ରାଉରକେଲାରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ
1 min read
ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ସରକାରଙ୍କ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ମିଳିତ ସହଯୋଗରେ ସହରର ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆଠାରେ ଆଞ୍ଚଳିକ କଳିଙ୍ଗ ହର୍ବଲ ମେଳା ଉଦଘାଟିତ ହୋଇଛି। ଏହା ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ଶ୍ରମ ଓ ଇ.ଏସ.ଆଇ ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଘୁ ନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଦିପ ନାୟକ , ରାଉରକେଲାରେ ଅବସ୍ଥାପିତ ଆଞ୍ଚଳିକ ବନ ସଂରକ୍ଷକ ଡ଼. ଅରୁଣ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ରାଉରକେଲା ବନଖଣ୍ଦ ଅଧିକାରୀ ଯଶବନ୍ତ ସେଠି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ଜିଲ୍ଲା ର ମୂଳ ଆଦିବାସୀ ଗଛକୁ ପୂଜା କରନ୍ତି ବୋଲି କହିଥିଲେ । ସହରାଞ୍ଚଳ ରେ ବୃକ୍ଷ ରୋପଣ ପାଇଁ ସରକାର ପୁଞ୍ଜି ବ୍ୟବସ୍ଥା କରିଛନ୍ତି। ଭାରତୀୟ ଗଣତନ୍ତ୍ର ରେ ମହିଳା ମାନଙ୍କ ସହଭାଗିତା ଓ ସଶକ୍ତିକରଣ ଉପରେ ଓଡିଶା ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ଏସ.ଏଚ.ଜି ଓ ଅନ୍ୟ ମାନଙ୍କୁ ଅତିଥି ମାନେ ସହାୟତା ରାଶି ପ୍ରଦାନ କରିବା ସହ ପୁରସ୍କୃତ ମଧ୍ୟ କରିଥିଲେ । ଅନ୍ୟ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରେ ରାଜ୍ୟର କୋଣ ଅନୁକୋଣରେ ଥିବା ବୈଦ୍ୟମାନଙ୍କୁ ଉତ୍ସାହିତ କରିବା ସହ ପାରମ୍ପାରିକ ଚିକିତ୍ସା ଏବଂ ଔଷଧ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାରେ ଏହି ମେଳା ବେଶ ଉପାଦେୟ ହେବ ବୋଲି କହିଥିଲେ । ଏହା ସହିତ ସ୍ଥାନୀୟ ଜନସାଧାରଣ ଏହି ମେଳା ମାଧ୍ୟମରେ ଆୟୁର୍ବେଦ ଔଷଧ ଓ ଏହାର ଚିକିତ୍ସା ର ସୁଯୋଗ ନେବାକୁ ସେମାନେ ଆହ୍ୱାନ କରିଥିଲେ ।

ଏହି ମେଳା ପ୍ରତିଦିନ ସକାଳ ୬ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଚାଲିବ। ଏଥିରେ ୩୦ଟି ସ୍ବୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି, ଔଷଧୀୟ ବୃକ୍ଷ ବିତରକ, ସରକାରୀ ଓ ବେସରକାରୀ ସଂସ୍ଥା ଆଦି ସାମିଲ ହୋଇଛନ୍ତି । ମେଳା ରେ ସାମଗ୍ରୀ ବିକ୍ରି ସାଙ୍ଗକୁ ବିଭିନ୍ନ ଔଷଧୀୟ ବୃକ୍ଷ ପ୍ରଦର୍ଶିତ ହେଉଛି। ବୈଦ୍ୟମାନେ ମାଗଣାରେ ବିଭିନ୍ନ ରୋଗର ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ମେଳାର ସକାଳ ସମୟରେ ଯୋଗ ଶିକ୍ଷା ପ୍ରଦାନ କରାଯିବ ।

ଏହା ବ୍ୟତୀତ କ୍ରେତା ବିକ୍ରେତା ସମ୍ମିଳନୀ, ବୈଦ୍ୟ ସମ୍ମିଳନୀ ଓ କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଛି । ଉଦ୍ଘାଟନ ଉତ୍ସବ ପରେ ସେଲିବ୍ରେଟି ସଂଜୀବ ମିଶ୍ର ଓ କୁକିଜ୍ ସ୍ବାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଏସିଏଫ ସୌମ୍ୟ ରଞ୍ଜନ ଗୋଛାୟତ, ଏସିଏଫ ସାଲବିନ୍ଦର ସିଂହ, ରେଞ୍ଜ ଅଫିସର ବୃନ୍ଦ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, ଏହି ମେଳା ପ୍ରଥମେ ଗତମାସ ୨୪ ରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା କିନ୍ତୁ ସେହି ସମୟରେ ରାଉରକେଲା ସହରରେ ଡାଇରିଆ ପ୍ରଭାବ ଯୋଗୁଁ ମେଳାକୁ ଶେଷ ସମୟରେ ସ୍ଥଗିତ ରଖାଯାଇଥିଲା।