ନେସନ ଫାଷ୍ଟ ଟିଭିର ଆକଳନ ସତ ପ୍ରମାଣିତ ହେଲା: ରଘୁନାଥପାଲ୍ଲୀ ପାଇଁ ବିଜେଡିରୁ ପ୍ରାର୍ଥୀ ହେଲେ ମହିଳା

1 min read
Spread the love

ଶେଷରେ ଅନେକ ଆଲୋଚନା ଓ ଚର୍ଚ୍ଚା ପରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋଟ ୬ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଏହି ନାମ ମଧ୍ୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ରାଉରକେଲା ଇସ୍ପାତ ଶିଳ୍ପ ସହରାଞ୍ଚଳ ଅନ୍ତର୍ଗତ ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର। ଏହି ଆସନ ପାଇଁ ପ୍ରାର୍ଥୀଭାବେ ବର୍ତ୍ତମାନର ବିଧାୟକ ସୁବ୍ରତ ତରାଇଙ୍କ ଧର୍ମପତ୍ନୀ ଅର୍ଚ୍ଚନା ରେଖା ବେହେରାଙ୍କୁ ପ୍ରାର୍ଥୀଭାବେ ଘୋଷଣା ହୋଇଛି। ଏ ସମ୍ପର୍କରେ କିଛିଦିନ ପୂର୍ବରୁ ନେସନ ଫାଷ୍ଟ ଟିଭି ପକ୍ଷରୁ ପ୍ରଥମେ ସୂଚନା ଦିଆଯାଇଥିଲା। ଶେଷରେ ସେହି ସୂଚନା ସତ ପ୍ରମାଣିତ ହୋଇଛି। ଏହା ସହିତ ରଘୁନାଥପାଲ୍ଲୀ ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଲଢ଼େଇର ରୂପରେଖ ସମ୍ପୂର୍ଣ୍ଣ ହୋଇଛି। ଅନ୍ୟପକ୍ଷରେ ଏହି ଘୋଷଣା ପରେ କଂଗ୍ରେସ ଦଳ ଛାଡ଼ି ନିକଟରେ ଦଳରେ ଯୋଗଦେଇଥିବା ପ୍ରଫୁଲ୍ଲ ସୁନ୍ୟାନୀଙ୍କ ସମେତ ଗତ ପ୍ରାୟ ସାଢେ ଚାରିବର୍ଷ ଧରି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ସକ୍ରୀୟ ଥିବା ପ୍ରଶାନ୍ତ ସେଠୀଙ୍କ ବିଜେଡି ପ୍ରାର୍ଥୀ ହେବା ଆଶା ମଉଳିଯାଇଛି। ଏହି ଘୋଷଣା ପରେ ବିଜେଡି ରଘୁନାଥପାଲ୍ଲୀ ଅଞ୍ଚଳର ମହିଳମାନେ ସକ୍ରୀୟ ହୋଇଯାଇଥିଲାବେଳେ ଏହାର ପ୍ରଭାବ ନିର୍ବାଚନରେ କେତେ ପଡ଼ିବ ତାହା ସମୟ କହିବ। ଲଗାତାର ତିନିଥର ଧରି ବିଧାୟକ ହୋଇଥିବା ସୁବ୍ରତଙ୍କ ପତ୍ନୀ ଅର୍ଚ୍ଚନା ରେଖା ଜଣେ ସାଧାରଣ ଗୃହଣୀ ହୋଇଥିବା ବେଳେ ତାଙ୍କର ରାଜନୀତି ସହ କୌଣସି ସମ୍ପର୍କ ନଥିଲା। ରାଉରକେଲାରେ ପାଠପଢ଼ିଥିବା ଅର୍ଚ୍ଚନା, ସୁବ୍ରତ ତରାଇଙ୍କୁ ବିବାହ କରିବା ପରେ ସାଧାରଣ ଗୃହଣୀ ଭାବରେ ଜୀବନଯାପନ କରୁଥିଲେ। ଅପ୍ରାତ୍ୟାଶିତ ଘଟଣାକ୍ରମରେ ସୁବ୍ରତଙ୍କ ଟିକେଟ କଟାଯାଇ ତାଙ୍କ ପତ୍ନୀଙ୍କ ଉପରେ ଭରସା କରିଛି ବିଜେଡି।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ନିର୍ବାଚନ ମଇଦାନରେ ଅଛନ୍ତି  ଅଭିଜ୍ଞ ଦୁର୍ଗା ଚରଣ ତନ୍ତି ଏବଂ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ଶ୍ରମିକ ନେତା ଗୋପାଳ ଦାସ। ଆସନ୍ତା ନିର୍ବାଚନରେ ଏଠାରେ ଦ୍ୱିମୁଖୀ ଲଢେଇ ହେବାର ସମ୍ଭାବନା ଅଧିକ ରହିଥିଲାବେଳେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହୋଇପାରେ ବୋଲି ଆଶା କରାଯାଉଛି। କିନ୍ତୁ ନିର୍ବାଚନ ଯେତେ ପାଖେଇ ଆସିବ ଭୋଟ ଗଣିତ ସେତେ ପରିବର୍ତ୍ତନ ହେବାର ଆଶା ମଧ୍ୟ ରହିଛି। ସେହିଭଳି ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ମୋଟ ୭ଟି ବିଧାନସଭା କ୍ଷେତ୍ରରୁ କେବଳ ଗୋଟିଏ ଅର୍ଥାତ୍‌ ରଘୁନାଥପାଲ୍ଲୀରେ ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ ଦେଇ ମହିଳା କାର୍ଡ ଖେଳିଛି। ଏହା ସହ ଏହି ନିର୍ବାଚନ କ୍ଷେତ୍ରକୁ ଲାଗି ରହିଥିବା ରାଉରକେଲା ଆସନ ପ୍ରତି ମହିଳା ଭୋଟରମାନଙ୍କୁ ପ୍ରଭାବିତ କରାଯିବାର ଯୋଜନା ରହିଥିବା ଆଲୋଚନା ହେଉଛି। ୨୦୦୯ ମସିହାରେ ଜଣେ କୃଷି ଅଧିକାରୀଭାବେ କାର୍ଯ୍ୟରତ ସୁବ୍ରତ ହଠାତ୍‌ ବିଜେଡିରେ ଯୋଗଦେଇ ଲଗାତାର ୩ଥର ବିଧାୟକ ହେବା ଏବଂ ୨୦୨୪ ନିର୍ବାଚନରେ ତାଙ୍କ ପତ୍ନୀ ଗୃହିଣୀରୁ ହଠାତ୍‌ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବା ଆଲୋଚନା ଏବେ ଯୋର ଧରିବାରେ ଲାଗିଛି। ଜଣେ ମହିଳା ପାର୍ଥୀଙ୍କ ମାଧ୍ୟମରେ ମହିଳା ଭୋଟର ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନିଜ ସପକ୍ଷକୁ ଆଣିବାରେ ବର୍ତ୍ତମାନର ବିଧାୟକ ସୁବ୍ରତ ତରାଇ ଓ ଅନ୍ୟ ଦଳୀୟ ନେତାମାନେ କେତେ ସଫଳ ହେବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।  

Leave a Reply

Your email address will not be published. Required fields are marked *

error: Content is protected !!