ଛିଣ୍ଡୁନି ରଘୁନାଥପାଲ୍ଲୀ ଗଣିତ: ବିଜେଡି ପ୍ରାର୍ଥୀକୁ ନେଇ ବଢ଼ୁଛି ସସ୍ପେନ୍ସ
1 min read
ସମଗ୍ର ଓଡ଼ିଶାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି କ୍ରମରେ ଠିକ୍ ଏକମାସ ଅର୍ଥାତ୍ ମଇ ମାସ ୨୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଚଳିତ ମାସ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆରମ୍ଭ ହେବ ପ୍ରାର୍ଥୀମାନଙ୍କ ମନୋନୟନ ପତ୍ର ଦାଖଲ। ଏହି ପ୍ରକ୍ରିୟା ମଇ ମାସ ୧୧ ତାରିଖରେ ସରିବ। ଶନିବାର ସୁଦ୍ଧା ଜିଲ୍ଲାର ସମସ୍ତ ଆସନ ପାଇଁ ବିଜେପି, କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀମାନଙ୍କ ନାମ ଘୋଷଣା ସରିଛି, କିନ୍ତୁ ବିଜେଡି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ରଘୁନାଥପାଲ୍ଲୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଇତି ମଧ୍ୟରେ ୬ଟି ପର୍ଯ୍ୟାୟରେ ବିଜେଡି ପକ୍ଷରୁ ରଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ସମେତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି। ଏହା ସତ୍ତ୍ୱେ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ରଘୁନାଥପାଲ୍ଲୀ ଆସନ ସମେତ ଅନ୍ୟ ୧୧ଟିର ପ୍ରାର୍ଥୀ ଘୋଷଣା ହୋଇନାହିଁ। ଅନ୍ୟପକ୍ଷରେ ରଘୁନାଥପାଲ୍ଲୀ ଆସନରୁ ଗତ ୩ଟି ନିର୍ବାଚନରେ ବିଜେଡିର ସୁବ୍ରତ ତରାଇ ଜିତିଥିଲେ ସୁଦ୍ଧା କେତେକ କାରଣରୁ ଚଳିତ ବର୍ଷ ତାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଦଳ ଚାହୁଁନଥିବା ଆଲୋଚନା ହେଉଛି। ଏଥିପାଇଁ କିଛି ଦିନ ପୂର୍ବେ ଦଳରେ ଯୋଗଦେଇଥିବା ପ୍ରଫୁଲ୍ଲ ସୁନ୍ୟାନୀଙ୍କ ନାମ ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ଚର୍ଚ୍ଚାରେ ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର କେତେକ ଆସନରେ ବର୍ତ୍ତମାନର ବିଧାୟକଙ୍କ ସ୍ଥାନରେ ସେମାନଙ୍କ ପତ୍ନୀମାନଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ଏଠାରେ ମଧ୍ୟ ସମାନ ନିୟମ ଆଧାରରେ ସୁବ୍ରତ ତରାଇଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯିବାକୁ ଆଲୋଚନା ହୋଇଥିଲା, କିନ୍ତୁ ତାହା ସଫଳ ହୋଇନାହିଁ। ଗାଁ କୁ କାମ ମା’ କୁ ସମ୍ମାନ ଏବଂ ନାରୀମାନଙ୍କର ଉନ୍ନତି କଥା କହୁଥିବା ବିଜେଡି ଦଳ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୭ଟି ଆସନରୁ ୬ଟି ଆସନରେ ପୁରୁଷ ପ୍ରାର୍ଥୀ ଦେଇଥିଲାବେଳେ ରଘୁନାଥପାଲ୍ଲୀ ଆସନ ପାଇଁ ମହିଳା ପ୍ରାର୍ଥୀ ଦେଇପାରେ ବୋଲି ଆଲୋଚନା ହେଉଛି। କିନ୍ତୁ ଏହି ଆସନଟି ଅନୁସୂଚୀତ ଦଳ ପାଇଁ ସଂରକ୍ଷିତ ରହିଥିବାରୁ କାହାକୁ ପ୍ରାର୍ଥୀ କଲେ ଦଳର ଜିତିବା ସମ୍ଭାବନା ଅଧିକ ରହିବ ତାହା ସ୍ଥିର ହୋଇ ପାରୁ ନଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଗତ କିଛିଦିନ ପୂର୍ବେ କଂଗ୍ରେସ ପକ୍ଷରୁ ଅବସରପ୍ରାପ୍ତ ଆର୍ଏସପି କର୍ମଚାରୀ ତଥା ଶ୍ରମିକ ନେତା ଗୋପାଳ ଦାସଙ୍କୁ ଏହି ଆସନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି। ସେହିଭଳି ବିଜେପି ପକ୍ଷରୁ ଦଳର ଅନୁସୂଚୀତ ମୋର୍ଚ୍ଚାର ରାଜ୍ୟ ଉପସଭାପତି ତଥା ଆର୍ଏସପି କର୍ମଚାରୀ ଦୁର୍ଗା ଚରଣ ତନ୍ତୀଙ୍କୁ ପ୍ରାର୍ଥୀ କରାଯାଇଛି। ତେଣୁ ଏହି ଦୁଇଦଳ ନିର୍ବାଚନ ପ୍ରଚାରରେ ସ୍ୱାଭାବିକଭାବେ ଆଗୁଆ ରହିଛନ୍ତି। ଅନ୍ୟପକ୍ଷରେ ଉଭୟେ ସୁବ୍ରତ ତରାଇ ଓ ପ୍ରଫୁଲ୍ଲ ସୁନ୍ୟାନୀ ଗତ କିଛିଦିନ ହେଲା ଭୁବନେଶ୍ୱରରେ ଡେରା ପକାଇ ରାଉରକେଲା ଫେରିବା ସହ ନିଜ ନିଜ ସମର୍ଥକଙ୍କ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିସାରିଛନ୍ତି। ଏତେ ସବୁ ସତ୍ତ୍ୱେ ଦଳ ଏଠାରେ କିଛି କାରଣକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟ ଏକ ଘଟଣା କ୍ରମରେ ବେଶ୍ କିଛିମାସ ପୂର୍ବେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ନିର୍ବାଚନ ମଣ୍ଡଳୀରେ ସକ୍ରୀୟ ଥିବା ପ୍ରଶାନ୍ତ ସେଠୀ ଏହି ଆସନରୁ ବିଜେଡି ପ୍ରାର୍ଥୀ ପାଇଁ କସରତ ଚଳାଇଥିଲେ ମଧ୍ୟ ଭିନ୍ନ ଭିନ୍ନ କାରଣରୁ ସେ ଦଳରେ ମିଶିବା ସମ୍ଭବ ହୋଇନାହିଁ। ଦୁଇ ତିନିଥର ଭୁବନେଶ୍ୱର ଯାଇ ଦଳରେ ମିଶିବା ପାଇଁ ସେ କରିଥିବା ପ୍ରସ୍ତୁତି ଶେଷ ମୁହୁର୍ତ୍ତରେ ବାତିଲ ହେବା ଯୋଗୁଁ ପ୍ରଶାନ୍ତ ପ୍ରାର୍ଥୀ ହେବା ଆଶା ଛାଡ଼ି ଦେଇଥିବା ଶୁଣିବାକୁ ମିଳୁଛି। ଏଭଳି ସ୍ଥିତିରେ ବିଜେଡିର ପ୍ରାର୍ଥୀ ଘୋଷଣା ଯେତେ ବିଳମ୍ବ ହେବ ବିଜେପିକୁ ସେତେ ଫାଇଦା ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି। ଶେଷ ସୂଚନା ମୁତାବକ ଦୁଇଜଣଙ୍କ କଳିରୁ ତୃତୀୟକୁ ଫାଇଦା ନ୍ୟାୟରେ କୌଣସି ନୂତନ ବ୍ୟକ୍ତି ବା ମହିଳାଙ୍କୁ ଦଳ ପକ୍ଷରୁ ଖୁବ୍ ଶୀଘ୍ର ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି।