ପ୍ରତୀକ୍ଷାର ଅନ୍ତ ଘଟାଇ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଘୋଷଣା କଲା ବିଜେପି
1 min read
ପ୍ରାୟ ଏକ ସପ୍ତାହର ଆଲୋଚନା ଓ ଚର୍ଚ୍ଚା ପରେ ଅନେକ ପ୍ରତୀକ୍ଷାର ଅନ୍ତ ଘଟାଇ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଘୋଷଣା କରାଯାଇଛି। ଓଡ଼ିଶାର ମୋଟ ୨୧ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀମାନଙ୍କ ନାମ ଘୋଷଣା ମଧ୍ୟରେ ରହିଛି ରାଉରକେଲା ଆସନ। ଚଳିତମାସ ୮ ତାରିଖରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରଦତ୍ତ ରାୟ ମୁତାବକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ଦିଲ୍ଲୀପ ରାୟ ଚଳିତ ନିର୍ବାଚନ ଲଢ଼ିବା ବାଟ ଫିଟିଠିଲା। ଏହାପରେ ଶ୍ରୀ ରାୟ ୧୦ ତାରିଖ ଦିନ ରାଉରକେଲା ପହଞ୍ଚିବା ସମୟରେ ବିଭିନ୍ନ ବର୍ଗର ବ୍ୟକ୍ତି ରାଉରକେଲା ବିମାନ କ୍ଷେତ୍ରରେ ପହଞ୍ଚି ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଶ୍ରୀ ରାୟଙ୍କ କିଛି ଘନିଷ୍ଠ ସହଯୋଗୀ ଅହଙ୍କାର ମନୋଭାବ ପୋଷଣପୂର୍ବକ କିଛି ବ୍ୟକ୍ତିଙ୍କୁ ମାଡ଼ପିଟ ସହିତ ଠେଲାପେଲା କରୁଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ଶ୍ରୀ ରାୟଙ୍କ ପ୍ରାର୍ଥିତ୍ୱ ଘୋଷଣା ପରେ ତାଙ୍କ ସମର୍ଥକ ଉଲ୍ଲସିତ ହୋଇ ବାଣ ଫୁଟାଇବା ସହ ତାଙ୍କ ପ୍ରାର୍ଥୀତ୍ୱକୁ ସ୍ୱାଗତ କରିଛନ୍ତି। ଏହାପରେ ରାଉରକେଲା ବିଧାନସଭା ଆସନ ପାଇଁ କଂଗ୍ରେସର ବିରେନ୍ଦ୍ରନାଥ ପଟ୍ଟନାୟକ, ବିଜେଡିର ମନ୍ତ୍ରୀ ଓ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହିତ ବିଜେପିର ପ୍ରାର୍ଥୀ ହୋଇଥିବା ଶ୍ରୀ ରାୟଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଆଶା କରାଯାଉଛି। ଗତ ପ୍ରାୟ ୨୫ ବର୍ଷ ଧରି ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ଚର୍ଚ୍ଚିତ ଓ ପରିଚିତ ରାଜନେତା ଥିବାରୁ ତାଙ୍କର ଜିତିବାକୁ ନେଇ ତାଙ୍କ ସମର୍ଥକମାନେ ଆଶାବାଦୀ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୨୦୦୪ରୁ ୨୦୨୪ ମଧ୍ୟରେ ତିନିଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ବିଜେଡିର ସାରଦା ନାୟକଙ୍କ ସମର୍ଥକମାନେ ମଧ୍ୟ ତାଙ୍କର ଜିତିବାକୁ ନେଇ ଆଶାବାଦୀ ଅଛନ୍ତି।

ଏଭଳି ସମୟରେ ଦିଲ୍ଲୀପ ରାୟଙ୍କ କିଛି ସମର୍ଥକଙ୍କ ଦାଦାଗିରି ଓ ଗୁଣ୍ଡାଭଳି ଆଚରଣର ନମୁନା ଶ୍ରୀ ରାୟଙ୍କ ବିଜୟୀ ହେବା ପଥରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ସେହିଭଳି ଅନେକ ବର୍ଷ ଧରି ବିଜେପି ଦଳରେ କାର୍ଯ୍ୟ କରୁଥିବା କିଛି ନେତା ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ନେଇ ଅସନ୍ତୁଷ୍ଟ ଥିବା ମଧ୍ୟ ବିଭିନ୍ନ ଆଲୋଚନାର ଖୋରାକ ଯୋଗାଇଛି। ଏଭଳି ସ୍ଥିତିରେ ନିର୍ବାଚନ ଯେତେ ପାଖେଇବ ଲଢ଼େଇର ସ୍ଥିତି ସେତେ ରୋଚକ ହେବ ବୋଲି ଆଶା କରାଯାଉଛି।