ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ରାଉରକେଲାରେ ବିଶ୍ବ ଏଡ୍ସ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ
1 min read
ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ପାଳିତ ହୋଇଥାଏ ବିଶ୍ବ ଏଡ୍ସ ଦିବସ । ଏଚ୍ଆଇଭି ଭୂତାଣୁର ସଂକ୍ରମଣ ଯୋଗୁଁ ହେଉଥିବା ଏଡ୍ସ ରୋଗର ଭୟାନକ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଏଚ୍ଆଇଭି ସଂକ୍ରମିତ ଲୋକଙ୍କୁ ସମର୍ଥନ ଓ ସହାନୁଭୂତି ପ୍ରଦର୍ଶନ ସହ ଏଡ୍ସ ଜନିତ ରୋଗରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ମୃତିଚାରଣ ଏବଂ ନୂତନ ସଂକ୍ରମଣକୁ ରୋକିବା ପାଇଁ ଅଧିକ ପ୍ରୟାସ କରିବା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଏହା ଏକ ସୁଯୋଗ ଆଣିଥାଏ ୧୯୮୮ ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏହାକୁ ଏକ ଆନୁଷ୍ଠାନିକ ଦିବସ ରୂପେ ଘୋଷଣା କରିଥିଲା।

ଏଚ୍ଆଇଭି/ଏଡ୍ସ ବିରୋଧରେ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର, ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଏକ ମଞ୍ଚ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହି କ୍ରମରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ବିଶ୍ବ ଏଡ୍ସ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି ଏବଂ ପ୍ରାଚୀରପତ୍ର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ରଙ୍ଗୋଲି ପ୍ରତିଯୋଗିତାରେ ବିଜୟେନ୍ଦ୍ରି ମହାନ୍ତି ପ୍ରଥମ ସ୍ଥାନ ହାସଲ କରିଥିଲାବେଳେ ସୁଦିପ୍ତା ପ୍ରିୟଦର୍ଶିନି ଓ ଶୁଭଶ୍ରୀ ରାଉତ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହା ସହିତ ସ୍ବତନ୍ତ୍ରଭାବେ ସୌରଭ କୁମାର ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା।

ପ୍ରାଚୀରପତ୍ର ପ୍ରତିଯୋଗିତାରେ ପ୍ରତୀକ୍ଷା ଶତପଥି ପ୍ରଥମ, ଜୟସ୍ମିତା ରାଉତ ଦ୍ବିତୀୟ ଏବଂ ଶୁଭଶ୍ରୀ ରାଉତ ତୃତୀୟ ସ୍ଥାନ ହାସଲ କରିଥିଲେ। ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଏହି ଅବସରରେ ଆୟୋଜିତ ସଭାରେ ସ୍ବତନ୍ତ୍ର ବକ୍ତାଭାବେ ଆର୍ଏସପି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଡା ସଞ୍ଜୟ ସୋରେଙ୍ଗ ଯୋଗଦେଇ ଜନସାଧାରଣ ନିଜକୁ ଓ ଅନ୍ୟମାନଙ୍କୁ ଏଚ୍ଆଇଭି ସଂକ୍ରମଣ, ନିରାକରଣ, ପରୀକ୍ଷଣ, ଚିକିତ୍ସା ଓ ସଂକ୍ରମିତ ଲୋକେ ସମ୍ମୁଖୀନ ହେଉଥିବା ସାମାଜିକ ଭେଦଭାବ ବାବଦରେ ସଚେତନ କରିବା ପାଇଁ ଏହି ଦିବସ ଏକ ସୁଯୋଗ ବୋଲି କହିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗିବା ଲାଗି ବିଭିନ୍ନ ଅଭିଯାନ, କାର୍ଯ୍ୟକ୍ରମ ଓ ଗୋଷ୍ଠୀଗତ କାର୍ଯ୍ୟକଳାପ ମାଧ୍ୟମରେ ଆଲୋଚନା ଓ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଏହି ଦିବସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ଶନିରାମ କେର୍କେଟା କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଯୁବ ରେଡକ୍ରସ୍ ଶାଖାର ସଂଯୋଜିକା ଡ ସ୍ମୃତିସ୍ନିଗ୍ଧା ମିଶ୍ର ଏବଂ ଜାତୀୟ ସେବା ଯୋଜନାର ସଂଯୋଜକ ସମିର ସୌରଭ ପୃଷ୍ଟି ପ୍ରମୁଖ ଯୋଗଦେଇ ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ବିଭାଗୀୟ ଅଧ୍ୟାପିକା ବର୍ଷା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିବାରେ ବିଭାଗୀୟ ଅଧ୍ୟାପକ ଡ ସୁବଳ ତାଣ୍ଡି, ଅଧ୍ୟାପିକା ସବିତା ରାଉତରାୟ, ସୁଶ୍ରୀ ଶ୍ରାବଣୀ ଦାସ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।ଅନ୍ୟପକ୍ଷରେ ସମନ୍ବିତ ଯୁବ ବିକାଶ ଯୋଜନାର ସମାଜସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ପଞ୍ଚମ ଦିନରେ ବିଶ୍ବ ଏଡ୍ସ ଦିବସ ପାଳନ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ସହିତ ରକ୍ତ ବର୍ଗୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମାଜସେବା କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ରାମେଶ୍ବରୀ ଭୋଇ ଓ ମମତା ବାକ୍ସଲାଙ୍କ ନେତୃତ୍ବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଡ୍ସ ସମ୍ପର୍କୀତ ସଚେତନତା ବାର୍ତ୍ତା ନେଇ ଶୋଭାଯାତ୍ରାରେ ଭାଗନେଇଥିଲେ। ରକ୍ତ ବର୍ଗୀକରଣ କାର୍ଯ୍ୟକ୍ରମରେ ଉଭୟେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶତାଧିକ ସଂଖ୍ୟାରେ ଭାଗନେଇଥିଲେ।