ପ୍ରାର୍ଥୀପତ୍ର ଦାଖଲ ଶେଷ ଦିନରେ ପ୍ରାର୍ଥୀଙ୍କ ଗହଳୀ : ବିଜେଡି ସମେତ ଏକାଧିକ ଚର୍ଚ୍ଚିତ ନେତାଙ୍କ ପ୍ରାର୍ଥୀପତ୍ର ଦାଖଲ

1 min read
Spread the love

ସାରା ଦେଶରେ ଚାଲିଥିବା ନିର୍ବାଚନ ପ୍ରକ୍ରିୟାର ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା ଶୁକ୍ରବାର। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡାଳୀ – ରଘୁନାଥପାଲ୍ଲୀ, ବିରମିତ୍ରପୁର ଏବଂ ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରାର୍ଥିନୀ ଅର୍ଚ୍ଚନାରେଖା ବେହେରା ନିଜର ସମର୍ଥକ ଏବଂ ବର୍ତ୍ତମାନର ବିଧାୟକ ତଥା ତାଙ୍କ ସ୍ୱାମୀ ସୁବ୍ରତ ତରାଇଙ୍କ ଗହଣରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶାସକ ଦଳ ପକ୍ଷରୁ ଅନେକ ଆଲୋଚନା ଓ ଚର୍ଚ୍ଚା ପରେ ଅର୍ଚ୍ଚନାଙ୍କ ନାମରେ ମୋହର ଲଗାଯାଇଥିଲା। ସେହିଭଳି ଅଳ୍ପଦିନ ପୂର୍ବେ  ବିଜେଡିରେ ଥିବା ଏବଂ ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳରେ ଥାଇ ବିଧାୟକ ହୋଇଥିବା ନିହାର ସୁରିନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଭାବେ ନିଜ ସମର୍ଥକଙ୍କ ସହିତ ପାନପୋଷ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିଭଳି ଏହି ଆସନ ପାଇଁ ଶାସକ ଦଳର ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଯୁବନେତା ରାଜେଶ କେର୍କେଟା ମଧ୍ୟ ସ୍ୱାଧୀନଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଏକଦା ଦିଲ୍ଲୀପ ରାୟଙ୍କ ଘନିଷ୍ଠ ଥିବା ଓ ବିଜେପିର ପ୍ରାର୍ଥୀ ହୋଇଥିବା ପୂର୍ବତନ ରାଉରକେଲା ପୌରାଧ୍ୟକ୍ଷ ନିହାର ରାୟ ସ୍ୱାଧୀନ ପ୍ରାର୍ଥୀଭାବେ ନିଜ ସମର୍ଥକଙ୍କ ସହ ପାନପୋଷ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶେଷ ପର୍ଯ୍ୟନ୍ତ ବିଜେପି ଦଳରୁ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ନିହାର ରାୟଙ୍କ ବଦଳରେ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀଭାବେ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ। ଏହି କ୍ରମରେ ସେ ଶେଷ ଦିନରେ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେହିଭଳି ରାଉରକେଲା ବିଧାନସଭା ଆସନ ପାଇଁ ଭାରତୀୟ ଜବାନ କିଷାନ ପାର୍ଟିର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନିର୍ମଳ କୁମାର ଦାଶ।

ବିଜେଡି ପ୍ରାର୍ଥୀନି ସେକ୍ଟର-୩, ବିଜେଡି କାର୍ଯ୍ୟାଳୟରୁ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ବିର୍ସା ଛକ, ରିଙ୍ଗ୍‌ ରୋଡର ସିଂହାସନୀ ମନ୍ଦିର ଓ ଉଦିତନଗର ଆମ୍ବେଦକର ଛକ ଦେଇ ରଘୁନାଥପାଲ୍ଲୀ ନିର୍ବାଚନ ଅଧିକାରୀ ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କର ପ୍ରାର୍ଥୀତ୍ବରେ ପ୍ରସ୍ତାବକ ଥିଲେ ସୁଧୀର ସୁନ୍ଦରରାୟ ଏବଂ ସମର୍ଥକ ଭାବରେ ମନୋଜ ଘଡେଇ ରହିଛନ୍ତି। ଏହି  ସମୟରେ ତାଙ୍କ ସ୍ବାମୀ ତଥା ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ମଧ୍ୟ ଉପସ୍ଥିତ ଥିଲେ।   ସେହିଭଳି ଭାବରେ ବିରମିତ୍ରପୁର ବିଧାନସଭା ଆସନ ପାଇଁ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ତଥା ଜେଏମଏମ୍ ପ୍ରାର୍ଥୀ ନିହାର ସୁରିନ୍ ଏକ ବିରାଟ ଶୋଭାଯାତ୍ରାରେ ଆସି ବିରମିତ୍ରପୁର ନିର୍ବାଚନ ଅଧିକାରୀ ତଥା ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶ୍ରୀ ସୁରିନଙ୍କ ପ୍ରସ୍ତାବକ ଭାବରେ ଭାଗେଶ୍ବର ସିଂହ ଏବଂ ସମର୍ଥକ ଭାବରେ ଯୋଶେଫ କେର୍କେଟା ରହିଛନ୍ତି। ଜେଏମଏମ୍ ପ୍ରାର୍ଥୀ ନିହାର ସୁରିନଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ଝାଡଖଣ୍ଡ ଜେଏମଏମ୍ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ କନ୍ୟା ଅଞ୍ଜଳୀ ସୋରେନ୍ ଉପସ୍ଥିତ ଥିଲେ। ସେହିଭଳି ବିରମିତ୍ରପୁର ବିଧାନସଭା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜେଶ କେର୍କେଟା।  

ଅନ୍ୟପକ୍ଷରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ରାଉରକେଲା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଜେପି ପ୍ରାର୍ଥୀ ନିହାର ରାୟ। ରିଂଗ୍ ରୋଡର ସିଂହାସନୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସ୍ବାଧୀନ ପ୍ରାର୍ଥୀ ନିହାର ରାୟ ଏକ ଶୋଭାଯାତ୍ରାରେ ବାହାରି ରାଉରକେଲା ନିର୍ବାଚନ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶ୍ରୀ ରାୟଙ୍କ ନାମାଙ୍କନରେ ପ୍ରସ୍ତାବକଭାବେ ଥିଲେ ଭଗବାନ ରାଉତ।

ସେହିଭଳି ଭାରତୀୟ ଜବାନ କିଷାନ ପାର୍ଟିର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନିର୍ମଳ କୁମାର ଦାଶ। ଶ୍ରୀ ଦାଶ ଏକ ଶୋଭାଯାତ୍ରାରେ ଆସି ନିଜର ପ୍ରସ୍ତାବକ ଇଂ ପ୍ରକାଶ ଚନ୍ଦ୍ର ପରିଜା ଏବଂ ସମର୍ଥକ ନରୋତ୍ତମ ସାମଲ ଓ ତାରିଣୀ ତନ୍ତୀଙ୍କ ସହିତ ରାଉରକେଲା ନିର୍ବାଚନ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ କରିଥିବା ସମସ୍ତ ପ୍ରାର୍ଥୀଙ୍କ ଯାଞ୍ଚ ପ୍ରକ୍ରିୟା ଶନିବାର ଦିନ ହୋଇ ଆବଶ୍ୟକ ଘୋଷଣା କରାଯିବ ଏବଂ ନାମାଙ୍କନ ପତ୍ରର ପ୍ରତ୍ୟାହାର ସୋମବାର କରାଯାଇପାରିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!