ମଣିଷମାନଙ୍କର ବର୍ତ୍ତମାନ ଓ ଅତୀତ ସହିତ ଜୀବଜନ୍ତୁଙ୍କ ସମ୍ପର୍କୀତ ନିଆରା ପ୍ରଦର୍ଶନୀ
1 min read
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଇତିହାସ ଓ ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ : ଅନେକ ଅଜଣା କଥା ସମ୍ପର୍କୀତ ତଥ୍ୟ ଓ ସୂଚନା ପ୍ରଦାନ
ରାଉରକେଲା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଇତିହାସ ଓ ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଏକ ନିଆରା ଆୟୋଜିତ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ପ୍ରଦର୍ଶନୀକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ଉଦ୍ଘାଟନ କରି ପ୍ରଥମଥର ଆୟୋଜିତ ଏହି ଶୈକ୍ଷିକ ଓ ସଚେତନତାଧର୍ମୀ ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ଅନେକ କିଛି ଜାଣିବାର ସୁଯୋଗ ପାଇବେ ବୋଲି କହିଛନ୍ତି। ଏହି ଦିନିକିଆ ପ୍ରଦର୍ଶନୀ ଶେଷରେ ପ୍ରଦର୍ଶନୀରେ ଭାଗନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଫେସର ଡ ବେହେରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରଦର୍ଶନୀ ମାଧ୍ୟମରେ ମଣିଷର ବର୍ତ୍ତମାନ ଓ ଅତୀତ ସହିତ ଜୀବଜନ୍ତୁଙ୍କ ସମ୍ପର୍କୀତ ଅନେକ ଅଜଣା କଥା ସମ୍ପର୍କୀତ ତଥ୍ୟ ଓ ସୂଚନା ପ୍ରଦାନ କରାଯାଇଛି।

ଇତିହାସ ବିଭାଗ ପକ୍ଷରୁ ମୋଟ ୨୧ଟି ଷ୍ଟଲ୍ ମାଧ୍ୟମରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟ ସମେତ, ପାରମ୍ପରିକ ଖାଦ୍ୟ ଓ ଜୀବନଧାରଣ ଶୈଳୀ, ବଡ଼ଠାକୁର ଜଗନ୍ନାଥଙ୍କ ବିଭିନ୍ନ ବେଶ, ଭାରତୀୟ ଓ ଅନ୍ୟ କିଛି ଦେଶର ପୁରାତନ ଓ ବର୍ତ୍ତମାନ ପ୍ରଚଳିତ ମୁଦ୍ରା, ପୂରାତନ ପ୍ରସ୍ତର ଯୁଗଠାରୁ ନେଇ ନୂତନ ପ୍ରସ୍ତର ଯୁଗ ପର୍ଯ୍ୟନ୍ତ ଜୀବନଯାପନ ଶୈଳୀ ଓ ପ୍ରଣାଳୀ, ପାରମ୍ପରିକ ବାଦ୍ୟ, ଅସ୍ତ୍ରଶସ୍ତ୍ର ସହିତ ଖାଦ୍ୟସାମଗ୍ରୀ ଆଦିକୁ ନେଇ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ବିଭାଗର ଶତାଧିକ ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମିଳିତ ଉଦ୍ୟମରେ ହୋଇଥିବା ଏହି ପ୍ରଦର୍ଶନୀ ମାଧ୍ୟମରେ ଅନେକ ବିଷୟ ଓ ପ୍ରସଙ୍ଗରେ ସୂଚନା ଓ ବାର୍ତ୍ତା ଦିଆଯାଇଛି।

ବିଭାଗୀୟ ମୁଖ୍ୟ ବାସନ୍ତୀ କୁଜୁରଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରଦର୍ଶନୀ ଆୟୋଜନ କରିବାରେ ବିଭାଗର ଅଧ୍ୟାପିକା ଡ ରଞ୍ଜିତା ଓରାମ, ସଂଯୁକ୍ତା ଦାସଙ୍କ ସମେତ ଅଧ୍ୟାପକ ବିକ୍ରମ କୁମାର ମଲ୍ଲିକ ଓ ସମୀର କଂସାରୀ ସକ୍ରୀୟ ସହଯୋଗ କରିଥିଲେ। ସେହିଭଳି ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ୧୯ଟି ଷ୍ଟଲ୍ ମାଧ୍ୟମରେ ମଣିଷର ବିବର୍ତ୍ତନ, ବିଷଧର ପ୍ ବିଷହୀନ ସର୍ପ, ରକ୍ତ ବର୍ଗୀକରଣ, ରକ୍ତ ଗ୍ରୁପିଙ୍ଗ୍ ଚିହ୍ନଟ, ପକ୍ଷୀମାନଙ୍କର ବାସସ୍ଥାନ, ରାଉରକେଲାର ଇନ୍ଦିରା ଗାନ୍ଧୀ ପାର୍କରେ ମିଳୁଥିବା ବିଭିନ୍ନ ପ୍ରଜାତିର ପ୍ରଜାପତିଙ୍କ ସମ୍ପର୍କୀତ ତଥ୍ୟ ଓ ସୂଚନା, ମଣିଷର ଶରୀର ସମ୍ପର୍କୀତ ବିବରଣୀ, ଜୀବଶୈଳୀ ଜନିର ରୋଗର କାରଣ, କର୍କଟ ରୋଗର କାରଣ ଓ ନିରାକରଣ, ପରୀକ୍ଷାଗାରରେ ବ୍ୟବହୃତ ବିଭିନ୍ନ ଉପକରଣ ସହିତ ସଂଗ୍ରହାଳୟରେ ଦେଖିବାକୁ ମିଳୁଥିବା କିଛି ଜଳଜୀବଙ୍କ ଜୀବନ୍ତଭଳି ଦେଖାଯାଉଥିବା ସାମ୍ପଲ ଆଦି ପ୍ରଦର୍ଶନୀ ହୋଇଥିଲା।

ବିଭାଗୀୟ ମୁଖ୍ୟ ସମୀର ସୌରଭ ପୃଷ୍ଟିଙ୍କ ନେତୃତ୍ୱରେ ପ୍ରାୟ ୭୦ଜଣ ଛାତ୍ରଛାତ୍ରୀଙ୍କ ସମେତ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଥିରେ ସକ୍ରୀୟ ସହଯୋଗ କରିଥିଲେ। ବିଶେଷ କରି ବିଭାଗୀୟ ଅଧ୍ୟାପକ ଡ ଦୀପକ କୁମାର ସିଂହ, ଦେବାଶିଷ ସୂତାର, ଅଧ୍ୟାପିକା ମମତା ବାକ୍ସଲା, ଲାରିକା ମହନ୍ତ, ରାଧା କୁମାରୀ, ମଧୁସ୍ମିତା ପରିଡ଼ାଙ୍କ ସମେତ ଆକାଶ ସାହୁ ଏବଂ ପରୀକ୍ଷାକାର ସହାୟକ ଲମ୍ବୋଦର ନାୟକ, ରାଜେଶ ବନଛୋର ଓ ରାଇମଣି କିସ୍କୁ ପ୍ରମୁଖ ଏହି ପ୍ରଦର୍ଶନୀ ଆୟୋଜନରେ ସହଯୋଗ କରିଥିଲେ। ଏହି ଦିନିକିଆ ପ୍ରଦର୍ଶନୀରେ ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇଥିଲେ।