିତ୍ରର ପ୍ରଦର୍ଶନ।