ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ
1 min read
ଯେକୌଣସି ଦେଶର ବିକାଶ ଏହାର ସମୃଦ୍ଧ ମାନବ ସମ୍ବଳ ଉପରେ ହିଁ ନିର୍ଭର କରିଥାଏ। ସମୃଦ୍ଧ ମାନବ ସମ୍ବଳ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଲେଖିବା, ପଢ଼ିବା ଜାଣିଲେ ଲୋକେ ବିଭିନ୍ନ ସରକାରୀ ସେବାର ଲାଭରୁ ବଞ୍ଚିତ ହେବା ଆଶଙ୍କା ନ ଥାଏ। ଶିକ୍ଷା ଅଜ୍ଞାନ ଅନ୍ଧକାର ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜାନୁୟାରୀ ୨୪ରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଥାଏ। ୨୦୧୮ ଡିସେମ୍ବର ୩ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ଦିବସ ପାଳନ ଲାଗି ଏକ ସଂକଳ୍ପ ଗ୍ରହଣ କରାଯାଇଥିଲା। ଏହି କ୍ରମରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ସ୍ନାତକୋତ୍ତର ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ପାଳିତ ହୋଇଛି ଅନ୍ତର୍ଜାତୀୟ ଶିକ୍ଷା ଦିବସ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ ଓ ସଙ୍ଗଠିକା ଡ କିଶୋରୀ ଦାସ ଯୋଗଦେଇଥିଲେ। ସମ୍ପ୍ରତି ବିଶ୍ବରେ ୨୫୮ ନିୟୁତ ଶିଶୁ ଏବଂ ଯୁବକ ପାଠ ପଢ଼ିବା ଜାଣିନାହାନ୍ତି। ସେମାନଙ୍କ ପାଇଁ ସ୍କୁଲ ଯିବା ସୁବିଧା ନାହିଁ। ସେହିପରି ୬୧୭ ନିୟୁତ ଶିଶୁ ଏବଂ କିଶୋର ପଢ଼ି ଜାଣନ୍ତି ନାହିଁ। ମୌଳିକ ଗଣିତ ସମ୍ପର୍କରେ ସେମାନେ କିଛି ବି ଜାଣିନାହାନ୍ତି।

ଏହାଦ୍ୱାରା ସେମାନଙ୍କର ଶିକ୍ଷା ଅଧିକାର ଉଲ୍ଲଂଘନ ହେଉଛି। ତେଣୁ ପାଠ ପଢ଼ିବା ଓ ଲେଖିବାର ସୁଯୋଗ ସମସ୍ତଙ୍କୁ ଦେବା ନିମନ୍ତେ ଉଦ୍ୟମ କରିବା ପାଇଁ ଡ ଦାସ ଆହ୍ବାନ ଦେଇଥିଲେ। ବିଭାଗୀୟ ଅଧ୍ୟାପକ ଡ ସିଦ୍ଧେଶ୍ବର ମିଶ୍ର ଦିବସ ପାଳନର ପ୍ରସଙ୍ଗ – ‘ଶାନ୍ତିର ସ୍ଥାୟିତ୍ବ ନିମନ୍ତେ ସୀମାବିହୀନ ଶିକ୍ଷା’ ପ୍ରସଙ୍ଗରେ ସୂଚନା ଦେଇଥିଲେ। କୌଣସି ଦେଶର ପ୍ରଗତୀର ପ୍ରବହମାନ ଧାରା ବିଶେଷତଃ ଦୁଇଟି ବିଷୟ ଉପରେ ନିର୍ଭର କରେ। ପ୍ରଥମ ହେଉଛି ସୁଦୃଢ ଅର୍ଥନୈତିକ ଭିତ୍ତିଭୂମି ଏବଂ ଅନ୍ୟଟି ହେଉଛି ଗୁଣାତ୍ମକ ପ୍ରତିଯୋଗିତାମୂଳକ ମାନବ ସମ୍ବଳର ସୃଷ୍ଟି। ସଭ୍ୟତାର ବିକାଶ ସହିତ ଶିକ୍ଷା ବ୍ୟବସ୍ଥା ଅଧିକ କ୍ରିୟାଶୀଳ ନହେଲେ ଗୁଣାତ୍ମକ ଶିକ୍ଷାର ଅବିବୃଦ୍ଧି ସମ୍ଭବ ହୋଇ ନଥାଏ।

ତେଣୁ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ସୀମାବିହୀନ ଶିକ୍ଷା ପାଇଁ ଡ ମିଶ୍ର ଆହ୍ବାନ ଦେଇଥିଲେ। ଯେ କୌଣସି ବ୍ୟକ୍ତି କିମ୍ବା ସମାଜର ଉନ୍ନତିରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଶିକ୍ଷାର ବିକାଶ ପାଇଁ ସର୍ବଦା ଓ ସମସ୍ତେ ଉଦ୍ୟମ କରିବା ନିମନ୍ତେ ପ୍ରଫେସର ଡ ବେହେରା ଆହ୍ବାନ ଦେଇଥିଲେ। ଅଧ୍ୟାପିକା ସୁଦେଷ୍ଣା ପରିଡାଙ୍କ ସଞ୍ଚାଳନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପିକା ଚହ୍ନାତି ତିର୍କୀ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ମିତାଲିରାଣୀ ପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବିଭାଗର ଅଧ୍ୟାପିକା ଶୁଭସ୍ମିତା ସ୍ବାଇଁ, ସ୍ବର୍ଣ୍ଣଲତା ସୁତାର ଓ ପ୍ରତିମା ଷଡ଼ଙ୍ଗୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ।