ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୬୩ତମ ବାର୍ଷିକ ଉତ୍ସବ ପାଳନ
1 min read
ଜୀବନର ଲକ୍ଷକୁ ସ୍ଥିର କରି ସେହି ଅନୁସାରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନିଅ : ମନ୍ତ୍ରୀ ସାରଦା ନାୟକ
ପ୍ରତ୍ୟେକ ଛାତ୍ର ନିଜ ଜୀବନର ଲକ୍ଷ୍ୟକୁ ସ୍ଥିର କରି ସେହି ଅନୁସାରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବା ଉଚିତ। ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ମଣିଷ କରିବା ହେଉଛି ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଦାୟିତ୍ୱ। ମୋ ପାଇଁ ଏହି ଅନୁଷ୍ଠାନ ହେଉଛି ଏକ ସାଧନାର ମନ୍ଦିର – ଏହିଭଳି କିଛି ବାର୍ତ୍ତା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ। ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ୬୩ତମ ବାର୍ଷିକ ଉତ୍ସବରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ଗୁଣ୍ଡୁଚିମୁଷା ଭଳି ଅନୁଷ୍ଠାନର ଉନ୍ନତି କାର୍ଯ୍ୟରେ ଲାଗିଛନ୍ତି ଓ ଆସନ୍ତା ଦିନରେ ଏହା ଜାରି ରଖିବେ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ଅବସରରେ ସମ୍ମାନୀତ ଅତିଥିଭାବେ ଉଚ୍ଚ ଶିକ୍ଷା ବିଭାଗର ସମ୍ବଲପୁର ସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ ପ୍ରଭାବତି ଗୁରୁ ଯୋଗଦେଇଥିଲେ। ପ୍ରଫେସର ଡ ଗୁରୁ ତଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ କର୍ମଯୋଗୀ ହେଲେ ଜୀବନରେ ଉନ୍ନତି କରିବେ ବୋଲି କହିଥିଲେ। ନିଜ ପିତାମାତାଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସେମାନଙ୍କର ପରିଶ୍ରମର ମୂଲ୍ୟ ବୁଝି କାର୍ଯ୍ୟ କରିବା ନିମନ୍ତେ ପ୍ରଫେସର ଡ ଗୁରୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିଭଳି ମା’ ମାନଙ୍କର ତ୍ୟାଗ ଭଳି ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟ କରିବା ପାଇଁ ଡ ଗୁରୁ ଆହ୍ୱାନ ଦେଇଥିଲେ। ଅଧ୍ୟକ୍ଷ ପ୍ରଫେସର ଡ ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷକ ମଧ୍ୟରେ ଅନୁଷ୍ଠାନର ବିଭିନ୍ନ ଭିତ୍ତିଭୂମି ବିକାଶ ସମ୍ପର୍କରେ ସୂଚନା ଦେଇ ଏଥିପାଇଁ ମନ୍ତ୍ରୀ ଶ୍ରୀ ନାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଛାତ୍ର ପରିଷଦର ଉପଦେଷ୍ଟା ଆଲୋକ କୁମାର ପଟେଲ ବାର୍ଷିକ ବିବରଣୀ ଉପସ୍ଥାପନ କରି ଗତ ବର୍ଷକ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଉପଲବ୍ଧି ଓ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ପୂରାତନ ଛାତ୍ର ସଂସଦର ସଭାପତି ବିଭୁତି ପୁହାଣ, ବରିଷ୍ଠ ଛାତ୍ର ବିଶ୍ୱଜିତ ପଲାଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୨୨ଟି ବର୍ଗରେ ଉଭୟେ ଯୁକ୍ତ ଦୁଇ ସହିତ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯଇଥିଲା।

ଯୁକ୍ତ ଦୁଇ ବର୍ଗରେ ସର୍ବାଧିକ ପୁରସ୍କାର ସୌରଭ ପାଣ୍ଡେ ଓ ବିଜୟେନ୍ଦ୍ରୀ ମହାନ୍ତିଙ୍କୁ ମିଳିଥିଲାବେଳେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ସର୍ବାଧିକବ୍ୟକ୍ତିଗତ ପୁରସ୍କାର ପାଇଥିଲେ ସତ୍ୟବ୍ରତ ମହାନ୍ତ। ଏହା ସହିତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ଏକକ ଓ ଦଳଗତ ନୃତ୍ୟ ଓ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ବାର୍ଷିକ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା।

ସଭା କାର୍ଯ୍ୟକୁ ଛାତ୍ର ସଂସଦର ଅନ୍ୟତମ ଉପଦେଷ୍ଟା ପ୍ରଦୀପ ଖେସ୍ ସଂଚାଳନ କରିଥିଲାବେଳେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ସାଂସ୍କୃତିକ ସଂସଦର ଉପଦେଷ୍ଟା ଅଧ୍ୟାପକ ଅଜୟ କୁମାର ବେହେରା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂରାତନ ଛାତ୍ର ସଂସଦର ସହ ଆବାହକ ରାଜ ସାହୁ, ସମ୍ପାଦକ ରୋଶନ ସାହୁ, ଡି ଅଭିକ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପିକା ରାମେଶ୍ୱରୀ ଭୋଇ, ମମତା ବାକ୍ସଲା, ଅନୀତା ଜୈନ ଏବଂ ଅଧ୍ୟାପକ ପ୍ରଦୀପ ଟୋପ୍ପୋ ଓ ପ୍ରେମ ପ୍ରକାଶ ପ୍ରମୁଖ ପରିଚାଳନା କରିଥିଲେ। ସେହିଭଳି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅଧ୍ୟାପକଗଣଙ୍କ ମଧ୍ୟରେ ସୁରତ ଗିରି, ଚୋଧୁରୀ ପ୍ରଦୋଶ ରଞ୍ଜନ, ଡ ଦୀପକ କୁମାର ସିଂହ, ଜୟନ୍ତ ସାମନ୍ତରାୟ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।