ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଜଙ୍ଗଲରେ ଛଡ଼ାଗଲା ଜବତ ହୋଇଥିବା ୬୧ଟି ଶୁଆ
1 min read
ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅନ୍ତର୍ଗତ ଟେନ୍ସା ଜଙ୍ଗଲ ଅଞ୍ଚଳରେ ଶୁକ୍ରବାର ୬୧ ଗୋଟି ଶୁଆଙ୍କୁ ଖୋଲା ଆକାଶରେ ମୁକ୍ତ କରାଯାଇଛି। ଗତ ଜାନୁଆରି ମାସରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚାଲାଣକାରୀମାନଙ୍କ ଠାରୁ ଏହି ଶୁଆମାନଙ୍କୁ ଜବତ କରାଯାଇଥିଲା। ଏହି କ୍ରମରେ ଶୁକ୍ରବାର ସକାଳ ସମୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ମୁଖ୍ୟ ବନ୍ୟ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ ଉପସ୍ଥିତିରେ ଶୁଆଗୁଡ଼ିକୁ ମୁକ୍ତ କରିଦିଆଯାଇଛି।

ରାଉରକେଲା ବନଖଣ୍ଡ ଅଧିକାରୀଙ୍କ ସୂଚନା ମୁତାବକ ମୋଟ ୧୨୨ଟି ନବଜାତ ଶୁଆଙ୍କୁ ଧରିଥିବା ପକ୍ଷୀ ମାଫିଆ ତାହିର ଅନସାରୀ, ମୁନା ସାହୁ ଓ ମହମ୍ମଦ ଥମାସଙ୍କ ବିରୋଧରେ ପାନପୋଷ ରେଞ୍ଜର ବନ୍ୟ ଜନ୍ତୁ ଆଇନ୍ ୧୯୭୨ର ଧାରା ୯ ଅନୁଯାୟୀ ଏସ୍ଡିଜେଏମ୍ ହେପାଜତରେ ଦିଆଯାଇଥିଲା। ଏହା ସହିତ ୧୨୨ଗୋଟି ନବଜାତ ଶୁଆଙ୍କୁ ଚାଲାଣକାରୀମାନଙ୍କ ଠାରୁ ଉଦ୍ଧାର କରାଯାଇଥିଲା। ପକ୍ଷୀଚୋରମାନେ ଏହାକୁ ନେଇ ଭୁବନେଶ୍ବରରେ ଗୋଟିଏ ପିଛା ୫୦୦ ଟଙ୍କାରେ ହିସାବରେ ବିକ୍ରି କରିଥାନ୍ତେ। ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଶୁଆଗୁଡ଼ିକୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର କରାଯାଇଥିବା ନବଜାତ ଶୁଆମାନଙ୍କର ରକ୍ଷଣାବେକ୍ଷଣ ପାଇଁ ମୋବାଇଲ ଭେଟେନାରି ୟୁନିଟକୁ ତତ୍ତ୍ବାବଧାରକ ଦାୟିତ୍ୱ ଦିଆଯାଇଥିଲା। ଶୁଆମାନଙ୍କୁ ଟେନ୍ସା ଜଙ୍ଗଲରେ ମୁକ୍ତ କରିବା ସମୟରେ ରାଉରକେଲା ସର୍କଲ ଆଞ୍ଚଳିକ ମୁଖ୍ୟ ସଂରକ୍ଷଣକାରୀ ପି ରାମାସ୍ବାମୀ, ଏସିଏଫ୍ ସୌମ୍ୟ ରଂଜନ ଗୋଚ୍ଛାୟତ, ପ୍ରାଣୀ ଚିକିତ୍ସକ ଡକ୍ଟର ଆର.କେ ସାମନ୍ତରାୟ ଓ ବନରକ୍ଷୀ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।