ନେତା, ନୀତି ଓ ରାଜନୀତିର ଚକ୍ରବ୍ୟୁହରେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ମତଦାତା
1 min read
୨୦୦୮ ମସିହାରେ ସେତେବେଳେ ହୋଇଥିବା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ୨୦୦୯ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ହୋଇଥିବା ତିନୋଟିଯାକ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସୁବ୍ରତ ତରାଇ ନିର୍ବାଚନ ଜିତି ହେଟ୍ରିକ୍ କରିଥିଲେ। ଏହି ତିନିପାଳି ମଧ୍ୟରେ ଶ୍ରୀ ତରାଇ ବିଧାୟକ ହେବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଏହାପରେ ୨୦୨୪ ନିର୍ବାଚନ ପାଇଁ ଅନେକ ଆଲୋଚନା ଓ ଚର୍ଚ୍ଚା ପରେ ସେ ନିଜ ପତ୍ନୀ ଅର୍ଚ୍ଚନା ରେଖା ବେହେରାଙ୍କୁ ଶାସକ ଦଳର ଟିକେଟରେ ନିର୍ବାଚନ ମଇଦାନରେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ସୁବ୍ରତ ତାଙ୍କ ରାଜନୀତି ଗୋଟି ଚାଳନାରେ ସଫଳ ହେବେ କି ନାହିଁ ତାହା ଭିନ୍ନ କଥା। କିନ୍ତୁ ଗତ ତିନି ପାଳି ଅର୍ଥାତ୍ ୧୫ ବର୍ଷ ଧରି ମୁଖ୍ୟତଃ ରାଉରକେଲା ଇସ୍ପାତ କାରଖାନା ନିୟନ୍ତ୍ରିତ ସହରାଞ୍ଚଳର ମତଦାତାଙ୍କୁ ନେଇ ଗଠିତ ହୋଇଥିବା ଏହି ନିର୍ବାଚନ ମଣ୍ଡଳୀର ବିକାଶ କେତେ ଓ କ’ଣ ହୋଇଛି ତାହା ଆଲୋଚନା ସାପେକ୍ଷ। ଚଳିତ ନିର୍ବାଚନରେ ପ୍ରାୟ ୧ଲକ୍ଷ ୮୦ ହଜାର ମତଦାତାଙ୍କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀର ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଲାଠିକଟା ବ୍ଲକ୍ ଅନ୍ତର୍ଗତ ୬ଟି ଗ୍ରାମ ପଞ୍ଚାୟତର ବାସିନ୍ଦା। ଗତ ୧୫ ବର୍ଷ ମଧ୍ୟରେ ଏହି ଗ୍ରାମାଞ୍ଚଳର ବିକାଶ ଏବେ ମଧ୍ୟ ଅପହଞ୍ଚ ଥିବା ଦେଖିବାକୁ ମିଳିଛି। ଅନେକ ଗ୍ରାମରେ ସାଧାରଣ ଜୀବନଯାପନ ପାଇଁ ସେଠାକାର ବାସିନ୍ଦା ରୋଜଗାର ପାଇବା ଆଶାରେ ୨୦ ରୁ ୨୫ କିଲୋମିଟର ଦୂର ରାଉରକେଲା ସହରକୁ ଆସିଥାନ୍ତି। ଏହି ବାସିନ୍ଦାଙ୍କ ମଧ୍ୟରେ ରହିଛନ୍ତି ଉଭୟେ ପୁରୁଷ ଓ ନାରୀ। ସବୁଠାରୁ ବଡ଼କଥା ହେଉଛି ଏହି ନିର୍ବାଚନ ମଣ୍ଡଳୀ ଅନୁସୂଚୀତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିଲେ ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀର ସଂକ୍ଷାଧିକ ବାସିନ୍ଦା ଅନୁସୂଚୀତ ଜାତି ବର୍ଗର ନୁହଁନ୍ତି।

ସେହିଭଳି ଗତ ୧୫ ବର୍ଷ ଧରି ବିଧାୟକ ଥିବା ସୁବ୍ରତ କିଛି ଲୋକ ଦେଖାଣିଆ ତଥା ନିୟମିତ ବିକାଶମୂଳକ କାର୍ଯ୍ୟ କରିବାର ବାହାବା ନେଉଥିଲେ ସୁଦ୍ଧା କୌଣସି ଉଲ୍ଲେଖନୀୟ ପ୍ରକଳ୍ପ ବା ଯୋଜନା କରିବାରେ ସଫଳ ହୋଇପାରିନାହାଁନ୍ତି। ପ୍ରାର୍ଥୀଭାବେ ନିଜର ନାମ ଘୋଷଣା ପୂର୍ବରୁ ଶାସକ ଦଳର ପ୍ରାର୍ଥୀ ଅର୍ଚ୍ଚନା ରେଖା ଜଣେ ଗୃହିଣୀଭାବେ ରହିଆସୁଥିଲେ ଏବଂ ଗତ କିଛିମାସ ଧରି ସେ ଭୁବନେଶ୍ୱରରେ ଅବସ୍ଥାନ କରୁଥିଲେ ନିଜ ସ୍ୱାମୀଙ୍କ ସରକାରୀ ବାସଭବନରେ। ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସାଂସଦ ବା ୬ଟି ବିଧାନ ସଭା ଆସନରେ କୌଣସି ମହିଳାଙ୍କୁ ପ୍ରାର୍ଥୀ କରି ନଥିବା ଶାସକ ବିଜେଡି ଦଳ ଅର୍ଚ୍ଚନାଙ୍କ ମାଧ୍ୟମରେ ଗୋଟିଏ ତୀରରେ ତିନି ବା ତତୋଧିକ ଶିକାର କରିବା ଲକ୍ଷରେ ରହିଛି। ଏହି ବିଧାନସଭା କ୍ଷେତ୍ରକୁ ଲାଗିଥିବା ରାଉରକେଲା ଆସନରେ ଶାସକ ଦଳର ପ୍ରାର୍ଥୀ ତଥା ମନ୍ତ୍ରୀ ସାରଦା ନାୟକ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲାବେଳେ ରଘୁନାଥପାଲ୍ଲୀର ମହିଳା ପ୍ରାର୍ଥୀଙ୍କ ମାଧ୍ୟମରେ ରାଉରକେଲା ଆସନର ମହିଳାଙ୍କ ଭୋଟ ହାତେଇବା ଲକ୍ଷ ରଖିଛି ବିଜେଡି। ଅନ୍ୟପକ୍ଷରେ ୨୦୧୯ରେ ପ୍ରାର୍ଥୀ ହୋଇ କଡ଼ା ଟକ୍କର ଦେଇଥିବା ବିଜେପିର ଜଗବନ୍ଧୁ ବେହେରାଙ୍କୁ ବିଜେପି ପ୍ରାର୍ଥୀ ନକରି ଜଣେ ନବାଗତ ଦୁର୍ଗା ତନ୍ତୀଙ୍କୁ ପ୍ରାର୍ଥୀ କରି ମତାଦାତାଙ୍କୁ ଆକୃଷ୍ଟ କରିବାକୁ ଯୋଜନା ରଖିଛି। କିନ୍ତୁ ତାଙ୍କ ନାମ ଘୋଷଣା ଯଥେଷ୍ଟ ପୂର୍ବରୁ ହୋଇଥିଲେ ସୁଦ୍ଧା ନିର୍ବାଚନ ମଇଦାନରେ ପ୍ରଚାର ଓ ପ୍ରସାର ଦିଗରେ ସେମିତି କିଛି ଅଗ୍ରଣୀ ହେବାରେ ସଫଳ ହୋଇପାରିନାହାଁନ୍ତି ଶ୍ରୀ ତନ୍ତୀ। ସେହିଭଳି ଜଣେ ଶ୍ରମିକ କର୍ମଚାରୀ ଓ ଶ୍ରମିକ ନେତାରୁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ଗୋପାଳ ଦାସ ଉଭୟେ ବିଜେପି ଓ ବିଜେଡିର ପ୍ରଚାର ଓ ପ୍ରସାର ଏବଂ ନିର୍ବାଚନୀ ପରିଚାଳନା କାର୍ଯ୍ୟରେ ଢେର ପଛରେ ରହିଥିବା ଦେଖିବାକୁ ମିଳୁଛି। ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୮ଜଣ ପ୍ରାର୍ଥୀ ମଇଦାନରେ ଥିଲେ ସୁଦ୍ଧା ଲଢେଇ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ହେବାର ସମ୍ଭାବନା ଅଧିକ ରହିଛି। ସବୁଠାରୁ ବଡ଼ କଥା ହେଉଛି ଚଳିତ ନିର୍ବାଚନ ପ୍ରସଙ୍ଗହୀନ ସହିତ ଉଲ୍ଲେଖନୀୟ ପ୍ରାର୍ଥୀଙ୍କ ଅଭାବଜନିତ ସମସ୍ୟା ମଧ୍ୟରେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ କେତେ ପ୍ରତିଶତ ମତଦାନ ହାର ରହିବ ତାହା ଆଲୋଚନାର ବିଷୟ ହୋଇଛି। କାରଣ ଏହି ନିର୍ବାଚନ ମଣ୍ଡଳୀର ମୋତ ମତାଦାତାଙ୍କ ମଧ୍ୟରୁ ମୁଖ୍ୟତଃ ଇସ୍ପାତ ସହରାଞ୍ଚଳର ପ୍ରାୟ ୪୦ ରୁ ୫୦ ହଜାର ବସ୍ତି ବାସିନ୍ଦା ଏବଂ ଗ୍ରାମାଞ୍ଚଳର ପ୍ରାୟ ୪୦ ହଜାର ବାସିନ୍ଦାଙ୍କ ମତଦାନର ପ୍ରତିଶତ ସମସ୍ତ ପ୍ରାର୍ଥୀଙ୍କ ବିଜୟ ବା ପରାଜୟକୁ ପ୍ରଭାବିତ କରିବା ନିଶ୍ଚିତ। ଏଭଳି ସ୍ଥିତିରେ ୧୮ ଏବଂ ୧୯ ତାରିଖ ସହିତ ମତଦାନର ଦିନ ୨୦ ତାରିଖ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ଆଲୋଚନା ହେଉଛି।