ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତିନି ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିଧାନସଭା ଆସନ ପାଇଁ ୨୬ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଏହି କ୍ରମରେ ସୋମବାର ଅର୍ଥାତ୍‌ ୨୯ ତାରିଖ ଦିନ ରାଉରକେଲା ସହରର ଉଦିତ ନଗରଠାରେ ଥିବା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ସ୍ୱତନ୍ତ୍ର ନିର୍ବାଚନ କକ୍ଷରେ ପାନପୋଷ ଉପଖଣ୍ଡ ଅନ୍ତର୍ଗତ ତିନୋଟି ନିର୍ବାଚନ ମଣ୍ଡଳୀ ଅର୍ଥାତ୍‌- ରାଉରକେଲା, ରଘୁନାଥପାଲ୍ଲୀ ଓ ବିରମିତ୍ରପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିରମିତ୍ରପୁର ଆସନ ପାଇଁ ଶଙ୍କର ଓରାମ ଦ୍ୱିତୀୟ ଥର ପାଇଁ ଦଳର ପ୍ରାର୍ଥୀ ହୋଇଛନ୍ତି। ଏହା ପୂର୍ବରୁ ସେ ୨୦୧୯ ମସିହାରେ ବିଜେପି ଦଳର ପ୍ରାର୍ଥୀଭାବେ ବିଧାୟକ ହୋଇଥିଲେ। ସେହିଭଳି ରଘୁନାଥପାଲ୍ଲୀ ଆସନ ପାଇଁ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ଦୁର୍ଗା ଚରଣ ତନ୍ତି ପ୍ରଥମ ଥର ପାଇଁ ବିଧାୟକ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ଅନ୍ୟପକ୍ଷରେ ରାଉରକେଲାର ବିଧାୟକଭାବେ ବିଜେପି ଦଳରୁ ପ୍ରଥମେ ୨୦୧୪ ମସିହାରେ ଲଢ଼ି ବିଜୟୀ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ଦିଲ୍ଲୀପ ରାୟ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବିଜେପି ପ୍ରର୍ଥୀଭାବେ ନିର୍ବାଚନ ଲଢ଼ୁଛନ୍ତି। ବିଭିନ୍ନ କାରଣକୁ ନେଇ ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଆଲୋଚନାରେ ରହିଛି। କାରଣ ସେ କେନ୍ଦ୍ରରେ ମନ୍ତ୍ରୀ ଥିଲାବେଳେ ତାଙ୍କ ନାମରେ ହୋଇଥିବା ଏକ ଅପରାଧିକ ମାମଲାରେ ତାଙ୍କୁ ତିନିବର୍ଷ ଦଣ୍ଡାଦେଶ ହୋଇଥିଲା। ଏହି ମାମଲାକୁ ନେଇ ଶ୍ରୀ ରାୟ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଆଗତ କରିଛନ୍ତି, ଏହି ମାମଲା ଏବେ ବିଚାର ହେଉଥିବା ସ୍ଥିତିରେ ଅଛି। ଏହି ଘଟଣାରେ ଦିଲ୍ଲିପ ରାୟ ଅଦାଲତରୁ ହାରିଗଲେ ନିର୍ବାଚନ ଲଢ଼ିବା ସୁଯୋଗ ହରାଇବେ। ସେହିଭଳି ୨୦୧୪ ମସିହାରେ ଦିଲ୍ଲୀପଙ୍କଠାରୁ ହାରିଥିବା ଓ ପୁଣି ଥରେ ତାଙ୍କ ସହଯୋଗରେ ୨୦୧୯ ମସିହାରେ ରାଉରକେଲାର ବିଧାୟକଭାବେ ବିଜୟୀ ହୋଇଥିବା ସାରଦା ପ୍ରସାଦ ନାୟକ ଚଳିତ ଥର ମଧ୍ୟ ରାଉରକେଲା ବିଧାୟକଭାବେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ସୋମବାର ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ସମୟରେ ଶ୍ରୀ ରାୟଙ୍କ ହଜାର ହଜାର ସମର୍ଥକ ଏକ ଶୋଭାଯାତ୍ରାରେ ଆସି ପହଞ୍ଚିଥିବା ସହ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ବାର୍ତ୍ତା ଦେଇଛନ୍ତି ।

ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ଥିବାରୁ ଆସନ୍ତା ଦିନରେ ଅନ୍ୟାନ୍ୟ ଦଳ ସେମାନଙ୍କ ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ଓହ୍ଲାଇବା ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ।

ତିନିଜଣ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ସୁନ୍ଦରଗଡ଼ର ବର୍ତ୍ତମାନ ସାଂସଦ ତଥା ଆସନ୍ତା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!