ରାଉରକେଲାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବ ରେଡ୍‌କ୍ରସ୍‌ ପକ୍ଷରୁ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ

1 min read
Spread the love

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ ଶାଖା ପକ୍ଷରୁ ଏହି ଅବସରରେ ରାଉରକେଲା ସହରରେ ଥିବା ଅନ୍ତର୍ଜାତୀୟ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ – ଏସ୍‌ଓଏସ୍‌ ଭିଲେଜ୍‌ଠାରେ ଏକ ସଭାର ଆୟୋଜନ ହୋଇଥିଲା। ଯୁବ ରେଡ୍‌କ୍ରସ୍‌ର ସଂଯୋଜିକା ଅଧ୍ୟାପିକା ଡ. ସ୍ମୃତିସ୍ନିଗ୍ଧା ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ ବେହେରା ପ୍ରତିବର୍ଷ ମଇ ୮ ତାରିଖକୁ ସାରା ବିଶ୍ବରେ ରେଡକ୍ରସ୍‌ ଦିବସ ଭାବେ ପାଳନ କରାଯିବାର କାରଣ ସମ୍ପର୍କରେ କହିବା ସହ ୧୮୨୮ ମସିହା ଏହିଦିନରେ ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଜନ୍ମଗ୍ରହଣ କରିଥିବା କଥା କହି ତାଙ୍କର ସ୍ମୃତିଚାରଣ କରିଥିଲେ। ଡ ମିଶ୍ର ତାଙ୍କ ବକ୍ତବ୍ୟରେ ୧୯୪୮ ମସିହାରୁ ସାରା ବିଶ୍ୱରେ ପାଳିତ ଏହି ଦିବସ ଆମ ସମସ୍ତଙ୍କୁ ନିଶ୍ୱାର୍ଥପର ସେବା ମାଧ୍ୟମରେ ପ୍ରତ୍ୟେକ ମଣିଷ ଅନ୍ୟ ଜଣେ ମଣିଷକୁ ଭଲପାଇବାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ଏଥିରେ ମହାବିଦ୍ୟାଳୟର ଅନ୍ୟତମ ଅଧ୍ୟାପିକା ଡ ସସ୍ମିତା ସାମଲ ଯୋଗଦେଇ ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା – ‘ମୁଁ ଆନନ୍ଦରେ ଦିଏ ଏବଂ ମୁଁ ଦେଇଥିବା ଆନନ୍ଦ ମୋ ସହିତ ଅନ୍ୟମାନଙ୍କ ପାଇଁ ପୁରସ୍କାର ମହତ୍ୱ’ ସମ୍ପର୍କରେ କହିଥିଲେ। ଏହି ଅବସରରେ ଏସ୍‌ଓଏସ୍‌ ଭିଲେଜ୍‌ର ଅନ୍ତେବାସୀମାନଙ୍କୁ ମହାବିଦ୍ୟାଳୟ ଯୁବ ରେଡ୍‌କ୍ରସ୍‌ ଶାଖା ପକ୍ଷରୁ ପଠନ ଓ ଲିଖନ ସାମଗ୍ରୀ ଓ ମିଷ୍ଟାନ୍ନ ଆଦି ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରି ଅଧ୍ୟାପକ ମାୟାଧର ବାରିକଙ୍କ ସମେତ ଅଧ୍ୟାପକ ଅଜୟ ବେହେରା ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣାରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ଯୋଗାଇବା ଉଦ୍ଦେଶ୍ୟରେ ରେଡକ୍ରସ୍‌ର କାର୍ଯ୍ୟ ସମ୍ପର୍କରେ କହିଥିଲେ। ଭାରତରେ ୧୯୨୦ ମସିହାରେ ଦିଲ୍ଲୀଠାରେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ରେଡ୍‌କ୍ରସ୍‌ ସୋସାଇଟି ଗଠନ କରାଯାଇଥିଲା। ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡ୍‌କ୍ରସ୍‌ର ସ୍ବେଚ୍ଛାସେବୀମାନେ ସେବା କରିଆସୁଛନ୍ତି ବୋଲି ଅନ୍ୟତମ ଅଧ୍ୟାପିକା ରାମେଶ୍ୱରୀ ଭୋଇ ଓ ଏବଂ ଯୁବ ରେଡ୍‌କ୍ରସ୍‌ର ସହ ସଂଯୋଜିକା  ପି ସୋନାଲି ମୌସୁମୀ ସୂଚନା ଦେବା ସହ ମହାବିଦ୍ୟାଳୟର ରେଡ୍‌କ୍ରସ୍‌ ଶାଖାର କାର୍ଯ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମରେ ଏସ୍‌ଓଏସ୍‌, ରାଉରକେଲା ଶାଖାର ଭାରପ୍ରାପ୍ତ ନିର୍ଦ୍ଦେଶକ ଯୁଥିକା ଦାସଙ୍କ ସମେତ ଅନ୍ୟତମ କର୍ମଚାରୀ ନନ୍ଦନା ଉପସ୍ଥିତ ଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ଚହ୍ନାତି ତିର୍କୀ, ଅଧ୍ୟାପକ ଜୟନ୍ତ ଷଡ଼ଙ୍ଗୀ, ସୁଭ୍ରାଂଶୁ ଶେଖର ଦେହୁରୀ ଓ ସୁସ୍ମିତା ମୁଣ୍ଡାରୀ ଏବଂ ସ୍ୱେଚ୍ଛାସେବୀ ଛାତ୍ର ବିଶ୍ୱଜିତ ପଲାଇଙ୍କ ସମେତ ଅନ୍ୟ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!