ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିବା ପାଇଁ ଫିଟିଲା ବାଟ: ରଘୁନାଥପାଲ୍ଲୀ ଏବେ ମଧ୍ୟ ଝୁଲିଛି
1 min read
ରାଉରକେଲା ରାଜନୀତି ସୋମବାର ସରଗରମ ହୋଇଛି। ରଉରକେଲାର ପୂର୍ବତନ ବିଧାୟକ ତଥା କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ନିର୍ବାଚନରେ ଭାଗନେବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ କରିଥିବା ଆବେଦନର ଶୁଣାଣୀ କରି ଅଦାଲତ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେଇଛନ୍ତି। ୨୦୨୦ ମସିହାରେ ଦିଲ୍ଲୀପ ରାୟ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିବା ସମ୍ପର୍କୀତ ଏକ ମାମଲାରେ ଅଦାଲତ ୩ବର୍ଷ ଦଣ୍ଡ ପାଇଁ ରାୟ ଦେଇଥିଲେ। ଏ ନେଇ ସେତେବେଳେ ଉଚ୍ଚ ଅଦଲାତରେ ଆବେଦନ କରିଥିଲେ ଶ୍ରୀ ରାୟ। ସେହି ମାମଲାର ଶୁଣାଣୀ ଏବେ ମଧ୍ୟ ସରିନାହିଁ। ନିର୍ବାଚନ ବ୍ୟବସ୍ଥା ମୁତାବକ ଅପରାଧିକ ମାମଲାରେ ଦୁଇବର୍ଷରୁ ଅଧିକ ଦୋଷୀ ସାବ୍ୟସ୍ତ ଘଟଣାରେ ଶ୍ରୀ ରାୟ ନିର୍ବାଚନ ଲଢ଼ିବା ସମ୍ଭବ ନଥିଲା। ତେଣୁ ଚଳିତ ସାଧାରଣ ନିର୍ବାଚନରେ ଶ୍ରୀ ରାୟ ରାଉରକେଲାରୁ ଲଢ଼ିବା ପାଇଁ ଆଗ୍ରହୀ ଥିବା ନେଇ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରିଥିଲେ। ଏହି ଆବେଦନକୁ ବିଚାର କରି ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମା ଶ୍ରୀ ରାୟଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଛନ୍ତି। ବିଚାରପତି ଶ୍ରୀ ଶର୍ମା ତାଙ୍କର ୧୨ ପୃଷ୍ଟିଆ ରାୟରେ ଶ୍ରୀ ରାୟଙ୍କ ଆବେଦନ ସମ୍ପର୍କୀତ ବିଭିନ୍ନ ଦିଗକୁ ତର୍ଜମା କରିବା ସହ ତାଙ୍କର ବୟଷ ଓ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟ ଦେଇଛନ୍ତି। ଶ୍ରୀ ରାୟଙ୍କ ସମ୍ପର୍କୀତ ଅଦାଲତ ଶୁଣାଣୀ ସୂଚନା ମିଳିବା ପରେ ଶ୍ରୀ ରାୟଙ୍କ ସମର୍ଥକମାନେ ଖୁସି ବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ଅଦାଲତ ଦେଇଥିବା ରାୟ ମୁତାବକ ଶ୍ରୀ ରାୟଙ୍କ ଆବେଦନ ସମ୍ପର୍କୀତ ମାମଲା ଶୁଣାଣୀ ଜାରି ରହିବ ବୋଲି ମଧ୍ୟ ବିଚାରପତି ସ୍ପଷ୍ଟ କରିବା ସହିତ ରହିତାଦେଶ ସହିତ ପୂର୍ବ ମାମଲାର କୌଣସି ସମ୍ପର୍କ ନଥିବା ଜଣାପଡ଼ିଛି। ଏହି ସୂଚନା ପରେ ୭୧ ବର୍ଷୀୟ ଶ୍ରୀ ରାୟ ବିଜେପି ଦଳରୁ ରାଉରକେଲା ବିଧାନସଭାର ପ୍ରାର୍ଥୀ ହେବା ନେଇ ଆଶା ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ବିଜେପି ପକ୍ଷରୁ ରାଉରକେଲା ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଅପର ପକ୍ଷରେ ୨୦୧୪ ମସିହାରେ ଶ୍ରୀ ରାୟ ବର୍ତ୍ତମାନର ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ହରାଇବା ପରେ ୨୦୧୯ରେ ପ୍ରାର୍ଥୀ ହୋଇ ନଥିଲେ। ତେଣୁ ଚଳିତ ନିର୍ବାଚନରେ ଶ୍ରୀ ରାୟ ଓ ଶ୍ରୀ ନାୟକଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ ରୋଚକ ହେବାର ସମ୍ଭାବନା ରହିଛି।
ସେହିଭଳି ରାଉରକେଲା ସହରର ଅନ୍ୟତମ ଅଂଶ ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିଲାବେଳେ ବିଜେଡି ପକ୍ଷରୁ ସୋମବାର ସୁଦ୍ଧା ନାମ ଘୋଷଣା ହୋଇନାହିଁ। ଏହି ଆସନ ପାଇଁ ବିଜେଡିରୁ ବର୍ତ୍ତମାନର ବିଧାୟକ ସୁବ୍ରତ ତରାଇଙ୍କ ସମେତ ଏକାଧିକ ଆଶାୟୀ ରହିଛନ୍ତି।