ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା ଦିବ୍ୟାଙ୍ଗମାନଙ୍କ ପାଇଁ ଅନୁଷ୍ଠାନ ହୋମ୍‌ ଆଣ୍ଡ ହୋପ୍‌ ପରିଦର୍ଶନ

1 min read
Spread the love

 ‘ଏହି ଭିନ୍ନଦକ୍ଷ କଳିକାଙ୍କୁ ପୁଷ୍ପ ରୂପେ ବିକଶିତ ହେବା ଦେଖି ମୋ ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହେଉଛି’ ବୋଲି ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ପ୍ରୋତ୍ସାହିତ ଭିନ୍ନକ୍ଷମ ଅନୁଷ୍ଠାନ ହୋମ୍‌ ଆଣ୍ଡ ହୋପ୍‌କୁ ପରିଦର୍ଶନରେ ଆସି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ପରିଦର୍ଶକ ପୁସ୍ତିକାରେ ନିଜର ଅଭିଜ୍ଞତା ଲିପିବଦ୍ଧ କରିବା ସହ ରାଜ୍ୟପାଳ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କୁ ଆରଏସପି କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ୍ ଆର ସୁର୍ଯ୍ୟବଂଶୀ, ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ ପ୍ରତାପ କୁମାର ସ୍ଵାଇଁ ଏବଂ ଆରଏସପିର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ହୋମ ଆଣ୍ଡ ହୋପର ଭାରପ୍ରାପ୍ତ ଅଧ୍ୟକ୍ଷା ପଦ୍ମିନୀ ଦାସ ଏବଂ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।  ଏହା ସହିତ ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ, ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ  ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଏବଂ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ଏବଂ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଆଯାଉଥିବା ବିଶେଷ ପଦକ୍ଷେପ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା। ସେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ସହିତ ମତବିନିମୟ କରିଥିଲେ ଏବଂ ଭିନ୍ନକ୍ଷମ ପିଲାମାନଙ୍କ ଶିକ୍ଷା, ଚିକିତ୍ସା ଏବଂ ପରାମର୍ଶ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ସମବେଶୀ ସମାଜ ଗଠନ ତଥା ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ସାହାଯ୍ୟ କରିବା ପାଇଁ ଅଧିକ ମିଳିତ ପ୍ରୟାସ କରିବା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ଵ ଅଟେ। ରାଜ୍ୟପାଳ ସ୍ଵତନ୍ତ୍ର ପିଲାମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ କଳା ଓ ହସ୍ତଶିଳ୍ପକୁ ଦେଖି ଆନନ୍ଦ ପ୍ରକାଶ କରିଥିଲେ।

ରାଜ୍ୟପାଳ ହୋମ ଆଣ୍ଡ ହୋପ ପାଇଁ ୫ ଲକ୍ଷ ଟଙ୍କା ଏବଂ ସେକ୍ଟର-୨୨ ସ୍ଥିତ ‘ଆଶା’ ଅନୁଷ୍ଠାନ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହି ଅନୁଦାନ ଉଭୟ ଅନୁଷ୍ଠାନର ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେବ। ଏହା ସହିତ ପିଲାମାନଙ୍କର ଉତ୍ତମ ଯତ୍ନ ନେବା ପାଇଁ ନୂତନ ସୁବିଧା ପ୍ରବର୍ତ୍ତନ ବିଷୟରେ ସେ ଅଭିଭାବକମାନଙ୍କୁ ମଧ୍ୟ ଆଶ୍ୱାସନା ଦେଇଥିଲେ। ଦିବ୍ୟାଙ୍ଗ ଓ ସ୍ୱତନ୍ତ୍ର ପିଲା ଏବଂ ସେମାନଙ୍କ ଅଭିଭାବକମାନେ ମହାମହିମ ରାଜ୍ୟପାଳଙ୍କୁ ନିକଟରେ ପାଇ ବେଶ୍‌ ଖୁସିବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!